କଳି ଯୁଗର କଂସ ମହାରାଜ ହୃଷିକେଶ ଭୋଇ

ପେଶାରେ ଡ୍ରାଇଭର, ନିଶାରେ ଅଭିନେତା

ବିଶ୍ବର ସବୁଠୁ ବଡ ଖୋଲା ରଂଗମଞ୍ଚ ଭାବରେ ବେଶ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାରାଜ କଂସ । ମହାରାଜ କଂସ ଏଗାର ଦିନ ଯାତ୍ରାର ମହାନାୟକ, ସର୍ବେସର୍ବା । ଏଗାର ଦିନ ଧରି ପୁରା ବରଗଡ ଜିଲ୍ଲାରେ ଚାଲେ ତାଙ୍କର ଶାସନ । ବରଗଡ ପାଲଟି ଯାଏ ମଥୁରା ନଗରୀ । ମହାରାଜ କଂସଙ୍କ ଶାସନରେ ଥରହର ହୁଅନ୍ତି ମଥୁରାବାସୀ । ହେଲେ କଳିଯୁଗର ଏ କଂସ ଟିକିଏ ଅଲଗା । ମଥୁରା ନଗରୀରେ ମହାରାଜ କଂସଙ୍କ ଶାସନକୁ ବେଶ ପସନ୍ଦ କରିଥାନ୍ତି ପ୍ରଜା । ପ୍ରତିଦିନ ନଗର ଭ୍ରମଣବେଳେ ପ୍ରଜାଙ୍କ ସୁଖଦୁଃଖ ବୁଝିଥାନ୍ତି ମହାରାଜ କଂସ । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଯାଇ ବୁଝଥାନ୍ତି ସମସ୍ୟା । ବେଆଇନ କାମ ଦେଖି ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କୁ କରନ୍ତି ତାଗିଦ ।

ଦରକାର ପଡିଲେ ମୋଟା ଅଙ୍କର କର ମଧ୍ୟ ଆଦାୟ କରିଥାନ୍ତି । ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ 75 ବର୍ଷ ପୁରଣ ହୋଇଥିବାବେଳେ ଗତ 9 ବର୍ଷ ହେବ ମହାରାଜ କଂସ ଭୂମିକାରେ ସଫଳତାର ସହିତ ଅଭିନୟ କରିଆସୁଛନ୍ତି ଯାତ୍ରାର ମୁଖ୍ୟ ଅଭିନେତା ହୃଷିକେଶ ଭୋଇ । ଚଳିତ ବର୍ଷ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରୁଛନ୍ତି ହୃଷିକେଶ ଭୋଇ ।

ପ୍ରାତଃକାଳରୁ ଉଠି ନିତ୍ୟକର୍ମ ଶେଷ କରି ପୂଜାପାଠ ଓ ପୁରାଣ ପାଠ କରିଥାନ୍ତେତି ହୃଷିକେଶ । ପରେ ବାହାରି ପଡନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ । ବରଗଡ ଜିଲ୍ଲାର ଜଣେ ଖ୍ୟାତି ସମ୍ପନ୍ନ କଳାକାର ହେଉଛନ୍ତି ହୃଷିକେଶ ଭୋଇ । ହେଲେ ପେଶାରେ ସେ ଜଣେ ଡ୍ରାଇଭର୍ । ବର୍ତ୍ତମାନ ମେଡିକାଲର ଆମ୍ବୁଲାନ୍ସ ଗାଡି ଚାଳକ ଭାବେ କାର୍ଯ୍ୟରତ । ଏଭଳି ସାଧାରଣ ଜୀବନ ଜିଉଁଥିବା ହୃଷିକେଶ ଭୋଇ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମାହାରାଜ । ଏଗାର ଦିନର ଏହି ଯାତ୍ରାରେ ସେହି ମହାନାୟକ ।

Kansa Hrushikesh Bhoi Odisha

Support Independent Journalism? Keep us live.

ମହାରାଜ କଂସଙ୍କ ଶାସନରେ ନେତା, ମନ୍ତ୍ରୀଠ ନେଇ ବଡବଡିଆ ପ୍ରଶାସନିକ ଅଧିକାରୀ ମଧ୍ୟ କଂସ ମହାରାଜଙ୍କ ଆଦେଶ ମାନିବାକୁ ବାଧ୍ୟ ହୋଇଥାନ୍ତି । ଗତ 9 ବର୍ଷ ଧରି ହୃଷିକେଶ ଭୋଇ ମହାରାଜ କଂସଙ୍କ ଭୂମିକାରେ ଅଭିନୟ କରିଆସୁଥିବାବେଳେ ଏଥର ଦଶମ ବର୍ଷରେ ମଧ୍ୟ ତାଙ୍କ ଅଭିନୟକୁ ବେଶ୍ ଆନନ୍ଦର ସହିତ ଉପଭୋଗ କରୁଛନ୍ତି ଦେଖଣାହାରୀ । ତେବେ ଅଭିନୟରେ ଯେମିତି ପାରଙ୍ଗମ ନିଜ କାମରେ ମଧ୍ୟ ବେଶ୍ ସମାୟୁନିବର୍ତ୍ତିତା ଓ ଅନୁଶାସିତ ହେଉଛନ୍ତି ହୃଷିକେଶ । ନିଜ ସହଯୋଗୀଙ୍କ ସହିତ ମିଶି ବେଶ ଉତ୍ସାହର ସହିତ ନିଜର କାମ ତୁଳାଇଥାନ୍ତି ସେ । ଠିକ୍ ସେମିତି ନିଜ ସହ ଅଭିନେତାମାନଙ୍କ ସହିତ ଖୁସିମଜା କରି ଅଭିନୟ କରିଥାନ୍ତି ହୃଷି ।

ଅମ୍ବାଭୋନା ଚିଚୋଲି ଗାଁର ବୃଷଭ ଭୋଇ ଓ ସୁମିତ୍ରା ଭୋଇଙ୍କ ପୁଅ ହୃଶିକେଶ ଭୋଇ । ଚିଚୋଲି ଗାଁରେ ୧୯୭୨ ମସିହାରେ ତାଙ୍କ ଜନ୍ମ । ହେଲେ ଚାକରି ପାଇଁ ଏବେ ନିଜ ଗାଁ ଛାଡି ବରଗଡ଼ ସହରର ଶକ୍ତି ନଗର ପଡ଼ାରେ ରହୁଛନ୍ତି । ପତ୍ନୀ ଲିଲି ଭୋଇ, ପୁଅ ଜତିନ ଓ ଝି ଏଲିନାଙ୍କୁ ନେଇ ତାଙ୍କର ସୁଖର ସଂସାର । ପିଲା ଦିନରୁ ହିଁ ଅଭିନୟକୁ ନିଜ ବ୍ରତି କରିନେଇଥିଲେ ହୃଷିକେଶ । ବରଗଡ଼ ଧନୁଯାତ୍ରା ସମେତ ରାଜ୍ୟର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ପୌରାଣିକ ଚରିତ୍ରରେ ଅଭିନୟ କରିଛନ୍ତି ସେ ।

ତେବେ ଏହି ଏଗାର ଦିନ ଧନୁଯାତ୍ରାରେ ମହାନାୟକ ହୋଇଥିଲେ ମଧ୍ୟ ଯାତ୍ରା ପରେ ସେ ଜଣେ ସାଧାରଣ ନାଗରିକ । କଂସ ଭୂମିକାରେ ଅଭିନୟ ଲାଗି ଫୁରସତ ସମୟରେ ରାମାୟଣ, ମହାଭାରତ, ମଥୁରା ମଙ୍ଗଳ ଭଳି ଅନେକ ପୁରାଣ ଭାଗବତ ପାଠ କରିଥାନ୍ତି ହୃଷିକେଶ । ବର୍ଷ ତମାମ ଚାକିରି ଓ ପରିବାର ଭିତରେ ବ୍ୟସ୍ତ ଥିବାବେଳେ ସମୟ ବାହାର କରି ନିଜ ଅଭିନୟ ଜାରି ରଖିଛନ୍ତି ହୃଷିକେଶ ଭୋଇ । ତେବେ ହୃଷିକେଶଙ୍କ ଏହି ନିଶାକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥାନ୍ତି ତାଙ୍କ ପତ୍ନୀ ଲିଲି ଭୋଇ । ହୃଷିକେଶଙ୍କୁ ଯେମିତି ଅଭିନୟ ପାଇଁ ସମୟ ମିଳିବ ତା ଉପରେ ବେଶ୍ ସଜାଗ ଥାନ୍ତି ଲିଲି । ନିଜ ସ୍ବାମୀଙ୍କୁ ମହାରାଜ କଂସ ଭୂମିକାରେ ଦେଖି ବେଶ୍ ଖୁସି ଥିବା କୁହନ୍ତି ପତ୍ନୀ ଲିଲି । ଏମିତିକି ନିଜ ବାପାଙ୍କ ଚମତ୍କାର ଅଭିନୟରେ ବେଶ୍ ଖୁସି ପୁଅ, ଝିଅ ।

ବରଗଡ଼ର ଏହି ମହାନ ଖୋଲା ରଂଗମଞ୍ଚର ଅଭିନୟ କରିବା ପ୍ରତ୍ୟେକ କଳାକାରଙ୍କ ସ୍ୱପ୍ନ ଥାଏ । ଏଭଳି ସ୍ୱପ୍ନ ହୃଷିକେଶ ଭୋଇ ମଧ୍ୟ ଦେଖିଥିଲେ । ଏବଂ ନିଜର୍ ଇଚ୍ଛାଶକ୍ତି ଓ ମନୋବଳ ଯୋଗୁଁ ଆଜି ନିଜ ସ୍ବପ୍ନକୁ ସତ କରିପାରିଛନ୍ତି ସେ । ଭଗବାନ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ ଓ ଦର୍ଶକଙ୍କ ଭଲ ପାଇବା ତାଙ୍କୁ ଭଲ ଅଭିନୟ କରିବାକୁ ଉତ୍ସାହିତ କରିଥାଏ ବୋଲି କୁହନ୍ତି ହୃଷିକେଶ ।

Kansa Hrushikesh Bhoi Odisha Dhanu Jatra Bargarh

Comments are closed.