ନବ ଦାସ ହତ୍ୟାକାଣ୍ଡ ରହସ୍ୟରୁ ପର୍ଦ୍ଦା ଉଠିବ କେବେ?

ଦିନ ଗଡ଼ିବା ସହ ନୂଆ ନୂଆ ରୋଚକ ତଥ୍ୟ ବଢ଼ାଉଛି ହତ୍ୟା ପଛର ରହସ୍ୟ!

ଇନ୍‌ସାଇଟ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୫ ଦିନ ବିତିଯାଇଥିବା ବେଳେ ହତ୍ୟା ଷଡଯନ୍ତ୍ର ଉପରୁ ଏଯାଏଁ ଉଠିପାରିନି ପର୍ଦ୍ଦା। ଦିନ ଗଡ଼ିବା ସହ ନୂଆ ନୂଆ ରୋଚକ ତଥ୍ୟ ବଢ଼ାଉଛି ହତ୍ୟା ପଛର ରହସ୍ୟ ଏବଂ ସନ୍ଦେହ। ନବ ଦାସଙ୍କୁ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ତୁଲାଉଥିବା ବେଳେ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେଇ କରୁଛି ମାରାଥନ ଜେରା।

ସୂଚନା ମୁତାବକ, ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଝାରସୁଗୁଡା ବିମାନ ବନ୍ଦର ଥାନାରେ ଏକ ହାତ ଲେଖା ଚିଠିକୁ ଚିରି ଲାଟ୍ରିନରେ ଫ୍ଳସ କରିବାର ସୂଚନା ପାଇବା ପରେ କିଛି ବଡ଼ ସୁରାଗ ପାଇବା ଆଶାରେ କ୍ରାଇମବ୍ରାଞ୍ଚ ରାତି ଅଧିଆ ଛାନଭିନ୍‌ କରିବା ସହ ବିମାନ ବନ୍ଦର ଥାନା ପାଇଖାନା ଟାଙ୍କିରେ ଖୋଳାଖୋଳି କରି ଗୋପାଳର ହାତ ଳେଖା ଚିଠିର କିଛି ଅଂଶ ହସ୍ତଗତ କରିଛି। ସାଇଣ୍ଟିଫିକ୍‌ ପରୀକ୍ଷାଗାରରେ କାଗଜକୁ ଯୋଡି ହତ୍ୟାର କାରଣ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି।

ମନ୍ତ୍ରୀ ନବ ଦାସଙ୍କ ପରି ପତିଆରା ଥିବା ଜଣେ ମନ୍ତ୍ରୀଙ୍କର ଏପରି ଜଣେ ପୋଲିସ କର୍ମୀଙ୍କ ଦ୍ବାରା ହତ୍ୟା ଓଡ଼ିଶା ଇତିହାସରେ ନୂଆଥିବା ବେଳେ ହତ୍ୟାକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟରେ ଲଢ଼େଇ ଥମୁନି। ହତ୍ୟାକାଣ୍ଡ ଦିନ ମୁଖ୍ୟମନ୍ତ୍ରୀ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିବା ବେଳେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ ତଦନ୍ତର ତଦାରଖ ଦାୟିତ୍ବରେ ଅଛନ୍ତି। ମାତ୍ର ତଦନ୍ତ ଦାୟିତ୍ବଭାରରେ ବିରୋଧି ସନ୍ତୁଷ୍ଟ ନଥିବା ବେଳେ କ୍ରାଇମବ୍ରାଞ୍ଚର ପୂର୍ବ ବାଟବଣା ଏବଂ ଫଳଶୂନ୍ୟ ତଦନ୍ତ ଉପରେ ଉଠାଇଛନ୍ତି ପ୍ରଶ୍ନ।

Support Independent Journalism? Keep us live.

ଗୋଟେ ପଟେ ହତ୍ୟାକାଣ୍ଡକୁ ନେଇ ବିରୋଧୀ ରାଜ୍ୟର ଗୃହ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାର କାର୍ଯ୍ୟ ଉପରେ ଅଙ୍ଗୁଳି ଉଠାଇଥିବା ବେଳେ ପୁଲିସ କର୍ମୀ ହତ୍ୟା କରିବା ଏବଂ ପୁଲିସ ବିଭାଗ ତଦନ୍ତ କରିଲେ କିପରି ନ୍ୟାୟ ମିଳିବ ପୋଲି କହିବା ସହ ସିବିଆଇ ତଦନ୍ତର ଦାବି କରିଛନ୍ତି। ଏଥିସହ ଅଭିଯୁକ୍ତ ଗୋପାଳ ଜଣେ ମାନସିକ ରୋଗୀ, ପାଇଖାନା ଟାଙ୍କିରୁ ଚିଠି ଆଦି ଘଟଣା ମାନ କେବଳ ତଦନ୍ତକୁ ବାଟବଣା କରିବା ସହ ସମୟ ଅପଚୟ କରି ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବାର ଯୋଜନା ବୋଲି କହୁଛନ୍ତି।

ଅନ୍ୟପଟେ ଶାସକ ଦଳ ହତ୍ୟାର ତଦନ୍ତ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କାହିଁକି ବିଜେପି ପକ୍ଷପାତିତା ଏବଂ ତଦନ୍ତ ଦିଗଭ୍ରଷ୍ଟ ଉପରେ ଅଙ୍ଗୁଳି ଉଠାଇ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି କହିଛି। ନ୍ୟାୟ ମିଳିବା ପାଇଁ ତଦନ୍ତ ହେଉଛି ମାତ୍ର ବିଜେପି ଏପରି ବାଉଳା ହେବା ପଛରେ ଅନ୍ୟ କିଛି କାରଣ ନାହିଁ ବୋଲି ଓଲଟା ପ୍ରଶ୍ନ କରିଛି ଶାସକ ଦଳ।

ହତ୍ୟାକାଣ୍ଡକୁ ନେଇ କେହି କୋଇଲା କଳି, ପୂର୍ବ ଶତ୍ରୁତା, ଶନି ଦଶା ପଡ଼ିବା ପରି ମତ ଦେଉଥିବା ବେଳେ ପୁଲିସ ବିଭାଗରେ ବହୁ ଦିନର ଧରି କାର୍ଯ୍ୟ କରୁଥିବା ଏବଂ ଗୁଡବୁକ୍‌ରେ ଥିବା ଗୋପାଳ କାହିଁକି ଏପରି କଲା? ଏହା ପଛରେ କାହାର ହାତ ଅଛି? କିଏ ସୁପାରି ଦେଇଥିଲା? ଏହି ସବୁ ପ୍ରଶ୍ନର ଉତ୍ତର କେବଳ ଆଗାମୀ ଦିନର ତଦନ୍ତ ହିଁ ଦେଇ ପାରିବ।

Comments are closed.