ବିଜୁଳି କାଟ ଓ ଟାଟା ପାୱାର ବିରୁଦ୍ଧରେ ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ

ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜୁଳି ଯମଯନ୍ତ୍ରଣା ବେଳେ ମୁଖ୍ୟମନ୍ତ୍ରୀ ମୂକ ବଧିର କାହିଁକି?’, ‘ବଳକା ବିଜୁଳି କହୁଛ – ଅଘୋଷିତ ବିଜୁଳି କାଟ୍ କାହିଁକି ?’ ‘ଦଲାଲ୍ ବିଜେଡି ସରକାର – ଆମକୁ ନାହିଁ ଦରକାର’, ‘କମିଶନ ଖୋର – ବିଜେଡି ସରକାର’, ‘ଅପାରଗ ଶକ୍ତିମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ’, ‘ବିଜେଡି ସରକାର – ଟାଟା କଂପାନୀର ଦଲାଲି ବନ୍ଦ କର’ । ଏଭଳି ଅନେକ ଦାବୀ ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ୱାନକ୍ରମେ ଗତ ଦୁଇ ଦିନ ହେଲାଣି ରାଜ୍ୟର ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ବିକ୍ଷୋଭ ଓ ଆନ୍ଦୋଳନ କରିଛି ଭାରତୀୟ ଜନତା ପାର୍ଟି ।

ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ରାଜ୍ୟବାସୀଙ୍କୁ ନିରବଛିନ୍ନ ଭାବେ ବିଜୁଳି ସେବା ଯୋଗାଇ ଦେବାର ଦାୟିତ୍ବ ନେଇଥିବା ଟାଟା ପାୱାର ସମସ୍ତ ଚୁକ୍ତି ଓ ନିୟମକୁ ଖିଲାପ କରୁଛି ଏବଂ ଗ୍ରାମାଂଚଳରେ ଦିନକୁ ୪-୫ ଘଣ୍ଟାରୁ ଉର୍ଦ୍ଧ୍ବ ଏବଂ ସହରାଂଚଳରେ ଦିନକୁ ୨୦-୨୫ ଥର ଅଘୋଷିତ ପାୱାର କଟ୍ କରୁଛି । ଓଡିଶା ସରକାର ଟାଟା ପାୱାର କଂପାନୀ ଆଗରେ ବନ୍ଧା ପଡିଥିବାରୁ ସାଧାରଣ ଉପଭୋକ୍ତା ନାହିଁନଥିବା କଷ୍ଟ ଭୋଗୁଛନ୍ତି । ବିଜୁଳି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ତରଫରୁ ଗତ କାଲି ଏବଂ ଆଜି ଦୁଇ ଦିନ ଧରି ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି ।

Support Independent Journalism? Keep us live.

୧୯୯୫ ମସିହାରୁ ବିଜୁଳି ବିଭାଗ ଭିତିଭୁମିର ଆଧୁନିକୀକରଣ ପାଇଁ ଖର୍ଚ୍ଚ ହୋଇଥିବା ହଜାର ହଜାର କୋଟି ଟଙ୍କାର ହିସାବ ଦେବାରେ ବିଫଳ ହୋଇଛି ବିଜେଡି ସରକାର । ସାମାନ୍ୟ ଝଡ ପବନ ଓ ବର୍ଷାରେ ଘଂଟା ଘଂଟା ଧରି ବିଜୁଳି କାଟି ଦିଆଯାଉଛି । ଓଇଆରସିର ନିୟମକୁ ଉଲ୍ଲଂଘନ କରି ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ୨୭୨୭ କୋଟି ଟଙ୍କା ଆଦାୟ କରାଯାଇଥିଲା ଏବଂ ଏହି ଟଙ୍କା ଫେରାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ୱେ ତାହା ଫେରସ୍ତ କରିଲେ ନାହିଁ । ପାୱାର କଟ୍କୁ ପାୱାର ଟ୍ରିପ୍ ବୋଲି କହି ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଡିଲେ ଏବଂ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଲେ । ଅଘୋଷିତ ପାୱାର କଟ୍କୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶକ୍ତି ବିଭାଗ ପ୍ରସ୍ତୁତ ନଥିବାକୁ ପରୋକ୍ଷରେ ସ୍ୱୀକାର ମଧ୍ୟ କରିଲେ । ରାଜ୍ୟ ସରକାର ଶକ୍ତି ବିଭାଗ ମନ୍ତ୍ରୀଙ୍କ ଅବହେଳା ଓ ଟାଟା ପାୱାର କଂପାନୀ ପ୍ରୀତି ପାଇଁ ଖିଲାପକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସମସ୍ତେ ଏକ ସ୍ୱରରେ କହିଛନ୍ତି ।

ଏହି ବିକ୍ଷୋଭ ଏବଂ ଆନ୍ଦୋଳନ କଟକ, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ, ବ୍ରହ୍ମପୁର, ରାଉରକେଲା, କୋରାପୁଟ, ସୁନ୍ଦରଗଡ, ପୁରୀ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, କେନ୍ଦୁଝର, ଦେବଗଡ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ମାଲକାନଗିରି, ଗଜପତି, ନୟାଗଡ, ଭଦ୍ରକ, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ବଲାଙ୍ଗିର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଏବଂ ବିଜେପି ନେତୃବୃନ୍ଦ, କାର୍ଯ୍ୟକର୍ତାଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ ।

Comments are closed.