ଉପ ନିର୍ବାଚନ ପାଇଁ ଉଷ୍ମ ହେଉଛି ବ୍ରଜରାଜନଗର; ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଆଜି ପ୍ରାର୍ଥୀ ମାନଙ୍କର ନାମାଙ୍କନର ଶେଷ ଦିନ ଥିଲା । ଆଜି ଅନ୍ତିମ ଦିନରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ।
Insight Bureau: ଦିନ କୁ ଦିନ ଉଷ୍ମ ହେବାରେ ଲାଗିଛି ବ୍ରଜରାଜନଗର ଉପନିର୍ବାଚନ ଗ୍ରାଉଣ୍ଡ । ଆଜି ପ୍ରାର୍ଥୀ ମାନଙ୍କର ନାମାଙ୍କନର ଶେଷ ଦିନ ଥିଲା । ଆଜି ଅନ୍ତିମ ଦିନରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହା ପରେ କମ୍ପିବ ରାଜନୈତିକ ପ୍ରଚାର ମଇଦାନ । ତିନି ଦଳ ଭିନ୍ନ ଭିନ୍ନ ଶୋଭାଯାତ୍ରାରେ ଆସି ଝାରସୁଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜ ନାମାଙ୍କନ ପତ୍ର ଧରି ପହଞ୍ଚିଥିଲେ ।

ବିଜେଡି ହେଉ କିଉ ବିଜେପି ଦୁହିଁଙ୍କ ଦଳରେ ଦଳର ନେତା ମନ୍ତ୍ରୀ ଦେଖା ଯାଇଥିବା ବେଳେ କଂଗ୍ରେସରେ ରାଜ୍ୟ ନେତୃବୃନ୍ଦ ଶୋଭାଯାତ୍ରାରେ କେହି ନଥିବା ଦେଖା ଯାଇଥିଲା । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଦଳରେ କିଛି ନେତାଙ୍କୁ ନିର୍ବଚନୀ ପ୍ରଚାର ଦେଖିବାକୁ ମିଳିନଥିଲା ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା । ଉପନିର୍ବାଚନରେ ବି ସମାନ ସ୍ଥିତି ଦେଖାଦେଇପାରେ ବୋଲି ସମ୍ଭାବନା ରହିଛି । ଅନ୍ୟପଟେ କଂଗ୍ରେସ ଦଳୀୟ କନ୍ଦଳରୁ ବାହାରିପାରୁନି । ତଥାପି ଦଳ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ପ୍ରଚାର କରିପାରେ । ସେପଟେ ଶାସକଦଳ ବିଜେଡି ଚଳିତ ଉପ ନିର୍ବାଚନରେ ନୂଆ ଯୋଜନାରେ ମଇଦାନକୁ ଓହ୍ଲାଇବ । ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଦଳ ରଣନୀତିରେ ପରିବର୍ତ୍ତନ କରିପାରେ । ଅଧିକାଂଶ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ୱ ଦେଇପାରେ ଦଳ । ପଶ୍ଚିମ ଓଡ଼ିଶାର ସ୍ଥିତି ଓ ସେଠାର ଲୋକଙ୍କ ଆବଶ୍ୟକତାକୁ ସେହି ଅଞ୍ଚଳର ନେତା ହିଁ ଠିକ୍ ଭାବେ ବୁଝିପାରିବେ । ତେଣୁ ଏପରି ରଣନୀତି ପ୍ରସ୍ତୁତ କରୁଛି ବିଜେଡି ।
Support Independent Journalism? Keep us live.

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ । କିଶୋର କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ । ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢ଼ିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା । ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ରାଧାରାଣୀ ଗତ ୨୦୧୪ ମସିହାରେ ଏହି ଆସନରେ ବିଜେପିରୁ ୫୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପରାଜୟ ବରଣ କରିଥିଲେ।

ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ହେବ ମତଦାନ । ଜୁନ ୩ ତାରିଖରେ ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ । ଏଥିପାଇଁ ୨୭୯ ବୁଥ ବ୍ୟବସ୍ଥା କରାଯାଇଛି । ନିର୍ଵାଚରେ ୨୦ ଟି ଆଦର୍ଶ ବୁଥ କରାଯାଇଥିବାବେଳେ ୫ ଟି ପିଙ୍କ ବୁଥ କରାଯାଇଛି । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳକୁ ସହଯୋଗ କରିବାକୁ ଅନୁରୋଧ କରିଛି ।
Comments are closed.