ଓଡ଼ିଆ ଭାଷା ପ୍ରେମୀ ଜାଗ୍ରତ ହୁଅନ୍ତୁ

ବିଶ୍ୱରାଜ ନାୟକଙ୍କ କଲମରୁ: ବେଙ୍ଗାଲୁରୁରେ “Delicious Pakhal” ( ଡେଲିସିଅସ୍ ପଖାଲ୍ ) ନାମରେ ଏକ ଭୋଜନାଳୟ ଅଛି, ଓ ନାମରୁ ପ୍ରତ୍ୟେୟ ହୁଏ ଯେ କେହି ଓଡ଼ିଆ ଉଦ୍ୟୋଗପତି ଏହାକୁ ଖୋଲିଥିବେ। । ସେ ସଂସ୍ଥା ନିଜ ନାମ ଫଳକରେ କନ୍ନଡ, ଇଂରାଜୀ ଓ ଓଡ଼ିଆରେ ନିଜ ସଂସ୍ଥା ନାମକୁ ଲେଖିଥିଲେ। ପଖାଳ ସ୍ଥାନରେ କାହିଁକି ପଖାଲ୍ ଲେଖିଥିଲେ, ତାହା କହିବା କଷ୍ଟ, କାରଣ ପଖାଲ୍ ଶବ୍ଦର ପ୍ରଚଳନ ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ମଧ୍ୟ ଦେଖିବାକୁ ମିଳେ ।

ପରବର୍ତ୍ତୀ ସମୟରେ ଏକ ଭିଡ଼ିଓ ଭାଇରାଲ୍ ହେଲା, ଓ ସେ ଭିଡ଼ିଓରେ ଦେଖିବାକୁ ମିଳିଲା କିଛି ସ୍ଥାନୀୟ ଲୋକ ଓଡ଼ିଆରେ ଲେଖା ହୋଇଥିବା ନାମ ଫଳକକୁ ବିରୋଧ କରିବାର। ପରବର୍ତ୍ତୀ ସମୟରେ ସଂସ୍ଥା ଓଡ଼ିଆ ଲେଖାକୁ ଲିଭେଇ ଦେଲେ। କନ୍ନଡ଼ ଓ ଇଂରାଜୀ ପୂର୍ବବତ୍ ରହିଲା ।

ଏହି ଘଟଣାକୁ ନେଇ ଆମେ ଓଡ଼ିଆ କି ପ୍ରକାର ପ୍ରତିକ୍ରିୟା ଦେବା କଥା ? ମୁଁ ବେଙ୍ଗାଲୁରୁରେ ବହୁ ବର୍ଷ ରହିଛି, ଓ ସେଠିକା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଓଡ଼ିଶା ଲୋକଙ୍କ ପ୍ରତି ଦ୍ୱେଷ ଥିବା ଭଳି ମୋର କେବେ ଅନୁଭବ ହୋଇ ନାହିଁ। ତେଣୁ, ଏ ପ୍ରସଙ୍ଗକୁ ମୁଁ ସେମାନଙ୍କର ନିଜ ଭାଷା ପ୍ରତି ଥିବା ଭଲ ପାଇବା ବା ଅନୁରକ୍ତି ଭାବେ ନେବି ।

କୁହାଯାଏ, ଯେ ଦେଶେ ଯାଇ, ସେ ଫଳ ଖାଇ। କର୍ଣ୍ଣାଟକରେ କନ୍ନଡ଼ ଭାଷାର ପ୍ରାଧାନ୍ୟ ରହିବା କୌଣସି ଭାବେ ନିନ୍ଦନୀୟ ନୁହେଁ। ବିବିଧତା ମଧ୍ୟେ ଏକତା – ଇଏ ଆମ ଭାରତୀୟ ପରିଚୟର ବୈଶିଷ୍ଟ୍ୟ। ବର୍ତ୍ତମାନ, ହିନ୍ଦୀ ଭାଷାକୁ ଯେପରି ସର୍ବ ଭାରତୀୟ ଭାଷା କରିବାର ପ୍ରୟାସ ଚାଲିଥିବାର ଅଭିଯୋଗ ଆସୁଛି, ସେ ପରିପ୍ରେକ୍ଷୀରେ ନିଜ ଆଂଚଳିକ ଭାଷାକୁ ନେଇ ସେମାନେ ଅଧିକ ସମ୍ବେଦନଶୀଳ ଥିବେ, ଓ ଓଡ଼ିଆଙ୍କ ପ୍ରତି ଦ୍ୱେଷ ନ ଥାଇ ମଧ୍ୟ ଓଡ଼ିଆ ଭାଷା ରୋଷର ଶୀକାର ହେଲା ।

କିନ୍ତୁ, ଆମ ପାଇଁ ଚିନ୍ତାର ବିଷୟ, ଓଡ଼ିଶାରେ ଓଡ଼ିଆ ଭାଷାରେ “ନାମ ଫଳକ” ଲେଖିବା ଆଇନ୍ ଥାଇ ମଧ୍ୟ ତାହା ବାସ୍ତବରେ କାର୍ଯ୍ୟକାରୀ ହେବା ଆମେ ଦେଖିବାକୁ ପାଉଛୁ କି ? ଅନ୍ୟ ରାଜ୍ୟରେ ଆମ ଭାଷାକୁ ବିରୋଧ ହେଲେ, ଆମେ ସାମାଜିକ ଗଣମାଧ୍ୟମ, ଇଣ୍ଟରନେଟରେ କ୍ଷୋଭ, ବିରୋଧ, କ୍ରୋଧ ପ୍ରକାଶ କରି ଆତ୍ମ-ସନ୍ତୋଷ ଲାଭ କରୁଛୁ, କିନ୍ତୁ ନିଜ ରାଜ୍ୟରେ ଆମ ନିଜ ମାତୃଭାଷାକୁ ହତାଦାର ହେଉଥିଲେ ମଧ୍ୟ ଆମେ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ।

ଆମେ ଚୁପ୍ ନ ରହିବୁ ବା କାହିଁକି ? ଆମ ଓଡ଼ିଆଙ୍କର ଆମ ନିଜ ସଂସ୍କୃତି, ଚଳଣୀ, ଭାଷା ପ୍ରତି ଆମ ନିଜ ମନରେ ପ୍ରଚୁର ଅସୂୟା ଭାବ। ‘ ମୋତେ ଓଡ଼ିଆ ଆସୁନି ‘ – ଇଏ ଏକ ଫ୍ୟାସନ ଷ୍ଟେଟମେଣ୍ଟ। ହିନ୍ଦୀ ଭଲ କହିବା ପାଇଁ ଆମର ଅହେତୁକ ଆଗ୍ରହ। ବଙ୍ଗାଳୀ ଲୋକଙ୍କୁ ଦେଖିଲେ ବଙ୍ଗାଳୀରେ କଥା ହେବା, ବିହାରୀ – ୟୁପି ଲୋକଙ୍କ ସହ ହିନ୍ଦୀରେ କଥା ହେବା ଆମ ଆମ ଭାଷା-ଜ୍ଞାନର ସଫଳତାର ମାପ ଦଣ୍ଡ ।

Support Independent Journalism? Keep us live.

ହଳଦୀ, ମେହେନ୍ଦି, ଜୋତା ଚୋରି ପାଲଟିଛି ଆଜି ଆମ ବାହାଘର ରୀତିନୀତିର ଅଂଶବିଶେଷ, କିନ୍ତୁ କୁଙ୍କୁମ ଟୀକା, ପାଲିଙ୍କି, ସବାରୀ, କଉଡ଼ି ଖେଳ, ଦହି-ହାଣ୍ଡି – ମୁଦି ଖେଳ ଆଜି ଗୌଣ। ଗୋଦଭରାଇ ଆମ ଗର୍ଭ ସଂସ୍କାରର ଅଂଶ ପାଲଟିଛି, କିନ୍ତୁ ସାଦ ଆମ ପାଇଁ ଅନାବଶ୍ୟକ। ଦାଣ୍ଡିଆ, ସିନ୍ଦୂର ଖେଳ ଆଜି ଆମ ଦୁର୍ଗା ପୂଜାର ପ୍ରମୁଖ ଆକର୍ଷଣ ପାଲଟି ସାରିଛି ।

ତେଣୁ ଏ ଜାତି, ନିଜ ଭାଷା ପ୍ରତି ଉଦାସୀନ ରହିବା ଏକ ଗୁରୁତର ପ୍ରସଙ୍ଗ କି?

ଆପଣ, ନାମ ଫଳକକୁ ଓଡ଼ିଆ ଓ ଅନ୍ୟାନ୍ୟ ରାଜ୍ୟ ଲୋକଙ୍କ ପାଇଁ ଇଂରାଜୀରେ ଲେଖିବାକୁ ଦାବୀ କରନ୍ତୁ, ହିନ୍ଦୀ ପ୍ରତି ଅହେତୁକ ଦୁର୍ବଳତା ରଖିଥିବା ଏହି ଛଦ୍ମବେଶୀ ଓଡ଼ିଆ ପ୍ରଥମେ ଚିତ୍କାର କରିବେ, :- ” ଓଡ଼ିଆରେ ଲେଖିବାର ଅଛି ଲେଖ, କିନ୍ତୁ ତା ପରେ ହିନ୍ଦୀରେ ଲେଖ। ଇଂରାଜୀ ଏକ ବିଦେଶୀ ଭାଷା। ହିନ୍ଦୀ ଆମ ସ୍ୱଦେଶୀ ଭାଷା ।”

ବିଦେଶୀ – ସ୍ୱଦେଶୀ ଭାଷାର ଜ୍ଞାନ ବାଣ୍ଟୁଥିବା ଏହି ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟ କେବଳ ଦୁଇଟି । ପ୍ରଥମ : ପ୍ରସଙ୍ଗକୁ ବିବାଦୀୟ କରି ଏହାର ଗୁରୁତ୍ଵ ହ୍ରାସ କରିବା। ଦ୍ଵିତୀୟ : ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ସର୍ବଗ୍ରହଣୀୟ କରିବା, ସର୍ବ ଭାରତୀୟ ଭାଷା କରିବା, ଯାହାକୁ ଅନେକ ରାଜ୍ୟ Hindi Imposition ନାମରେ ବିରୋଧ କରୁଛନ୍ତି ।”

ତେଣୁ, ଓଡ଼ିଶାକୁ ଭଲ ପାଉଥିବା ପ୍ରତିଟି ଓଡ଼ିଆଙ୍କୁ ଅନୁରୋଧ, ନିଜ ଅଞ୍ଚଳରେ ପ୍ରତିଟି ଦୋକାନୀକୁ ଅନୁରୋଧ କରନ୍ତୁ ନିଜ ଫଳକରେ ଓଡ଼ିଆରେ ଲେଖିବାକୁ ଓ ଦ୍ଵିତୀୟ ଭାଷା ଭାବେ ଇଂରାଜୀ ବ୍ୟବହାର କରିବାକୁ । ଓଡ଼ିଆ ଏ ରାଜ୍ୟର ଭାଷା, ତେଣୁ ଓଡିଆରେ ଲେଖାଯିବ। ଇଂରାଜୀ ବ୍ୟବହାର କଲେ ତାମିଲ, ତେଲୁଗୁ, ଆସାମୀ, ନାଗା, ବିହାରୀ , ବଙ୍ଗାଳୀ ସମସ୍ତେ ପଢ଼ି ପାରିବେ ।

ଜୟ ଜଗନ୍ନାଥ ।
ଜୟ ଓଡ଼ିଶା । 🙏

Comments are closed.