ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) “କରପସନ୍ ମୋବିଲାଇଜେସନ ଅଫିସ”: ଓଡ଼ିଶା ବିଜେପି

ଓଡିଶାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ” କୁ “କରପସନ୍ ମୋବିଲାଇଜେସନ ଅଫିସ” ଅର୍ଥାତ ଦୁର୍ନୀତିକୁ ସଂଚାଳିତ କରୁଥିବା କାର୍ଯ୍ୟାଳୟ ବୋଲି ଭାବୁଛନ୍ତି ବୋଲି ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

“ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରି ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଅଛି ବୋଲି ସାମନାକୁ ଆସୁଛି । ନବରଙ୍ଗପୁରରେ ପ୍ରଶାନ୍ତ ରାଉତ ନାମକ ଜଣେ ଅତିରିକ୍ତ ଉପ ଜିଲ୍ଲାପାଳ ରାଙ୍କର ଅଫିସରଙ୍କ ଘରୁ ୫ କୋଟିର ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା ଯେଉଁଥିରୁ ୩ କୋଟି ଟଙ୍କା ନଗଦ ଅର୍ଥ ଥିଲା । ହେଲେ ଏହି ସରକାରୀ ଅର୍ଥ ଲୁଟର ରାକେଟରେ ଆଉ କିଏ କିଏ ସାମିଲ ଥିଲେ ତାହା ଭିଜିଲାନସ ତଦନ୍ତ କରିଲା ନାହିଁ । କାହା ସୁପାରିଶ ଆଧାରରେ ୨୦୧୮ରେ ଗିରଫ ହୋଇଥିବା ସେହି ପ୍ରଶାନ୍ତଙ୍କୁ ୨୦୨୦ରେ ପଦୋନ୍ନତି  ମିଳିଥିଲା ସେଦିଗରେ ମଧ୍ୟ ଭିଜିଲାନସ ତଦନ୍ତ କଲା ନାହିଁ ।”

“ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ସହିତ ପ୍ରଶାନ୍ତଙ୍କର ସର୍ମ୍ପକ ନିବିଡ ଥିଲା । ଏବେ ଆୟକର ବିଭାଗ ଦ୍ୱାରା ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ବ୍ୟବସାୟୀ ଜଗଦୀଶ ନାୟକଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସର୍ମ୍ପକ ବ୍ୟକ୍ତିଗତ ସ୍ତରର । ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟବସାୟିକ ଉତ୍ସବରେ ଯୋଗ ଦେଉଥିଲେ, ସାଥିରେ ତାଙ୍କୁ ଜାପାନ ନେଇଥିଲେ । ଆଗରୁ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣେ ବନ ଅଧିକାରୀ ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା । ଆଗରୁ ଚିଟଫଣ୍ଡ କମ୍ପାନୀ ମାଲିକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ନିବିଡତା କଥା ସମସ୍ତେ ଜାଣିଥିଲେ । ଦୁର୍ନୀତି ଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଏହି ସର୍ମ୍ପକ ଦିନକୁ ଦିନ ସୂଦୃଢ ହେଉଛି ।”

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ । ଏନସିଆରବି ରିପୋର୍ଟ ତଥ୍ୟ ଅନୁସାରେ ୨୦୧୯ରେ ଓଡିଶାରେ ୮୮ଟି ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁ ହୋଇଥିଲା ଯାହା ଦେଶରେ ସର୍ବାଧିକ ଥିଲା । ୨୦୨୦ରେ ଏହା ଥିଲା ୯୩, ୨୦୨୧ରେ ଏହା ଥିଲା ୯୨ଟା ।

ଓଡିଶା ଲଗାତାର ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ  ଅପରାଧରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ଚୋର ବେଶି ଧରାପଡୁଛନ୍ତି ମାନେ ଚୋରୀ ମଧ୍ୟ ବେଶି ହେଉଛି । ୨୦୨୧ରେ ଓଡିଶାରେ ଆୟ ବର୍ହିଭୁତ ସମ୍ପତ୍ତି ଜବତ ହୋଇଥିଲା ୧୦୭ କୋଟି । ୨୦୨୨ରେ ଏହା ହେଲା ୧୭୪ କୋଟି । ୨୦୨୩ରେ ଏହା ୨୫୦ କୋଟିକୁ ପାରିହେବା ଭଳି ଲାଗୁଛି । ଏହାର ଅର୍ଥ ହେଲା ଓଡିଶାରେ ସରକାରୀ ଅର୍ଥ ଲୁଟ ବର୍ଷକୁ ବର୍ଷ ବଢୁଛି । ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୭ରେ କହିଥିଲେ ପିସି ମଷ୍ଟ ଷ୍ଟପ ବୋଲି ସେ ଏବେ କୁହନ୍ତୁ ଯେ ପିସି କମିଛି ନା ବଢିଛି ।

Support Independent Journalism? Keep us live.

ଓଡିଶା କେବଳ ଗରିବରେ ଏକ ନମ୍ବର ନୁହେଁ କି ମହିଳା ବିରୋଧୀ ହିଂସାରେ ଏକ ନମ୍ବର ନୁହେଁ ଓଡିଶା ଦୁର୍ନୀତିରେ ବି ଦେଶରେ ଏକ ନମ୍ବର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓଡିଶାରେ ଗୋଟିଏ ବର୍ଷରେ ଯେତିକି ଦୁର୍ନୀତି ମାମଲା ରୁଜୁ ହେଉଛି ସେଥିରୁ ନଗଣ୍ୟ ମାମଲାରେ ଫାଇନାଲ ଚାର୍ଜସିଟ ଦାଖଲ ହେଉଛି । ୨୦୨୦ରେ ମୋଟ ୨୪୫ ଟି ମାମଲା ରୁଜୁ ହୋଇଥିଲା ହେଲେ ଫାଇନାଲ ଚାର୍ଜସିଟ ହେଲା ମାତ୍ର ୮ଟିରେ । ୨୦୨୧ରେ ମାମଲା ହେଲା ୨୬୫ଟା, ମାତ୍ର ଫାଇନାଲ ଚାର୍ଜସିଟ ହେଲା ମାତ୍ର ୧୦ଟିରେ । ଏହାର ଅର୍ଥ ହେଉଛି ସରକାର ଚାହାନ୍ତି ନାହିଁ ଯେ ଦୁର୍ନିତି ଗ୍ରସ୍ତ ସରକାରୀ ଅଧୀକାରିମାନେ ଦଣ୍ଡ ପାଆନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଆମ ସରକାର ଦୁର୍ନୀତି ବିରୋଧୀ ନୀତି ( ଜିରୋ ଟଲେରାନ୍ସ ଟୁଆର୍ଡସ କରପସନ ନୀତି ) ଗ୍ରହଣ କରିଛି ବୋଲି ଚିତ୍କାର କରୁଥିବା ବିଜୁ ଜନତା ଦଳ ଜବାବ ଦେଉଯେ କାହିଁକି ଭିଜିଲାନସ ୪ କୋଟି ୨୦ ଲକ୍ଷ ଟଙ୍କାର କୃଷି ସବସିଡ ଘୋଟଲାରେ ରେମୁଣାର ବିଜୁ ଜନତା ଦଳ ବିଧାୟକ ସୁଧାଶୁଂ ପରିଡାଙ୍କ ବିରୋଧରେ ରିପୋର୍ଟ ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଜି ଯିଏ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ରଂଜନ କୁମାର ଦାସ ତାଙ୍କ ବିରୋଧରେ ମଧ୍ୟ ଭିଜିଲାନସ ଯାଜପୁରରେ ହୋଇଥିବା କୋଟି କୋଟି ଟଙ୍କାର କଳାମୁଗୁନି ପଥର ଦୁର୍ନୀତିରେ ସମ୍ପୃକ୍ତ ଥିଲେ ବୋଲି ଲେଖିକି ଦେଇଥିଲେ । ହେଲେ ସରକାର ତାଙ୍କୁ ଗିରଫ କରିବେ କଣ ଓଲଟି ସୁପ୍ରିମକୋର୍ଟଙ୍କ ରାୟକୁ ଉଲଙ୍ଘନ କରି ତାଙ୍କର ପଦନ୍ନୋତି ଦେଲେ ।

ପୁର୍ବତନ ମନ୍ତ୍ରୀ ଦାମ ରାଉତ ଯେଉଁ ୮୦୦ କୋଟି ଟଙ୍କାର କୃଷି ରୁଣ ଦୁର୍ନୀତି କଥା ଉଠାଇଥିଲେ ତାହାର ତଦନ୍ତ କାହିଁକି କରାଗଲା ନାହିଁ ? ବହୁ ଚର୍ଚ୍ଚିତ ପିପିଇ କିଟ ଓ ମାସ୍କ କିଣାରେ କୋଟି କୋଟି ଟଙ୍କା ଲୁଟ ହୋଇଥିଲା ଯେଉଁଥିରେ ରାଜ୍ୟର ୫ ଜଣ ମନ୍ତ୍ରୀ ଓ କିଛି ସଚିବ ବଜାର ଦର ଠାରୁ ଅଧିକ ଟଙ୍କାରେ ଜିନିଷ କିଣି କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ ।

ଆଠଗଡର ବର୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ତାଙ୍କରି ଅଂଚଳରେ ହୋଇଥିବା କୃଷି ରୁଣ ଘୋଟାଲାରେ ସମ୍ପୃକ୍ତ ଥିବାର ଅଭିଯୋଗ ଅଛି । କୋଭିଡ ସମୟରେ ମଧ୍ୟ ଯେତେବେଳେ ପର୍ଯ୍ୟଟନ ସ୍ଥାନ ସବୁ ବନ୍ଦ ଥିଲ ସେତେବେଳେ ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଗାଡି ଖର୍ଚ୍ଚ ଆକାରରେ ୩୦ ଲକ୍ଷ ଟଙ୍କା ନେଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁ କଣ ଦୁର୍ନୀତି ନୁହେଁ କି ? କାହିଁକି ରାଜ୍ୟ ସରକାର ଏ ସମସ୍ତଙ୍କ ବିରୋଧରେ ତାଙ୍କ ଦୁର୍ନୀତି ବିରୋଧୀ ନୀତି ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କଟାକ୍ଷ କରି କହିଛନ୍ତି ।

Comments are closed.