ଶହୀଦ ଲକ୍ଷ୍ମଣ ନାୟକ – ଏ ଜାତିର ଚିର ନମସ୍ୟ

ଶହୀଦ ଲକ୍ଷ୍ମଣ ନାୟକ – ଏ ଜାତିର ଚିର ନମସ୍ୟ

Date:

ଇନ୍‌ସାଇଟ୍‌ ବ୍ୟୁରୋ:  ଶହୀଦ ଲକ୍ଷ୍ମଣ ନାୟକ ଥିଲେ ସରଳତା , ନିର୍ଭୀକତା ଓ ସଂଗ୍ରାମର ପ୍ରତୀକ । ଜନଜାତି ଅସ୍ମିତା ଓ ସ୍ବାଭିମାନର ସେ ଥିଲେ ପରିଚୟ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସେ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଜଣେ ପରିଚିତ ଚେହେରା ଭାବେ ସାମ୍ନାକୁ ଆସିଥିଲେ । ବନବାସୀ ଙ୍କ ଉପରେ ହେଉଥିବା ଅତ୍ୟାଚାର, ଅନାଚାରର ବିରୋଧ ସହ ସବୁପ୍ରକାର ଶୋଷଣର ଅବସାନ ନିମନ୍ତେ ଶହୀଦ ଲକ୍ଷ୍ମଣ ନାୟକ ଜୀବନର ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ ।

- Advertisement -

ଶହୀଦ ଲକ୍ଷ୍ମଣ ନାୟକ ଶହୀଦ ହେବା ପୂର୍ବରୁ କହିଥିଲେ ଯେ – “ଏହା ଆମର ଅନ୍ତିମ ସଂଗ୍ରାମ। ମୋର ମୃତ୍ୟୁ ହେଲେ ମଧ୍ୟ ଦେଶ ସ୍ୱାଧୀନତା ହାସଲ କରିବ। ତାପରେ ଦେଶର ଶାସନ ଭାର କଂଗ୍ରେସ ଉପରେ ନ୍ୟସ୍ତ ହେବ। ମୋର ସେହି ଶାସନ କରିବାକୁ ଥିବା ନେତୃବୃନ୍ଦଙ୍କୁ ଅନୁରୋଧ, ସେମାନେ ଏପରି କାର୍ଯ୍ୟ କରିବେ ଯାହାଦ୍ୱାରା କି ମୋର ଅର୍ଦ୍ଧ-ନଗ୍ନ ଓ ଅର୍ଦ୍ଧ-ଭୁକ୍ତ ଭାଇ ଓ ଭଉଣୀମାନେ ନିଜ ଶରୀରକୁ ଘୋଡାଇବା ପାଇଁ ଖଣ୍ଡେ କନା ଓ ପେଟର ଭୋକକୁ ଦୁର କରିବାକୁ ମୁଠାଏ ଦାନା ଯେପରି ପାଇବେ। ତାହାହେଲେ ହିଁ ମୋର ଆତ୍ମା ଶାନ୍ତି ପାଇବ।”

ଶହୀଦ ଲକ୍ଷ୍ମଣ ନାୟକ, ଫାଶୀଖୁଣ୍ଟରେ ଶହୀଦ ହେବା ସମୟରେ ଗାନ୍ଧିଜୀଙ୍କ ଭଳି ପବିତ୍ର “ରାମ” ନାମ ଉଚ୍ଚାରଣ କରିଥିଲେ। ସେ “ମାଲକାନଗିରିର ଗାନ୍ଧି” ଭାବରେ ପରିଚିତ ଥିଲେ। ଲକ୍ଷ୍ମଣ ନାୟକଙ୍କ ଜନ୍ମ ନଭେମ୍ବର ୨୨ ତାରିଖ କୋରାପୁଟ ଜିଲ୍ଲାର ମାଲକାନଗିରି ସବ-ଡିଭିଜନର ତେନ୍ତୁଳିଗୁମ୍ମା ଗ୍ରାମରେ ହୋଇଥିଲା । ଗାଁଟି କୋଲାବ ନଦୀ କୂଳରେ ଅବସ୍ଥିତ ଥିଲା ,ଏହି ଗାଁଟି ରେ ବିଭିନ୍ନ ଜନଜାତିର ଲୋକ ଏକାଠି ରହୁଥିଲେ। ଲକ୍ଷ୍ମଣ ନାୟକ ଭୁମିୟା ଜାତୀୟ ପରିବାରରେ ଜନ୍ମ ହୋଇଥିଲେ ।

ଲକ୍ଷ୍ମଣ ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସି ଭୁମିୟାଙ୍କ କନ୍ୟା ମଙ୍ଗୁଳିଙ୍କୁ ବିବାହ କରିଥିଲେ । ଲକ୍ଷ୍ମଣ ନାୟକଙ୍କ ପିତା ଜଣେ ମୁସ୍ତାଦାର ଭାବରେ ଅବସ୍ଥାପିତ ହୋଇଥିଲେ ଯାହାଙ୍କର କାମ ଥିଲା ଖଜଣା ଆଦାୟ କରିବା। ୧୯୩୦ ମସିହାରେ ପିତା ପଦଲମ୍ ବୟସ ଅଧିକ ହେବା କାରଣରୁ ଅବସର ନେବାପରେ ଲକ୍ଷ୍ମଣଙ୍କୁ ମୁସ୍ତାଦାର ଭାବରେ ନିଯୁକ୍ତ କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବେ ପରିଚିତ ହୋଇଥିଲେ । ମୁସ୍ତାଦାର ଭାବେ ନିଯୁକ୍ତ ହେବା ପରେ ଲକ୍ଷ୍ମଣ ନିଜ ଗାଁରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁର ଲୋକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାକୁ ଚେଷ୍ଟା କରିଥିଲେ। ତାଙ୍କର ମୂଳ ଲକ୍ଷ୍ୟ ଥିଲା ଗ୍ରାମ ତଥା ଗ୍ରାମବାସୀଙ୍କର ସମୁହ ଉନ୍ନତି।

ପିଲାଦିନରୁ ଲକ୍ଷ୍ମଣ ଅନ୍ୟାୟ ଓ ନିର୍ଯାତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସୁଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାକୁ ଦମନ କରିବା ପାଇଁ ବ୍ରିଟିଶ ସରକାର ଅନେକ ଅତ୍ୟାଚାର କରିବା ସହିତ ନୂତନ ଟିକସ ଲାଗୁ କରିଥିଲେ । ଏହି ସମୟରେ ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ କରିଥିଲେ ଯେଉଁଥିରେ କି ଆଦିବାସୀମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । ଏହି ସମୟରେ ଲକ୍ଷ୍ମଣ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ଆଦିବାସୀ ବିଦ୍ରୋହୀ ନେତାଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା ।

ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ସେ ଯୋଗଦାନ କରି ମହାତ୍ମା ଗାନ୍ଧିଙ୍କ ଦର୍ଶିତ ଆଦର୍ଶ ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ । ତାଲିମ ଶିବିରରୁ ଫେରି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାର କରିଥିଲେ । ପଶୁବଳିକୁ ବିରୋଧ କରିବା ସହ ନିଜର “ତିଶାରି” ବୃତ୍ତିରେ ଆଉ ପଶୁବଳି ଦେଇନଥିଲେ ସେ । ଗାଁକୁ ଗାଁ ବୁଲି ଲୋକଙ୍କୁ ନିର୍ଭିକ ହେବାକୁ କହିବା ସହ ସରକାରଙ୍କୁ ଟିକସ ନ ଦେବା, ଅହିଂସା ମାର୍ଗରେ ପରିଚାଳିତ ହେବା ତଥା ମଦ୍ୟପାନ ତ୍ୟାଗ କରି ଶୃଙ୍ଖଳିତ ଜୀବନ ଧାରଣ କରିବା ନିମନ୍ତେ ପ୍ରଚାର କରୁଥିଲେ । ମାତ୍ର ମୁସ୍ତାଦାର ହୋଇ ଲୋକଙ୍କୁ ଟିକସ ନ ଦେବା ପାଇଁ କହିବାର ପରିଣାମ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ଘୋଷଣା କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇ ନିଆଯାଇଥିଲା ।

ଲକ୍ଷ୍ମଣ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ମହାତ୍ମା ଗାନ୍ଧିଙ୍କ ଆହ୍ୱାନର ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ । ପରବର୍ତ୍ତୀ ସମୟରେ ୧୯୪୨ ମସିହାରେ କଂଗ୍ରେସ “ଭାରତ ଛାଡ” ପ୍ରସ୍ତାବ ଆଗତ କରିଥିଲା । ଲକ୍ଷ୍ମଣ ନାୟକ ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ବଳରାମ ପୁଜାରୀଙ୍କ ଦ୍ୱାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ୱାଧିନତା ନିମନ୍ତେ ଅହିଂସା ଦ୍ୱାରା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ ।

ପରବର୍ତ୍ତୀ କାଳରେ ଜନ ଆନ୍ଦୋଳନରେ ୧୯୪୨  ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ ଥିଲା ଅହିଂସାପୂର୍ଣ୍ଣ ଭାବରେ ଥାନା ଉପରେ ତ୍ରିରଙ୍ଗା ପତାକା ଉଡାଇବା । ଆନ୍ଦୋଳନର ଦମନ ନିମନ୍ତେ ପୁଲିସ ଆନ୍ଦୋଳନକାରୀ ମାନଙ୍କ ଉପରେ ଲାଠିମାଡ କରିବା ସହ ଲକ୍ଷ୍ମଣ ନାୟକଙ୍କୁ ନିସ୍ତୁକ ମାଡ ମାରିଥିଲେ ଓ ତାଙ୍କର ନିଶକୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ । ମାତ୍ର ଅତ୍ୟାଚାର ପରେ ମଧ୍ୟ କର୍ମୀମାନେ ଆଗକୁ ବଢିଚାଲିବାରୁ ପୁଲିସ ସେମାନଙ୍କ ଉପରେ ଗୁଳିଚାଳନା ଆରମ୍ଭ କରିଦେଇଥିଲା ଯାହାର ଫଳସ୍ୱରୂପ ଅନେକ କର୍ମୀ ମୃତାହତ ହୋଇଥିଲେ । ଏହି ଗୁଳିକାଣ୍ଡରେ ଫରେଷ୍ଟଗାର୍ଡ ଜି. ରାମୟାର ମୃତ୍ୟୁ ହେଇଥିଲା ।

ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ପାଇନଥିଲା । ପରେ ପୁଲିସ ତାଙ୍କୁ ଫେରାର ଘୋଷିତ କରି ମିଥ୍ୟା କେଶରେ ଫରେଷ୍ଟଗାର୍ଡ ଜି. ରାମୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା । ଏହା ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଳିଗୁମ୍ମାକୁ ଫେରି ଆସିଥିଲେ ।

୧୯୪୨ ମସିହା ସେପ୍ଟେମ୍ବର ମାସ ୨ ତାରିଖରେ ତେନ୍ତୁଳିଗୁମ୍ମାରୁ ଲକ୍ଷ୍ମଣଙ୍କୁ ଗିରଫ କରାଯାଇଥିଲା। କୋରାପୁଟର ଅତିରିକ୍ତ ସେସନ୍ସ ଜଜ ଭି. ରାମନାଥଙ୍କ କୋର୍ଟରେ ବିଚାର କରାଯାଇ ଜି. ରାମୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ଓ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।

ଶହୀଦ ଲକ୍ଷ୍ମଣ ନାୟକ ତାଙ୍କର ବଳିଦାନ ପାଇଁ ଯେ ସର୍ବଦା ବିରତ୍ୱର ପ୍ରତୀକ ହୋଇ ରହିଥିବେ ଏହା ନିଃସନ୍ଦେହ।

Share post:

Popular

More like this
Related

ISKCON Jagannatha Ratha Jatra Row- Impasse Must End

TNI bureau: A deep spiritual conflict has emerged between...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...