ବ୍ରହ୍ମଗିରି ଅଞ୍ଚଳର ଦେୱାନୀ ମକଦ୍ଦମାରେ ଓଡିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାନ୍ୟବର କମିଶନ ଖଣ୍ଡପୀଠ ନିଜ ତରଫରୁ ଗୋତିପ୍ରଥା ଉଛେଦ ଆଇନର ୧୨ ଧାରା ଅନୁସାରେ ଏହି ମାମଲାରେ ଅଦାଲତଙ୍କ ସହମତିକ୍ରମେ ହସ୍ତକ୍ଷେପ କରି ଓକିଲ ନିଯୁକ୍ତିପାଇଁ କମିଶନଙ୍କ ସଚିବଙ୍କୁ ଐତିହାସିକ ଆଦେଶ ଦେଇଛନ୍ତି।

ଜିଲ୍ଲା ବିଚାରପତି, ପୁରୀଙ୍କ ଅଦାଲତରେ ବିଚାରାଧୀନ ଏକ ଦେୱାନୀ ମକଦ୍ଦମାରେ ଓଡିଶା ମାନବାଧିକାର କମିଶନଙ୍କ ପକ୍ଷରୁ ମାନବାଧିକାର ସୁରକ୍ଷା ପାଇଁ ଦିଆଯାଇଥିବା ପୂର୍ବ ନିର୍ଦ୍ଦେଶର ଯଥାର୍ଥତା ପ୍ରତିପାଦନ କରିବାକୁ ଓକିଲ ନିଯୁକ୍ତି କରିବା ନିମିତ୍ତ କମିଶନଙ୍କ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତୀ ଶତ୍ରୁଘନ ପୂଜାରୀ ଓ ସଭ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କମିଶନଙ୍କ ସଚିବଙ୍କୁ ଆଦେଶ ଦେଇଛନ୍ତି।

ବ୍ରହ୍ମଗିରି ଥାନା ମନାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ବର୍ତ୍ତନ ପ୍ରଥା ଅନୁସାରେ ପୁରୁଷାନୁକ୍ରମିକଭାବେ ଗ୍ରାମବାସୀଙ୍କ ମାର୍ଫତରେ ଥିବା ଭାଗବତ ବାସୁଦେବଙ୍କ ଡିହରେ ଘର କରି ଠାକୁରଙ୍କ ସେବା ସହିତ ଗ୍ରାମର ପ୍ରତିପରିବାରରୁ ବର୍ଷକୁ ମୁଣ୍ଡପିଛା ପ୍ରାୟ ୧୫ କିଲୋଗ୍ରାମ ଧାନ ନେଇ ବର୍ଷସାରା ଗ୍ରାମବାସୀଙ୍କର ମାଗଣାରେ ଚୁଟି କାଟୁଥିଲେ ଏବଂ ପରମ୍ପରା କ୍ରମେ କେବଳ ସବର୍ଣ୍ଣମାନଙ୍କର ସେବା କରୁଥିଲେ।

ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକଙ୍କ ପ୍ରୟାସ ବଳରେ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଆଦେଶ କ୍ରମେ ସରକାରଙ୍କ ତରଫରୁ  ପୂର୍ଣ୍ଣଚନ୍ଦ୍ର ବାରିକଙ୍କୁ ଗୋତିପ୍ରଥାରୁ ମୁକ୍ତି ପ୍ରମାଣପତ୍ର ମିଳିବା ପରେ ସେମାନେ ଯେତେବେଳେ ଗ୍ରାମବାସୀଙ୍କୁ ମାଗଣାରେ ଚୁଟି କାଟିବାକୁ ମନାକଲେ, ଗ୍ରାମବାସୀ ତାଙ୍କ ଘର ଧ୍ୱଂସ କରିଦେଇ ସେମାନଙ୍କୁ ତା୨୭.୧୦.୨୦୨୦ରିଖରେ ଗାଁରୁ ବିତାଡିତ କଲେ।

ବାଘାମ୍ବର ପଟ୍ଟନାୟକ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବାରେ କମିଶନ ନିଜ ତଦନ୍ତ ସଂସ୍ଥାଦ୍ୱାରା ତଦନ୍ତ କରାଇ ବିତାଡିତ ଗୋତିଶ୍ରମିକ ପରିବାରକୁ ରହୁଥିବା ଜାଗାରେ ପୁନଃ ଅବସ୍ଥାପିତ କରିବା ପାଇଁ ପୋଲିସକୁ ତା୨୨.୦୩.୨୦୨୧ରିଖରେ ନିର୍ଦ୍ଦେଶ ଦେଲେ।

Support Independent Journalism? Keep us live.

ଇତି ମଧ୍ୟରେ ଗ୍ରାମବାସୀମାନେ ବରିଷ୍ଠ ଦେୱାନୀ ବିଚାରପତି, ପୁରୀଙ୍କ ଅଦାଲତରେ ବାରିକମାନେ ଠାକୁରଙ୍କ ଜମିରେ ଅନଧିକାର ପ୍ରବେଶ କରିଥିବା ଅଭିଯୋଗ କରି ସ୍ଥାୟୀ ନିଷେଧାଦେଶ ଜାରି କରିବାକୁ ମାମଲା ଦାୟର କରିବାରୁ ଉକ୍ତ ଜାଗାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ବିଜ୍ଞ ବିଚାରପତି ଆଦେଶ ଦେଲେ।

ଏହି ଆଦେଶ ବିରୁଦ୍ଧରେ ପ୍ରତିବାଦୀ ବାରିକମାନେ ପୁରୀ ଓକିଲ ସଂଘର ବରିଷ୍ଠ ଓକିଲ ଅଶୋକ ଦାସଙ୍କ ମାଧ୍ୟମରେ ଜିଲ୍ଲା ବିଚାରପତି, ପୁରୀଙ୍କ ଅଦାଲତରେ ଅପିଲ କରିବାରୁ ବିଜ୍ଞ ଜିଲ୍ଲା ବିଚାରପତି ଏହି ଆଦେଶ ଅଗ୍ରାହ୍ୟ କରିଦେଲେ।

ଏହି ଅପିଲ ଆଦେଶ ବିରୁଦ୍ଧରେ ଗ୍ରାମବାସୀମାନେ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟରେ ଆପତ୍ତି କରିବାରୁ ମାନ୍ୟବର ଉଚ୍ଚନ୍ୟାୟାଳୟ ତାଙ୍କର ତା୨୭.୧୦.୨୦୨୨ରିଖ ଆଦେଶରେ ଜିଲା ବିଚାରପତି, ପୁରୀଙ୍କ ଆଦେଶ ଅଗ୍ରାହ୍ୟ କରି ଦେବୋତ୍ତର କମିଶନରଙ୍କ ସମେତ ସମସ୍ତ ପକ୍ଷଙ୍କର ଶୁଣାଣି କରିବାକୁ ଆଦେଶ ଦେଇ ମାମଲାଟି ପଠାଇଦେଲେ।

ଏହିଁ ଆଦେଶ ଉପରେ ବାରିକମାନେ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଆପତ୍ତି କରିବାରୁ ମାନ୍ୟବର କୋର୍ଟ ଏଥିରେ ହସ୍ତକ୍ଷେପ ନକରି ଯଥାଶୀଘ୍ର ମାମଲାଟିର ପରିସମାପ୍ତି କରିବାପାଇଁ ଜିଲ୍ଲା ବିଚାରପତି, ପୁରୀଙ୍କୁ ଆଦେଶ ଦେଲେ। କମିଶନଙ୍କ ଅଦାଲତରେ ଗ୍ରାମବାସୀଙ୍କ ତରଫରୁ ଓକିଲ ନିଯୁକ୍ତି କରାଯାଇ ମାମଲାର ପରିସମାପ୍ତି କରିବା କିମ୍ବା ଦେୱାନୀ ବିଚାରପତି, ପୁରୀଙ୍କ ନିଷ୍ପତ୍ତି ଉପରେ ଛାଡିଦେବାପାଇଁ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ଗୋତିଶ୍ରମିକଙ୍କ ତରଫରୁ ବାଘାମ୍ବର ପଟ୍ଟନାୟକ ଗୋତିପ୍ରଥା ଉଛେଦ ଆଇନର ୮ମ ଧାରା ଅବତାରଣା କରି ମୁକ୍ତ ଗୋତିଶ୍ରମିକଙ୍କୁ ସେମାନଙ୍କ ରହୁଥିବା ଜାଗାରୁ ବିତାଡ଼ନ କରାଗଲେ ଉପଖଣ୍ଡ ମାଜିଷ୍ଟ୍ରେଟ ସେଠାରେ ତାଙ୍କୁ ପୁନଃ ଥଇଥାନ କରିବେ ବୋଲି ଯୁକ୍ତି ଦର୍ଶାଇଥିଲେ।

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାନ୍ୟବର କମିଶନ ଖଣ୍ଡପୀଠ ନିଜ ତରଫରୁ ଗୋତିପ୍ରଥା ଉଛେଦ ଆଇନର ୧୨ ଧାରା ଅନୁସାରେ ଏହି ମାମଲାରେ ଅଦାଲତଙ୍କ ସହମତିକ୍ରମେ ହସ୍ତକ୍ଷେପ କରି ଓକିଲ ନିଯୁକ୍ତିପାଇଁ କମିଶନଙ୍କ ସଚିବଙ୍କୁ ଐତିହାସିକ ଆଦେଶ ଦେଇଛନ୍ତି।

Comments are closed.