ଖରା ଓ ଗୁଳୁଗୁଳି ପରେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି ଅତିବାଇଗଣୀ ରଶ୍ମି

ଗ୍ରୀଷ୍ମପ୍ରବାହ ଯୋଗୁଁ ଲାଗୁଛି ଯେମିତି ସାରା ଓଡ଼ିଶା ଜଳିବା ଆରମ୍ଭ କରିଛି ସେଥିରେ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଛି ଅତିବାଇଗଣୀ ରଶ୍ମି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ମଧ୍ୟରେ ରହିବ।

Insight Bureau:  ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଚଳଚଞ୍ଚଳ ରାଜଧାନୀର ରାଜପଥ ଏବେ  ଖାଁଖାଁ । ଗ୍ରୀଷ୍ମପ୍ରବାହ ଯୋଗୁଁ ଲାଗୁଛି ଯେମିତି ସାରା ଓଡ଼ିଶା ଜଳିବା ଆରମ୍ଭ କରିଛି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। କିଏ ଗଛ ତଳ ତ ଆଉ କିଏ ରାସ୍ତାକଡ଼ ଉଠା ଦୋକାନରେ ଛାଇ ଟିକେ ଖୋଜୁଛି । ଏପଟେ ତାତି ବଢିବା ପରେ ତରଭୂଜ, ସର୍ବତ ଓ ଲସି ଦୋକାନରେ ଗରାଖଙ୍କ ଭିଡ଼ ଦେଖିବାକୁ ମିଳୁଛି । କାଳବୈଶାଖୀ ପ୍ରଭାବ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲା । ମାତ୍ର ୪ ଦିନ ହେଲା ପାରଦ କ୍ରମାଗତ ଚଢିବାରେ ଲାଗିଛି । ଆସନ୍ତା ଦିନରେ ତାପମାତ୍ରା ଆଉ ୩ରୁ ୫ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫଳରେ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ୪୪ ଡ଼ିଗ୍ରୀ ତାତି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ରହିଥିବାବେଳେ ଅନ୍ୟ ୨୭ଟି ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ସେହିପରି ୧୬ଟି ସହରରେ ୪୨ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବାବେଳେ ୮ଟି ସହରରେ ୪୩ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ଥିବା ରେକର୍ଡ ହୋଇଛି ।

Support Independent Journalism? Keep us live.

ଦିନ ସାରା ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରୁଛି । ସଂଧ୍ୟା ସାଢ଼େ ୬ଟା ଯାଏ ତାତିର ପ୍ରଭାବ ଅନୁଭୂତ ହେଉଛି ।  ଅନ୍ୟପଟେ ସୂର୍ଯ୍ୟଙ୍କ କିରଣ ଗତକାଲି ଟିକେ ଭିନ୍ନ ଥିଲା ।  ୫ ମିନିଟ୍‌ ବି ଖରାରେ ଠିଆ ହେବା ଅସହ୍ୟ ହୋଇପଡ଼ିଥିଲା ସମସ୍ତଙ୍କ ପାଇଁ । ଏ ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଧିକ ତାପମାତ୍ରା ସହିତ ଅତ୍ୟଧିକ ଅତିବାଇଗଣୀ ରଶ୍ମି ଓ ସୂର୍ଯ୍ୟ ଉତ୍ତାପ ମଣିଷ ପାଇଁ କ୍ଷତିକାରକ ସାଜିବ । ଗତକାଲି  ଭୁବନେଶ୍ବରରେ ଅତିବାଇଗଣୀ ରଶ୍ମି ବିକିରଣ ଇଣ୍ଡେକ୍ସ ୧୨ ରହିଥିବା ନେଇ ସୂଚନା ମିଳିଛି  । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହା ଏହିଭଳି ରହିବ। ସୌରତାପରେ ଅତିବାଇଗଣୀ ରଶ୍ମିର ଇଣ୍ଡେକ୍ସ ଅଧିକ ରହିବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହାର ମାତ୍ରା ଅଧିକ ରହିବା ନେଇ ଆକଳନ କରାଯାଇଛି । ଏହି ସମୟରେ ମାତ୍ର ୫ ମିନିଟ୍‌ ବି ଖରାକୁ ସିଧାସଳଖ ବାହାରିଲେ  ସ୍ବାସ୍ଥ୍ୟହାନୀ ସହ ତ୍ବରିତ ବେଗରେ ବୟସ ବଢ଼ିବା ଓ ଚର୍ମ କର୍କଟ ଭଳି ରୋଗର ସମ୍ଭାବନା ବଢ଼ିବ । ଦ୍ବିତୀୟତଃ ରାଜଧାନୀରେ ଆର୍ଦ୍ରତା ଅଧିକ ଓ ସୌର ଉତ୍ତାପ ଯୋଗୁଁ ତାପମାତ୍ରାଠାରୁ ଅଧିକ ୬ ଡିଗ୍ରି ଅନୁଭୂତ ହେଉଛି ଓ ଆଗକୁ ଏହା ଜାରି ରହିବ ବୋଲି ଡ. ପଶୁପାଳକ ସୂଚନା ଦେଇ କହିଛନ୍ତି ।

ମଙ୍ଗଳବାରଠାରୁ ରାଜଧାନୀର ତାପମାତ୍ରା ଧୀରେଧୀରେ କମିବା ଆରମ୍ଭ କରିବ କିନ୍ତୁ  ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି । ୩୦ ତାରିଖ ଆଡ଼କୁ ଉପକୂଳ ଓଡ଼ିଶା ସମେତ ରାଜଧାନୀରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ।

Comments are closed.