କଲମ ଧରିବେ ଦିବ୍ୟାଙ୍ଗ ମୁନା; ସହାୟ ହେଲା ଓଡ଼ିଶା ମୋ ପରିବାର

ଅକ୍ଷମତାକୁ ସକ୍ଷମ କଲା ଓଡ଼ିଶା-ମୋ ପରିବାର

ଇନ୍‌ସାଇଟ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ଶାରୀରିକ ଅକ୍ଷମତାକୁ ଦୂର କରି ନୂଆ ଜୀବନ ବଞ୍ଚିବାର ଆଶାକୁ ସଞ୍ଚାର କରିଛି ଅସମୟର ସାଥି ଓଡ଼ିଶା-ମୋ ପରିବାର। ପଢ଼ାଲେଖା ପ୍ରତି ମନରେ ଅନାବିଳ ଆଗ୍ରହ ଥିବା ମୁନା ପିଲା ଦିନେ ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇପଡ଼ିଥିବାର କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ଓଡ଼ିଶା-ମୋ ପରିବାର ଦେବଦୂତ ସାଜି ମୁନାଙ୍କୁ କୃତ୍ରିମ ହାତ ଯୋଗାଇ ଦେଇ ତାଙ୍କର ଦୀର୍ଘ ଦିନର ସ୍ବପ୍ନକୁ ବାସ୍ତବତାର ରୂପ ଦେବା ସହ ଦୂର କରିଛି ଶାରୀରିକ ଅକ୍ଷମତା ଜନିତ ପ୍ରତିବନ୍ଧକ।

ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ୭ବର୍ଷୀୟ ବାଳକ ମୁନା ମାଝୀ, ଦିନେ ଛାତ ଉପରେ ଖେଳୁଥିବା ବେଳେ ହଠାତ୍ ସେ ୧୧କିଲୋୱାଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଦୁର୍ଭାଗ୍ୟବଶତଃ, ତାଙ୍କ ଦୁଇ ହାତ ଗୁରୁତର ଭାବରେ ଜଳିଯାଇଥିଲା। ସଙ୍ଗେସଙ୍ଗେ, ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା ଏବଂ ସେଠାରୁ, ଶିଶୁଭବନ, କଟକକୁ ସେ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଡାକ୍ତର ମୁନାଙ୍କର ହାତ କାଟିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ପରିବାରବର୍ଗ ହାତ ଦୁଇଟି ନ କାଟିବା ପାଇଁ ଯଥାସମ୍ଭବ ଚେଷ୍ଟା କରି ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇଥିଲେ କିନ୍ତୁ ଭାଗ୍ୟର ବିଡ଼ମ୍ବନା, ହାତ କାଟିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା। ପରିଶେଷରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୁନାଙ୍କର ଦୁଇ ହାତ କଟାଯାଇଥିଲା।

Support Independent Journalism? Keep us live.

ଦୁର୍ଘଟଣାରେ ହାତ କଟା ହେବା ପରେ ମୁନା ନିଜର ମନୋବଳ ହାରିନଥିବା ବେଳେ ପୂର୍ବପରି ବିଦ୍ୟାଳୟରେ ପାଠ ପଢି ବଡ଼ ମଣିଷ ହେବା ପାଇଁ ଦେଖିଥିଲେ ସ୍ବପ୍ନ। ମାତ୍ର ଲେଖିବା ପାଇଁ ମନରେ ଢେର ଇଚ୍ଛା ଥିଲେ ମଧ୍ୟ ସେ ଅକ୍ଷମ ଥିବା ବେଳେ ପରିବାରବର୍ଗ ଓଡ଼ିଶା- ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ କୃତ୍ରିମ ହାତ ପାଇଁ ଦେବଗଡ଼ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କୁ ଅନୁରୋଧ କରିଥିଲେ।

ବିଶ୍ଵାଳ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଭବାନୀ ଶଙ୍କର ଦାସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ଏବଂ ଦାସ ଏ ଏନେଇ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ(ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଆଜି ତାଙ୍କୁ କୃତ୍ରିମ ହାତ ଯୋଗାଇ ଦିଆଯାଇଛି। ଏହି ସମୟରେସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ୍ ଦାଶ, ଭବାନୀ ଶଙ୍କର ଦାସ ଏବଂ ଓଡ଼ିଶା-ମୋ ପରିବାର ଟିମ୍ ମଧ୍ୟ ଉପସ୍ଥିତ ରହିଥିଲେ। କୃତ୍ରିମ ଅଙ୍ଗ ଲାଗିବା ପରେ ମୁନାଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି।

Comments are closed.