୫-ଟି ସଚିବଙ୍କ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ କାମ ସମୀକ୍ଷା
ନିର୍ମାଣସ୍ଥଳ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ ।
୫-ଟି ଉପକ୍ରମରେ ବରମୁଣ୍ଡା ବସ୍ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ପହଞ୍ଚିଥିଲେ । ନିର୍ମାଣସ୍ଥଳ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ । ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି । ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍ କାମ ସରିବ ବୋଲି ଜଣାଯାଇଛି । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଅନୁଯାୟୀ, ବରମୁଣ୍ଡା ବସ୍ ଟର୍ମିନାଲ ହେଉଛି ରାଜଧାନୀ ଭୁବନେଶ୍ୱରରେ ଓଡିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍ଜିଟ୍ ସିଷ୍ଟମ । ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ ହଜାର ବସ୍ ଚଳାଚଳ କରିପାରିବ। ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଥିବା ବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି । ଏଥିରେ ଫୁଡକୋର୍ଟ, Excavator, Elevator, ବହୁତଳୀୟ କାର୍ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ Pick-Up ଓ Drop-Off ବ୍ୟବସ୍ଥା ରହିବ । ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ । ଏଥିରେ Wi-Fi ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏତତ୍ବ୍ୟତିତ ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ବସ୍ ଟର୍ମିନାଲର ରୂପାନ୍ତର ପାଇଁ ସ୍ଥାନାନ୍ତରିତ ହୋଇଥିବା ଭେଣ୍ଡରମାନଙ୍କ ଥଇଥାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।
ଏହି ସମୀକ୍ଷା ସମୟରେ ପରିବହନ କମିଶନର ଅମିତାଭ ଠାକୁର, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତରାଜ କୁଲାଙ୍ଗେ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.