ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ମୋଦି ବିରୋଧୀ ମନବୃତ୍ତି ଏବଂ ଉଦାସୀନତା କାରଣରୁ ଗରିବ କଲ୍ୟାଣକାରୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହୋଇପାରୁନାହିଁ ।

“୨୦୨୩ ଜାନୁଆରୀରୁ ଜୁନ ମାସ ଛଅ ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କ ଭଳି ତଳିଆ ଶ୍ରେଣୀର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଠାରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେଉଛି । ଗତକାଲି ଜନଜାତି ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳଙ୍କ ପାଖରୁ ନଗଦ ୩ କୋଟି ଟଙ୍କା ଜବତ ହୋଇଛି ।” ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଷ୍ଟପ୍ ପିସିର ଉଦାହରଣ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣର ୯ ବର୍ଷର ପୂର୍ତ୍ତି ଅବସରରେ ଶନିବାର ତାଳଚେର ଦେଉଳବେଡ଼ା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଏହା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଗରିବ, ଜନଜାତି, ପଛୁଆ ଲୋକଙ୍କର ଖଟିଖିଆ ପଇସା ବାଟମାରଣା ହେଉଛି । ରାଜ୍ୟ ସରକାରରେ ଦାୟିତ୍ୱରେ ଥିବା ଲୋକମାନେ ଏହି କାମରେ ଲାଗିଛନ୍ତି । ଓଡ଼ିଶାରେ ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଓ ଓଡ଼ିଶା ଲୋକଙ୍କ ପଇସାରେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ଗତକାଲି କୋଟି କୋଟି ଟଙ୍କା ଜବତ ହୋଇଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲପାଳଙ୍କର ସେ ହେଉଛନ୍ତି ପୃଷ୍ଠପୋଷକ । ରାଜ୍ୟରେ ହେଉଥିବା ଦୁର୍ନୀତି ତୃତୀୟ ମହଲାର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ହେଉଛି । ମୋଦି ଦେଉଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କ ପାଖରେ ନ ପହଞ୍ଚୁ, ତାହାର ଷଡଯନ୍ତ୍ର ହେଉଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ ‘ଷ୍ଟପ ପିସି’ । କୁଆଡେ ଗଲା ସେହି ‘ଷ୍ଟପ ପିସି’ର ଫମ୍ପା ଆଓ୍ୱାଜ ? ବଡ଼ ଅଧିକାରୀ ଓ ତୃତୀୟ ମହଲାର ଅଧିକାରୀ ଧରା ପଡୁନାହାନ୍ତି କାହିଁକି ବୋଲି ପ୍ରଧାନ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ମୋଦି ବିରୋଧୀ ମନବୃତ୍ତି ଏବଂ ଉଦାସୀନତା କାରଣରୁ ଗରିବ କଲ୍ୟାଣକାରୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହୋଇପାରୁନାହିଁ । ବିଗତ ବର୍ଷରେ ମୋଦି ସରକାର ପ୍ରଚୁର ଅର୍ଥ ଦେବା ପରେ ପରେ ରାଜ୍ୟ ସରକାରଙ୍କ ପାଇଁ ତାଳଚେର ଅବହେଳା ହୋଇଅଛି । ଅନୁଗୋଳ ଓ ତାଳଚେର ଭଳି ଶିଳ୍ପାଞ୍ଚଳରୁ ଓଡ଼ିଶା ସରକାର ଯେତେ ରାଜସ୍ୱ ନେଉଛନ୍ତି, ସେତିକି ମାତ୍ରାରେ ଦାୟିତ୍ୱ ନେଉନାହାନ୍ତି । ପ୍ରାୟ ୫୦୦ କୋଟି ମୂଲ୍ୟର ତାଳଚେର ନେହରୁ ଶତାବ୍ଦୀ ମେଡିକାଲ କଲେଜ ଅଚଳାବସ୍ଥା ହୋଇ ପଡିରହିଛି । ଏହାର ସମ୍ମୁଖରେ ଏମଏସିଏଲ ପକ୍ଷରୁ ଅନ୍ୟ ପ୍ରାୟ ୫୦୦ କୋଟି ମୂଲ୍ୟର ନୂତନ ମେଡିକାଲ କଲେଜ ଭବନ ନିର୍ମାଣ କରାଯାଇଥିବା ବେଳେ ଏହାକୁ ଚଲାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅତିରିକ୍ତ ୫୦୦ କୋଟିର ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଦାବି ଥିଲା, ତାକୁ ଏମସିଏଲ ଦ୍ୱାରା ପୂରଣ କରାଯାଇଛି । ଏହା ସତ୍ତ୍ୱେ ରାଜ୍ୟ ସରକାର ହସ୍ପିଟାଲ ଚଲାଇବା ପାଇଁ ରାଜି ନାହାନ୍ତି । ତାଳଚେରରେ ଦୁଇଟି ମେଡିକାଲ ଭବନ ନିର୍ମାଣ କରି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା କ୍ଷେତ୍ରରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ତାଳଚେର ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଇର୍ଷାପରାୟଣ ହୋଇ ଲୋକପ୍ରିୟତା ଭୟରେ ମେଡିକାଲ କଲେଜ ଚଲାଇବା ପାଇଁ ରାଜି ନ ହେଉନାହାନ୍ତି, ଯାହା ଦୁର୍ଭାଗ୍ୟଜନକ ।

Support Independent Journalism? Keep us live.

“ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ନୂଆ ଜାଗରଣ ତିଆରି ହୋଇଛି । ଗରିବ ଲୋକଙ୍କର ମହତ୍ତ୍ୱ ବଢିବା ସହ ଦେଶର ମାନ ସମ୍ମାନ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟାନ୍ନ, ପାନୀୟ ଜଳର ସୁବିଧା, ଶୌଚାଳୟ, ଉଜ୍ଜଳା ଗ୍ୟାସ, ଜନଧନ, ମୁଦ୍ରା, ସାମାଜିକ ଭତ୍ତା ଓ କୋଭିଡ ଟିକାଦାନ, ଖଣି ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଖଣି ନୀତିରେ ଅଣାଯାଇଥିବା ନୂଆ ସଂସ୍କାର କାରଣରୁ ଓଡ଼ିଶା ଓ ଅନୁଗୋଳ ଜିଲ୍ଲା ଲାଭାନ୍ୱିତ ହୋଇଛି । ମୋଦିଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନୁଗୋଳ ଜିଲ୍ଲାର ୯ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୭୩.୬ କୋଟି ଟଙ୍କା ଦେଇଛନ୍ତି ।” ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଗୋଟିଏ ପଟେ ୯ ବର୍ଷର ସୁଶାସନ ଓ ଅନ୍ୟ ପଟେ ୨୩ ବର୍ଷର ଅପାରଗ ଶାସନ । ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶାର ୩୭ ହଜାର ବୁଥରେ ମୋଦିଜୀଙ୍କ ଗରିବ କଲ୍ୟାଣର ବାର୍ତ୍ତା ପହଞ୍ଚାଇବା ସହ ଦୀର୍ଘ ୨୩ ବର୍ଷର ସ୍ଥାଣୁ, ଭ୍ରଷ୍ଟ, ଅପାରଗ ଓ ସମ୍ବେଦନହୀନ ସରକାରକୁ ପରିବର୍ତ୍ତନ କରିବା ପାଇଁ ଦୃଢ଼ ସଂକଳ୍ପ ନେବାର ସମୟ ଆସିଛି । ଆଗାମୀ ୧୦ ମାସ ଦିନ ରାତି ଏକ କରି ରାଜ୍ୟରେ ପରିବର୍ତ୍ତନ ସ୍ୱରକୁ ଶାଣିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତାଳଚେରରେ ଆୟୋଜିତ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତାଳଚେର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିଶ୍ୱବାସୀଙ୍କ ସୁଖ ଓ ଶାନ୍ତି କାମନା କରିଥିଲେ ।

Comments are closed.