ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ; ଜାଣନ୍ତୁ କେମିତି ଥିଲା ଆମ ମାତୃଭାଷାର ସଂଘର୍ଷମୟ ଇତିହାସ

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ; ଜାଣନ୍ତୁ କେମିତି ଥିଲା ଆମ ମାତୃଭାଷାର ସଂଘର୍ଷମୟ ଇତିହାସ

Date:

Insight Bureau:  ୨୧ ଫେବୃଆରୀ ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବା ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ବରେ ଭାଷା, ସାଂସ୍କୃତିକ ବିବିଧତା, ବହୁଭାଷାର ବୃଦ୍ଧି ଏବଂ ବିଭିନ୍ନ ମାତୃଭାଷା ପ୍ରତି ଜାଗ୍ରତ ହେବା ଉଦେଶ୍ୟରେ ପ୍ରତି ବର୍ଷ ୨୧ ଫେବୃଆରୀକୁ ଅନ୍ତରାଷ୍ଟ୍ରୀୟ ମାତୃଦିବସ ଭାବେ ପାଳନ କରାଯାଏ । ଏହି ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାଷା,ସାଂସ୍କୃତିକ ବିବିଧତା ଏବଂ ବହୁଭାଷାର ପ୍ରସାର କରିବା। ଭାଷା ମାଧ୍ୟମରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଖବର ସ୍ଥାପିତ ହୋଇଥାଏ ।

୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା ପରେ ଇଂରେଜ ସରକାରଙ୍କ ଦ୍ଵାରା ସୃଷ୍ଟି କରାଯାଇଥିବା ମାନଵୀକୃତ ନ’ଅଙ୍କ ଦୁର୍ଭିକ୍ଷର ପରଵର୍ତ୍ତୀ ପଦକ୍ଷେପ ଥିଲା ଓଡ଼ିଆରେ ଶିକ୍ଷାଵ୍ୟଵସ୍ଥାକୁ ବନ୍ଦକରିବା । ଏହି ସମୟରେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷାପାଇଁ କନ୍ଧମାଳର କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ଦେଵ ପ୍ରଥମକରି ଓଡ଼ିଆମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ ।

ଏପର୍ଯ୍ୟନ୍ତ ପାରମ୍ପରିକ ଶିକ୍ଷାବ୍ୟବସ୍ଥାକୁ ଗ୍ରହଣ କରିଆସୁଥିବା ଓଡ଼ିଶାରେ ନିଜ ଶିକ୍ଷାପଦ୍ଧତି ପ୍ରଚଳନପାଇଁ ତତ୍କାଳୀନ ଇଂରେଜ ଶାସକ ହାର୍ଡିଂଜ, ଵିଦ୍ୟାଳୟ ସଂଖ୍ୟାବୃଦ୍ଧି କରିଚାଲିଲେ । ଓଡ଼ିଆ ପାଠ୍ୟପୁସ୍ତକ ମୁଦ୍ରଣ ମଧ୍ୟ ଜାଣିଶୁଣି କରାଗଲାନାହିଁ । ଓଡ଼ିଆ ପୁସ୍ତକର ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନାପାଇଁ ସରକାର ଉତ୍ସାହିତ ନକରିବାରୁ, ବଙ୍ଗଳା ପୁସ୍ତକ ଓଡ଼ିଆ ବିଦ୍ୟାଳୟରେ ସରକାରୀ ବିନା ଆଦେଶରେ ପ୍ରଚଳିତ ହେଲା ।ଫଳରେ ଏହିସବୁ ସ୍କୁଲର ଵିଦ୍ୟାର୍ଥୀ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଦକ୍ଷ ନଥିବାରୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ।

ଇଂରେଜ ଆକ୍ରୋଶ ନ’ଅଙ୍କ ଦୁର୍ଭିକ୍ଷ ଦାଉ ସାଧିବା ବେଳେ ପଡ଼ୋଶୀ ମଧ୍ୟ ରଚିଲେ ଓଡ଼ିଆ ଭାଷା ହତ୍ୟାର ଷଡ଼ଯନ୍ତ୍ର ।  ଵାରମ୍ବାର ଏପରି ଆଘାତରେ ଓଡ଼ିଆମାନେ ସ୍ୱାଭିମାନ ହରାଇଲେ । ଠିକ ଏଇ ସମୟରେ ଭାଷାର ମୂଲ୍ୟ ଓ ଓଡ଼ିଶାଵାସୀଙ୍କ ଦୁଃଖ ବୁଝିପାରିଥିଲେ କିଛି ଇଂରେଜ ପ୍ରଶାସକ । ପରେ ତତ୍କାଳୀନ ଓଡ଼ିଶା କମିଶନର ଆର.ଏନ. ସୋର ସରକାରଙ୍କୁ ଵିରୋଧ କରି ଲେଖିଲେ: “ବଙ୍ଗଳାପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରଙ୍କୁ ବଙ୍ଗଳାଭାଷାରେ ପରୀକ୍ଷା ଦେବାକୁ ବାଧ୍ୟ କଲେ ଏମାନଙ୍କ ପାଇଁ ଵିଶ୍ୱଵିଦ୍ୟାଳୟର ପଥ ସବୁଦିନପାଇଁ ବନ୍ଦ ହୋଇଯିବ ।”

ଅକ୍ଟୋବର ୧୯୦୧ରେ ଆଣ୍ଡ୍ୟୁ ଫ୍ରେଜର ମତାମତ ଦେବାପରେ ବଡ଼ଲାଟ ଲର୍ଡ କର୍ଜନଙ୍କ ଆଦେଶାନୁସାରେ ୧ଜାନୁଆରୀ ୧୯୦୩ରୁ ଓଡ଼ିଆ ସମ୍ବଲପୁରରେ ଲାଗୁ ହେବା ସହ ୫୦ଟି ପ୍ରାଥମିକ ଵିଦ୍ୟାଳୟରେ ଓଡ଼ିଆଶିକ୍ଷା ପ୍ରଚଳନ ହୋଇଥିଲା ।

ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍‍ ସହାୟକ ସିଦ୍ଧ ହେଲା । ବଙ୍ଗଭଙ୍ଗ ବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ଓଡ଼ିଆ ଭାଷାଭାଷୀ କ୍ଷେତ୍ରକୁ ମିଶାଇ ଏକ କରିବା ପାଇଁ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାକୁ ୧୯୦୩ରେ ଡକାହେଲା ଉତ୍କଳ ସମ୍ମିଳନୀ । ଓଡ଼ିଆଙ୍କଠାରେ ଜାତୀୟ ଚେତନା ଜାଗରଣ ପୂର୍ବକ ଭାତୃଭାଵ ଵିକଶିତ କରିବା ଓ ଓଡ଼ିଶାର ସର୍ଵାଙ୍ଗୀନ ଵିକାଶପାଇଁ କିଛି ଚିନ୍ତାନାୟକ ତିଆରି କରିବା ସହିତ ଓଡ଼ିଆ ଯୁଵପ୍ରାଣଙ୍କ ମଧ୍ୟରେ ଓଡ଼ିଆତ୍ୱର ନଵଉନ୍ମାଦନା ସୃଷ୍ଟିକରି ଜାତୀୟ ଜୀଵନକୁ ଅତୀତ ଭଳି ଶକ୍ତିଶାଳି କରି ଗଢ଼ିତୋଳିବା ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ।

୧୯୧୧ରେ ପଞ୍ଚଶଖାଙ୍କଦ୍ୱାରା ଗଢ଼ିଉଠିଲା ଆଦର୍ଶ ସତ୍ୟଵାଦୀ ଵନ ଵିଦ୍ୟାଳୟ । ଏହା ହେଲା ଭାରତର ପ୍ରଥମ ମୁକ୍ତ ଵିଦ୍ୟାଳୟ । ମୁକ୍ତାକାଶ ତଳେ ଶିକ୍ଷା ପ୍ରଦାନ କରି ଓଡ଼ିଆଜାତିର ଉପଯୁକ୍ତ ଉତ୍ତରଦାୟାଦ ତିଆରି କରିବା ଥିଲା ଏହାର ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ଯଦିଓ ସମ୍ପୂର୍ଣ୍ଣ ସଫଳ ହୋଇପାରିନଥିଲା, ମାତ୍ର ତତ୍କାଳୀନ ଯୁଵପ୍ରାଣରେ ଭାଷା ଓ ଜାତିପ୍ରୀତିର ମନ୍ତ୍ର ଫୁଙ୍କିବାରେ ଏହା ସଫଳ ହୋଇଥିଲା ।

ଆମ ପୂର୍ଵସୁରୀଙ୍କ ଅକ୍ଲାନ୍ତ ସଂଘର୍ଷ ପରେ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଯାହା ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ । ଓଡ଼ିଆ ଭାଷାକୁ ରକ୍ଷା କରି ଆନ୍ଦୋଳନ କରାଇ ମହାମନିଷୀ ବ୍ୟାସ କବି ଫକୀର ମୋହନ, ଉତ୍କଳ ଗୌରବ ମଧୁସୂଦନ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଆହୁରି ଅନେକାଦିଙ୍କ ଚେଷ୍ଟା ଓ ସଂଘର୍ଷ ଅତୁଳନୀୟ । ଏମାନଙ୍କ ଚେଷ୍ଟା ବିନା ଓଡ଼ିଆ ଜାତିର ଓ ଓଡ଼ିଶାର ଅସ୍ତିତ୍ବ ରକ୍ଷା କରିବା ଅସମ୍ଭବ ଥିଲା।

୧୯୪୭ ମସିହାରେ ଭାରତ ସ୍ୱାଧୀନତା ହେବା ପରେ ସ୍ୱାଧୀନ ଭାରତର ସାମ୍ବିଧାନିକ ଭାଷା ଭାବରେ ଓଡ଼ିଆ ଗ୍ରହଣ କରାଗଲା । ଏହି ଅନୁସାରେ ୧୯୫୪ ମସିହାରେ ଓଡ଼ିଶା ସରକାରୀ ଭାଷା ଆଇନ ଓଡ଼ିଶା ଵିଧାନସଭାରେ ଗୃହୀତ କରାଗଲା । ୩ ଅଗଷ୍ଟ ୧୯୬୪ରେ ଭାରତର ପ୍ରଥମରାଜ୍ୟ ଭାବରେ ଓଡ଼ିଶା ଇଂରାଜୀଭାଷାକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶା ସରକାରୀ ସଂକେତ ଗୃହୀତ କରାଇଲା । ଏଥିରେ “ଓଡ଼ିଶା ଶାସନ” ଓଡ଼ିଆ ଓ ନାଗରି ଲିପିରେ ଲେଖିବାଦ୍ୱାରା ରାଜ୍ୟସରକାର ଓଡ଼ିଆରେ ସବୁକାମ କରିବାପାଇଁ ଯେ ବଦ୍ଧପରିକର, ତାହା ପୁଣିଥରେ ପ୍ରମାଣିତ ହେଲା ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରପାଇଁ ୧୯୮୫ରେ ଏକ ସର୍ଵେକ୍ଷଣ କରିଥିଲେ । ପ୍ରଥମ ଥର ସର୍ଵେକ୍ଷଣରେ ଏହା ପ୍ରତିଶତ ୬୦ ଥିଲା । ଏହାକୁ ୧୦୦ପ୍ରତିଶତ କରିବାପାଇଁ ଓଡ଼ିଆ ଆଇନ- ୧୯୫୪ର ପ୍ରଥମ ସଂଶୋଧନ ଆଣିଲେ । ତେବେ କେଵଳ ଓଡ଼ିଆ ଟାଇପ ମେସିନ ପ୍ରସ୍ତୁତି ଓ କିଛି ଚିଠି ଵ୍ୟତୀତ ଆଉ କିଛି କରିପାରିନଥିଲେ । ୧୯୯୫ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟବାର ମୁଖ୍ୟମନ୍ତ୍ରୀ ହେବାପରେ ପୁନର୍ଵାର ସର୍ଵେକ୍ଷଣ କରିବାପରେ ଜଣାପଡ଼ିଥିଲା ଯେ ଓଡ଼ିଆ ଭାଷାର ସରକାରୀ ସ୍ତରରେ ଵ୍ୟଵହାର ପୂର୍ଵାପେକ୍ଷା ୧୦ ପ୍ରତିଶତ ହ୍ରାସ ହୋଇଛି । ଏଥର ସେ ଓଡ଼ିଆରେ ସରକାରୀ କାମପାଇଁ ଚିଠି ଲେଖିବା ସହ ଓଡ଼ିଆରେ ଫାଇଲ ନଆସିଲେ ଫେରାଇ ଦେଉଥିଲେ । ଜାନକୀଙ୍କ କ୍ଷମତା ଚାଲିଯିବା ପରେ ବର୍ଷକୁ ବର୍ଷ ଓଡ଼ିଆ ଭାଷାର ବ୍ୟବହାର ସଙ୍କୁଚିତ ହେବାକୁ ବସିଲା ।

ଓଡ଼ିଆ ସଙ୍ଗୀତ, ଚଳଚ୍ଚିତ୍ର, ଟେଲିଵିଜନ ଜଗତକୁ ହିନ୍ଦୀ ଭାଷା କଵଳିତ କଲା । ନିରୁପାୟ ଜନତା ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ପ୍ରତି ଆକୃଷ୍ଟ ହେଲେ । ଏପଟେ ଭାଷା ବଞ୍ଚାଇବା ପାଇଁ ବେସରକାରୀ ସଂଗଠନମାନ ଆଗେଇ ଆସିବା ମାତୃଭାଷା ବଞ୍ଚାଇବାର ଏକମାତ୍ର ବିକଳ୍ପ ଥିଲା । ବେସରକାରୀ ସଂଗଠନଙ୍କ ପ୍ରଚେଷ୍ଟାରେ ୨୦୧୪ ଫେବୃଆରୀ ୨୧ତାରିଖରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଘୋଷଣା ହେଲା । ଭାରତର ଅନ୍ୟ ୫ଟି ଭାଷା ସହ ଉତ୍ତର ଭାରତରୁ ଏକମାତ୍ର ଭାଷା ରୂପେ ଓଡ଼ିଆ ଓଡ଼ିଆ ଶାସ୍ତ୍ରୀୟ ମର୍ଯ୍ୟଦା ପାଇଲା । ଏଥିରୁ ପ୍ରମାଣିତ ହେଲା ଓଡ଼ିଆ ଏକ ସ୍ୱତନ୍ତ୍ର ପ୍ରାଚୀନ ଭାଷା ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.