ବାହାନଗା ଲୋକଙ୍କୁ 5T ସଚିବ ପାଣ୍ଡିଆନଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପତ୍ରକୁ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେ ଅଞ୍ଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ଲୋକଙ୍କ ନିବେଦନ ଉପରେ ମତ ଦେଇ ସେ କହିଥିଲେ ଯେ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ଆଜି ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ।

5T ଆଜି ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ । ଟ୍ରେନ ଦୂର୍ଘଟଣା ସମୟରେ, ସେଦିନର କାଳ ରାତ୍ରୀ କଥା ମନେ ପକାଇ ଶ୍ରୀ ପାଣ୍ଡିଆନ କହିଲେ ଯେ, ସେମାନେ ଯେପରି ସ୍ୱତଃସ୍ଫୁର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଲାଇନ୍ ଲଗାଇଥିଲେ, ତା’ର ତୁଳନା ନାହିଁ । ସେମାନେ ମାନବିକତାର ଚରମ ନିଦର୍ଶନ ଦେଖାଇ ସାରା ଦେଶରେ ଓଡିଶା ପାଇଁ ପ୍ରଶଂସା ଆଣିଛନ୍ତି ବୋଲି ପ୍ରକାଶ କରିବା ସହିତ ସେ କହିଥିଲେ ଯେ ଆପଣମାନଙ୍କ ନିକଟରେ ସାରା ରାଜ୍ୟ ଚିର ଋଣୀ।

ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବାହାନଗା ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପତ୍ରକୁ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେ ଅଞ୍ଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ଲୋକଙ୍କ ନିବେଦନ ଉପରେ ମତ ଦେଇ ସେ କହିଥିଲେ ଯେ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।

5T ରୂପାନ୍ତର କାର୍ଯ୍ୟକ୍ରମରେ ବାହାନଗାରେ ନିର୍ମାଣ ହେଉଥିବା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ହେଉଛି ରାଜ୍ୟର ପ୍ରଥମ ପ୍ରାଥମିକ ବିଦ୍ୟାଳୟ । ବାଲେଶ୍ବର ଜିଲ୍ଲାରେ ଥିବା 128ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ 5-ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 128 କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ଼୍ଡିଆନ ସୂଚନା ଦେଇଥିଲେ ।

ରେମୁଣାରେ ଫକୀର ମୋହନ ମେଡିକାଲ କଲେଜ ଠାରେ ଶ୍ରୀ ପାଣ୍ଡିଆନ, କଲେଜର କର୍ମଚାରୀ ଓ ଦୂର୍ଘଟଣା ସମୟରେ ରକ୍ତଦାନ କରିଥିବା ଯୁବକମାନଙ୍କୁ ଭେଟି ସେମାନଙ୍କ ନିସ୍ୱାର୍ଥପର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।

Support Independent Journalism? Keep us live.

ବାଲେଶ୍ୱରର ଓଉପଦା ବ୍ଲକରେ ଥିବା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ ରେମୁଣା ବ୍ଲକରେ ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମନ୍ଦିର କମିଟି, ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଓଉପଦା ବ୍ଲକରେ ଶାଳନ୍ଦି କେନାଲର ନିର୍ମାଣ କାମ ପରିଦର୍ଶନ କରି ଏହି କାମର ବିଭିନ୍ନ ଦିଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କେନାଲ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି ।

ସିମୁଳିଆ ବ୍ଲକର ଜାମଝଡି ଓ ଓଉପଦା ବ୍ଲକର ବଉଳଗଡିଆ ପଞ୍ଚାୟତ ପରିଦର୍ଶନ କରି 5T ସଚିବ ସେଠାରେ ‘ଏକ ପଞ୍ଚାୟତ, ଏକ ଉତ୍ପାଦ’ ପ୍ରତ୍ସୋହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ । ଜାମୁଝଡିରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ବାଉଁଶରୁ ନିର୍ମିତ ବିଭିନ୍ନ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ। ବଉଳଗାଡିଆର ବାବା ରଘୁନାଥ ଜିଉ ଷ୍ଟୋନ୍‌ କାର୍‌ଭିଂ କେନ୍ଦ୍ର ପରିଦର୍ଶନ କରି ସେଠାରେ ହସ୍ତଶିଳ୍ପୀ ମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ କୌଶଳ ଓ କାର୍ଯ୍ୟଦକ୍ଷତା ଓଡିଶାର ଗୌରବ ବୋଲି ପ୍ରକାଶ କରି ଏହାର ମାର୍କେଟିଂ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହସ୍ତଶିଳ୍ପୀ ମାନଙ୍କୁ ବଜାର ସୁବିଧା ଯୋଗାଇଦେବା ପାଇଁଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସୋର ବ୍ଲକର ୟୁ.ଏନ୍ କଲେଜ, ଖଇରା ବ୍ଲକରେ କୁପାରି ପଞ୍ଚାୟତ ପଡିଆ, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଫକିର ମୋହନ ମେଡିକାର କଲେଜ, ରେମୁଣାର ବାମପଡାସ୍ଥିତ ନୋସି ଠାରେ ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ବିଭିନ୍ନ ସଂଗଠନମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଶୁଣିଥିଲେ । ଜିଲ୍ଲା ସ୍ତରରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇପାରିବ ତା’ର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ବାକି ସବୁ ବିଷୟଗୁଡିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ସୋରର ସମସ୍ତ ସ୍କୁଲ ଓ କଲେଜ 5T ଉପକ୍ରମରେ ରୂପାନ୍ତରିତ ହେବ ବୋଲି ସେ କହିଥିଲେ ।

ସୋରର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି 5-ଟି ସଚିବ ସେଠାରେ ‘ଆମ ହସ୍୍ପିଟାଲ’ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ । ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅଧିକାରୀ ମାନଙ୍କୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।

ପଞ୍ଚଲିଙ୍ଗେଶ୍ୱରଠାରେ ଏକ ମିଶନ ଶକ୍ତି କେଫ୍ ପରିଦର୍ଶନ କରି ଏହାର ପରିଚାଳନା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ 5T ସଚିବ ବୁଝି ଥିଲେ । ଲୋକଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରି ବିଜିନେସ୍ କୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ ।

Comments are closed.