ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଲୋଚନାଚକ୍ର

TNI Bureau: ରାଜ୍ୟ ସଂଗ୍ରାହଳୟ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାଶ, କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ , ବିଜେପିର ଉପ ସଭାପତି ଗୋଲକ ମହାପାତ୍ର ଉପସ୍ଥିତ ରହିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଭାଷା ଗବେଷକ, ଭାଷାପ୍ରେମୀ, ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ରହିଥିଲେ ।
ଓଡ଼ିଆ ଭାଷାରେ ସରକାରୀ ସ୍ତରରେ ପ୍ରଚଳନ, ବ୍ୟବହାରିକ ଶବ୍ଦକୋଷ ପ୍ରସ୍ତୁତି, ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଚଳନ, ଓଡ଼ିଆ ଭାଷାର ସରଳୀକରଣ, ଡିଜିଟାଲାଜେସନ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଓଡ଼ିଆ ଭାଷା କିଭଳି ଅନ୍ୟ ଶାସ୍ତ୍ରୀୟ ଭାଷାର ସମକକ୍ଷ ହୋଇପାରିବ ଓ ଜାତୀୟସ୍ତରରେ ସ୍ୱତନ୍ତ୍ରତା ବଜାୟ ରଖିପାରିବ, ସେ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
Seminar by Culture Department on Odia Asmita

Support Independent Journalism? Keep us live.

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଆ ଅସ୍ମିତା ପାଇଁ ଓଡ଼ିଆ ଭାଷାର ଟେକ ରଖିବାକୁ କିଭଳି ଉନ୍ନତିକରଣ କରାଯାଇପାରିବ, ସେଥିପାଇଁ ନିଜସ୍ୱ ମତ ରଖିଥିଲେ ।
ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ମତାମତ ଶୁଣିବା ପରେ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ, ସେ ସମ୍ବନ୍ଧରେ ନିଜର ଅଭିଭାଷଣ ରଖିଥିଲେ । ଓଡ଼ିଆ ଭାଷାର ଅସ୍ମିତାକୁ ବଞ୍ଚାଇ ରଖିବାକୁ ହେଲେ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମତ ରଖିଥିଲେ । ସେ ମଧ୍ୟ ଆହୁରି କହିଥିଲେ-ଆମକୁ ଭାଷା ପାଇଁ ଶହେବର୍ଷ ଆଗକୁ ଯାଇ ଚିନ୍ତା କରିବାକୁ ପଡ଼ିବ । ଯେତେବେଳେ ଆମର ସମସ୍ତ ଉତ୍ତରପିଢ଼ି ମୋବାଇଲ କି ଟ୍ୟାବ୍ ବ୍ୟବହାର କରୁଥିବେ, ଭାଷାର ଅସ୍ତିତ୍ୱ ବୃଦ୍ଧି କରିବାକୁ ଭର୍ଚ୍ୟୁଆଲ ବ୍ୟବସ୍ଥା କରିବାକୁ ପଡ଼ିବ । ନଚେତ ଭାଷା ସଂକଟ ଦେଇ ଗତି କରିବ । ଓଡ଼ିଆ ଭାଷା ପାଇଁ ବଳୀଦାନ ଦେଇଥିବା ମହାପୁରୁଷ ଓ ସେମାନଙ୍କ ଲେଖାକୁ ଡ଼ିଜିଟାଲ ରୂପରେ ସାଇତି ରଖିବାକୁ ପଡ଼ିବ, ନଚେତ ଅନେକ ଅମୂଲ୍ୟଗ୍ରନ୍ଥ ଆମର ହାତଛଡ଼ା ହୋଇଯିବ ।
ଏହି କାର୍ଯ୍ୟକ୍ରମରେ ଭାଷାବିଜ୍ଞାନୀ ପ୍ରଫୁଲ୍ଲ ତ୍ରିପାଠୀ,ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦେଶକ ବସନ୍ତ କୁମାର ପଣ୍ଡା, ଅଧ୍ୟାପକ ବିଶ୍ୱରଞ୍ଜନ ,ଅଲେଖ ପଢ଼ିଆରୀ, ପଞ୍ଚାନନ ମହାନ୍ତି, କୀର୍ତ୍ତନ ନାରାୟଣ ପାଢ଼ୀ, ପବିତ୍ର ମହାରଥା, ଜାନକୀଶ ବଡ଼ପଣ୍ଡା, ଶ୍ରୀରାମ ଦାସ ,ଆଦିତ୍ୟ ଗଡ଼ନାୟକ, ଚକ୍ରଧର ମହନ୍ତ ,ପଞ୍ଚାନନ ନାୟକ,ହରିଶଙ୍କର ମିଶ୍ର,ସୁବ୍ରତ ପୃଷ୍ଟି,ନୃସିଂହ ଷଡ଼ଙ୍ଗୀ, ଅତୀଶ ମହାନ୍ତି , ସାଗର ଶତପଥୀ ଶୃତକୀର୍ତ୍ତି ତ୍ରିପାଠୀ ,ସାରଦା ପ୍ରସାଦ ମହାପାତ୍ର, ନବ କିଶୋର ପ୍ରଧାନ ,ନାରାୟଣ ସାହୁ , ଡ଼. ପ୍ରସନ୍ନ ମହାନ୍ତି,ସୁରଥ ବିଶ୍ୱାଳ, ଅମରେନ୍ଦ୍ର ମହାପାତ୍ର ,ଶ୍ରୀଗୋବିନ୍ଦଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ ପ୍ରଦାନ କରିଥିଲେ ରାଜ୍ୟ ସଂଗ୍ରାହଳୟର ନିର୍ଦ୍ଦେଶକ ଭାଗ୍ୟଲିପି ମଲ୍ଲ ।

Comments are closed.