ପ୍ରବାସୀ ଭାରତୀୟ ଦିବସ ଓ ଉଠା ଦୋକାନୀଙ୍କ କୋହ

ବିଶ୍ବରାଜ ନାୟକଙ୍କ କଲମରୁ: ରେଭେନ୍ସାରେ  ପଢ଼ିବା ବେଳେ ହେଉ ବା ବାଙ୍ଗାଲୋରରେ – ମୋର ଦୈନନ୍ଦିନ ଆବଶ୍ୟକତା ପାଇଁ ମୁଁ ନିର୍ଭରଶୀଳ ଥିଲି ରାସ୍ତା କଡ଼ର ଉଠା ଦୋକାନୀଙ୍କ ଉପରେ। ବାହାରେ ଖାଇବା, ସକାଳେ ଓ ସନ୍ଧ୍ୟାରେ କପେ ଚାହା ପିଇବା ଭଳି ଆଭିଜାତ୍ୟ-ପୂର୍ଣ୍ଣ  ବିଳାସ ସମ୍ଭବପର ହୋଇ ପାରିଥିଲା ଏହି ଉଠା ଦୋକନୀଙ୍କ ପାଇଁ। କଟକ କଲେଜ୍ ଛକ ପାଖରେ ଉଠା କାଚ ବାକ୍ସ ଭିତରେ ମିଳୁଥିବା ଡିଓ ସ୍ପ୍ରେ, ଏଫ୍. ଏମ ରେଡ଼ିଓ, ହାତ ଘଣ୍ଟା ଓ ଆଲାର୍ମ ଘଣ୍ଟା ଥିଲା ଆମ ଛାତ୍ର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ।

ସେହି ଛାତ୍ରାବାସରୁ ଆଜି ଅନେକ ବିଦେଶରେ ରହିଛନ୍ତି ନିଜ ଜୀବିକା ପାଇଁ, ଆଉ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆଜି ଆମେ କହୁଛୁ “ପ୍ରବାସୀ ଭାରତୀୟ” ! ସେହି ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ଏପରି କେହି ନ ଥିବେ ଯିଏ ଉଠା ଦୋକାନୀ ମାନଙ୍କ ସହ ଭାଇ ଭଳି ଚଳି ନ ଥିବେ, ବାକିରେ କିଛି କିଣି ନ ଥିବେ। ସେହି ମାନଙ୍କ ବାପା, ମା, ଓ ଅନ୍ୟାନ୍ୟ ସମ୍ପର୍କୀୟ ଆଜି ମଧ୍ୟ ଉଠା ଦୋକାନୀଙ୍କ ଉପରେ ନିର୍ଭରଶୀଳ ଥିବେ। ତେବେ ସେହି ମାନଙ୍କ ପାଇଁ ଯେଉଁ ଉତ୍ସବର ଆୟୋଜନ ହେଉଛି, ତାହାର ଶୀକାର ହେଉଛନ୍ତି ଉଠା ଦୋକାନୀ, ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି ?

Support Independent Journalism? Keep us live.

ଯଦି ଟ୍ରାଫିକ ସମସ୍ୟା ବା ନିରାପତ୍ତା ଦୃଷ୍ଟି କୋଣରୁ ଏମାନଙ୍କ ଦୋକାନ ଭଙ୍ଗାଯାଇ ଥାଆନ୍ତା, ତେବେ ମଧ୍ୟ ତାହା ଯୁକ୍ତିଯୁକ୍ତ ମନେ ହୋଇଥାନ୍ତା। କିନ୍ତୁ କେବଳ ସୋନ୍ଦର୍ଯ୍ୟକରଣ ନାମରେ ଏତେ ଗୁଡ଼ାଏ ଲୋକଙ୍କ ଭାତ ହାଣ୍ଡିରେ ଗୋଇଠା ମାରିବା କେତେଦୂର ଯୁକ୍ତିଯୁକ୍ତ ? ରାଜଧାନୀକୁ ସଜାଇ ଦେଇ ସେମାନଙ୍କୁ ଭୂତେଇ ହେବକି? ନିଜ ଗାଁ, ନିଜ ବନ୍ଧୁ ବାନ୍ଧବଙ୍କ ସହ ଦେଖା କରିବାକୁ ଗଲାବେଳେ ସେହି ପ୍ରବସୀ ଭାରତୀୟ ମାନେ କଣ ଦେଖୁ ନ ଥିବେ ଆମ ରାଜ୍ୟ, ଆମ ଦେଶର ବାସ୍ତବ ଚିତ୍ର ?

ଏଠି ଆଶାନୁରୂପ କର୍ମ ସଂସ୍ଥାନ ନ ପାଇ ନିଜ ମାଟି ଠାରୁ ଦୂରେଇ ଯାଇଥିବା ଲୋକଙ୍କୁ କି ପ୍ରକାର ଆକୃଷ୍ଟ କରିବେ ସରକାର ? କେବଳ ଉଠା ଦୋକାନୀଙ୍କୁ ଉଠେଇ ? ଖବରକାଗଜରେ ଯେତେବେଳେ ଦୁର୍ନୀତି, ଦାରିଦ୍ର୍ୟ, ଚାଷୀ ଆତ୍ମହତ୍ୟା ସମ୍ପର୍କରେ ପଢୁଛନ୍ତି ସେମାନେ, ସେତେବେଳେ କଣ ଛବି ମଳିନ ହେଉନି ସରକାରଙ୍କର ?

Comments are closed.