ସଦା ସର୍ବଦା ମନେ ରହିବେ ବିଜୁ ବାବୁ

ବିଶ୍ୱରାଜ ନାୟକଙ୍କ କଲମରୁ: ପଞ୍ଚାୟତରାଜ ବ୍ୟବସ୍ଥା ସହ ଓଡ଼ିଶାର ସମ୍ପର୍କ ୧୯୪୮ ମସିହାରୁ । ୧୯୬୧ ମସିହାରେ “ତ୍ରିସ୍ତରୀୟ ପଞ୍ଚାୟତ ରାଜ” ବ୍ୟବସ୍ଥାର ପ୍ରଚଳନ ହେଲା ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ । ଗଣତନ୍ତ୍ରର ଉଦ୍ଦେଶ୍ୟକୁ ସାଧିତ କରିବା ପାଇଁ, ତୃଣ ମୂଳ ସ୍ତରରେ ଶାସନକୁ ପହଞ୍ଚାଇବା ପାଇଁ ଓ ତୃଣମୂଳ ସ୍ତରର ସାଧାରଣ ଜନତାଙ୍କୁ ଶାସନରେ ଭାଗିଦାରୀ ଦେବା ପାଇଁ, ବିଜୁ ବାବୁଙ୍କ ଏ ପ୍ରୟାସ ନିଶ୍ଚିତ ରୂପେ ପ୍ରସଂଶଯୋଗ୍ୟ ଓ ଚିର ସ୍ମରଣୀୟ। ସତୁରୀ ଦଶକରେ ପ୍ରତି ପଞ୍ଚାୟତ ସ୍ତରରେ ଶିଳ୍ପକୁ ପ୍ରୋତ୍ସାହନ ଦେବା, ଯୁବକଙ୍କୁ ଉତ୍ସାହିତ କରିବା ପାଇଁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ରାଶିର ପୁରସ୍କାର ଘୋଷଣା କରିବା ନିଶ୍ଚିତ ରୂପେ ବିଜୁ ବାବୁଙ୍କ ଦୂରଦୃଷ୍ଟିର ସ୍ୱାକ୍ଷର ବହନ କରେ। ନବେ ଦଶକରେ, ଶାସନ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବିଜୁ ବାବୁ ସମାବେଶୀ ସମାଜ ( Inclusive Society) ରେ ରଖିଥିବା ବିଶ୍ଵାସର ନିଦର୍ଶନ। ଜୟ ପ୍ରକାଶ ନାରାୟଣ, ଚେଷ୍ଟର ବାୱେଲ ପରି ଅନେକ ପ୍ରମୁଖ ବ୍ୟକ୍ତିତ୍ଵ ପଞ୍ଚାୟତ ରାଜ ଦିଗରେ ବିଜୁ ବାବୁଙ୍କ ପ୍ରଚେଷ୍ଟା, ଅବଦାନ ଓ ଅସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଚେଷ୍ଟର୍ ବାୱେଲ ତାଙ୍କ ପୁସ୍ତକ ” The making of a just society” ରେ ଲେଖିଥିଲେ ଯେ ବିଜୁ ବାବୁଙ୍କ ପଞ୍ଚାୟତ ଶିଳ୍ପାୟନ ସ୍ବପ୍ନକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଗଲେ ଓଡ଼ିଶା ଜାପାନ ହୋଇ ପାରିବ।

କିନ୍ତୁ, ଏହି ପ୍ରବାଦ ପୁରୁଷ, The Legendary Tall man, ବିଜୁ ପଟ୍ଟନାୟକଙ୍କ ପରିଚୟ କଣ କେବଳ ଏହି ପଞ୍ଚାୟତ ରାକ ବ୍ୟବସ୍ଥା ମଧ୍ୟରେ ସୀମିତ ? ଏକ ଖାଣ୍ଟି ଓଡ଼ିଆ ପ୍ରାଣ, ଓଡ଼ିଆ ମନସ୍କ ରାଜନେତା ଥିଲେ ସେ। ଗଣ ଦ୍ଵାରା ତନ୍ତ୍ର ହିଁ ଗଣ ତନ୍ତ୍ର – ଏହା ଥିଲା ବିଜୁ ବାବୁଙ୍କ ବିଶ୍ୱାସ। ନିଜ ଦାୟିତ୍ୱ ଠିକ୍ ରେ ନିର୍ବାହ ନ କଲେ, ଅମଲାଙ୍କୁ ମାଡ଼ ମାରିବାକୁ ସେ ଦେଇଥିବା ଆହ୍ଵାନ ହେଉଛି ତାଙ୍କର ସେହି ବିଶ୍ଵାସର ପ୍ରତିଫଳନ। ଓଡ଼ିଆଙ୍କ ହାତରେ ଓଡ଼ିଶାର ବ୍ୟାପାର ବାଣିଜ୍ୟ ରହୁ – ଏହି ଅପ୍ରିୟ ଦାବୀକୁ ସେ ଉପସ୍ଥାପିତ କରିଥିଲେ ଆଂଚଳିକ ବାଦ୍ ର ପୁରୋଧା ବାଲା ସାହେବଙ୍କ ବହୁ ପୂର୍ବରୁ। ପାରାଦୀପ ବନ୍ଦର, ହାଲ୍ ( HAL), ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର, ବାଲିମେଳା ହାଇଡ୍ରୋ ପ୍ରୋଜେକ୍ଟ, ରାଉରକେଲା ଲୁହା କାରଖାନା, ବଡ଼ବିଲ ଲୁହା କାରଖାନା ପରି ଓଡ଼ିଶାରେ ଶିଳ୍ପାୟନର ସୂର୍ଯ୍ୟୋଦୟ ଘଟାଇ ପାରିଥିବା ବ୍ୟକ୍ତି ହେଉଛନ୍ତି ବିଜୁ ବାବୁ। ଭାରତୀୟ ପାଇଲଟ ହେଲେ ସେ ବିମାନ ଚଢ଼ିବାକୁ ମନା କରିଥିବା ବ୍ରିଟିଶ ସାହେବଙ୍କୁ ନିଜ ବିମାନରେ ନେଇ ନିର୍ଦ୍ଧୁମ ଖରାବେଳେ ନିର୍ଜନ ଇଲାକାରେ ଛାଡ଼ି ଦେଇ ତାତ୍ସଲ୍ୟର ସହ ଫେରି ଆସିଥିବା ଅଦମ୍ୟ ଭାରତୀୟ ହେଉଛନ୍ତି ବିଜୁ ବାବୁ। ବିଦ୍ୟୁତ୍ ଉତ୍ପାଦନ, ବିତରଣ ଓ ନିୟନ୍ତ୍ରଣର ବିକେନ୍ଦ୍ରୀକରଣ କରି ଘରୋଇ ନିବେଶ ପାଇଁ ଚେଷ୍ଟା କରିଥିବା ଭାରତର ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତା ହେଉଛନ୍ତି ବିଜୁ ବାବୁ। ସମୟ ଥିଲା, ନେହେରୁ ବ୍ୟକ୍ତିଗତ ଆଲୋଚନା ସମୟରେ ବିଜୁ ବାବୁଙ୍କୁ ନିଜ ଉତ୍ତରାଧିକାରୀ ଭାବେ ମଧ୍ୟ ବର୍ଣ୍ଣନା କରିଥିଲେ, ଯଦିଓ ପରବର୍ତ୍ତୀ ସମୟରେ ବିଜୁ ବାବୁଙ୍କ ସ୍ପଷ୍ଟ ଓ ଅପ୍ରିୟ କହିବା ଶୈଳୀକୁ ନେଇ ସେ ନିରାଶ ହୋଇଥିଲେ। ଖାରବେଳଙ୍କୁ ନିଜ ଆଦର୍ଶ ଭାବୁଥିବା ବିଜୁ ବାବୁ ଥିଲେ ଏକ ଗଣତାନ୍ତ୍ରିକ ଓଡ଼ିଶାର କପିଳେନ୍ଦ୍ର ଦେବ, ଯିଏ ରାଜ ପରିବାରର ଜନ୍ମ ନ ହୋଇ ନିଜ କାର୍ଯ୍ୟ ଓ ଦକ୍ଷତା ବଳରେ ଲୋକ – ସମ୍ରାଟ ହୋଇ ପାରିଥିଲେ।

Support Independent Journalism? Keep us live.

ତେବେ ଏଭଳି ଅସଂଖ୍ୟ, ଅଗଣିତ ଗୁଣ, ଦକ୍ଷତା , ଉପଲବ୍ଧି ଓ ଅବଦାନ ପାଇଁ ପ୍ରବାଦ ପୁରୁଷ ବନି ଯାଇଥିବା ବିଜୁ ବାବୁଙ୍କୁ କେବଳ ପଞ୍ଚାୟତ ରାଜ ବ୍ୟବସ୍ଥା ପାଇଁ ମନେ ରଖିବା କଣ ଯୁକ୍ତିଯୁକ୍ତ ? ନା ଏହା ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା, ଯାହା ସେହି ଉଚ୍ଚା ମଣିଷର ପରିଚୟକୁ ଛୋଟ କରି ଦେଉଥିଲା ? ଅକ୍ଟୋବର ୨ କୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରିବା ଦ୍ଵାରା ଆମେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଅବଦାନକୁ ନ୍ୟାୟ ଦେଇ ପାରୁ ନାହୁଁ। ଏହା ଏକ ଅପ୍ରିୟ ବାସ୍ତବତା । ଠିକ୍ ସେହି ପରି, ବିଜୁ ବାବୁଙ୍କ ଜୟନ୍ତୀକୁ “ପଞ୍ଚାୟତ ରାଜ ଦିବସ” ଭାବେ ପାଳନ କରିବା ଦ୍ଵାରା ଆମେ ତାଙ୍କ ବହୁବିଧ ଅବଦାନ ଓ ଉପଲବ୍ଧିକୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସୀମାବଦ୍ଧ ରଖି ଆସିଥିଲୁ ।

ବରଂ ଖୁସିର କଥା, ମୋହନ ସରକାର ବିଜୁ ବାବୁଙ୍କ ଜୟନ୍ତୀ ଓ ପଞ୍ଚାୟତରାଜ୍ ଦିବସକୁ ପୃଥକ୍ ଭାବେ ପାଳିବାର ଯେଉଁ ନିଷ୍ପତ୍ତି ନେଲେ, ତାହା ଦ୍ଵାରା ଆମେ ବିଜୁ ବାବୁଙ୍କ ବ୍ୟକ୍ତିତ୍ଵର ବିଭିନ୍ନ ଦିଗର ସ୍ମୃତି ଚାରଣ କରିବାର ସୁଯୋଗ ପାଇବୁ ଓ ସେହି ସବୁ ଦିଗ ମଧ୍ୟରେ ତାଙ୍କର ପଞ୍ଚାୟତରାଜ୍ ବ୍ୟବସ୍ଥା ଦିଗରେ ରହି ଆସିଥିବା ଅବଦାନ ଏକ ଅଂଶ ହୋଇ ରହିବ।

‘ ବିଜୁ ଜୟନ୍ତୀ ‘ ପ୍ରତିଟି ଓଡ଼ିଆଙ୍କୁ ଓଡ଼ିଆ ମନସ୍କ ,ଓଡ଼ିଆ ପ୍ରାଣ ହେବା ଦିଗରେ ଅନୁପ୍ରାଣିତ କରୁ।

 

Comments are closed.