ଅପରାଜିତାଙ୍କ ପକ୍ଷ ଛେଦନ; ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧି

ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା

ଇନ୍‌ସାଇଟ୍‌ ବ୍ୟୁରୋ: ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା । ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ । ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ । ଏହା ସତ ଯେ ଅପରାଜିତା ନିଜକୁ ଦଳଠାରୁ ପୃଥକ୍ ରଖି ନିଜ ଶକ୍ତିରେ ସମାନ୍ତରାଳ ଭାବେ ସଂଗଠନ ଚଳାଇଛନ୍ତି । ବିଜେପିରେ ମିଶି ସାଂସଦ ହେବା ଦିନ ଠାରୁ ନିଜ ଷ୍ଟାଇଲ୍ ରେ ରାଜନୀତି କରୁଛନ୍ତି । ଦଳୀୟ ଶୃଙ୍ଖଳାରେ ନିଜକୁ ବାନ୍ଧି ନାହାନ୍ତି କି ସଚ୍ଚା ନେତା ଓ କର୍ମୀଙ୍କ ସହିତ ସମ୍ପର୍କ ରଖିନାହାନ୍ତି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ନେତୃତ୍ୱ ତାଙ୍କ ବିରୋଧରେ ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇଥିବାର ମଧ୍ୟ ସୂଚନା ରହିଛି ।

ସାରା ରାଜ୍ୟରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଏବଂ ପଦଯାତ୍ରା କରି ଦଳ ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଥିବା କହୁଛନ୍ତି ସାଂସଦ । ନିକଟରେ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ହେଲେ ବଡ କଥା ହେଲା ଜିଲ୍ଲା ସ୍ତରରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବଡ ନେତାଙ୍କୁ ଦେଖିବାକୁ ମିଳୁନାହିଁ । ବିଜେପି ଜିଲ୍ଲା ନେତାଙ୍କୁ ଅପରାଜିତାଙ୍କ ରାଲି ବାବଦରେ ପଚରା ଯାଇଥିଲା, ସେମାନେ କହିଥିଲେ, ରାଜ୍ୟ ନେତୃତ୍ୱଙ୍କ ନିକଟରୁ କିଛି ନିର୍ଦ୍ଦେଶ ଆସିନଥିବାରୁ ସେମାନେ ସେହି ରାଲିରେ ସାମିଲ ହୋଇନଥିଲେ ।

ଏପଟେ ସାଂସଦଙ୍କ କଳାହାଣ୍ଡି ଗସ୍ତ ସମୟରେ ବିଜେପିର ଜିଲ୍ଲା ସ୍ତରୀୟ ପଦ ଅଧିକାରୀଙ୍କ ସହ ନିର୍ବାଚିତ ପ୍ରତିନିଧି ଅନୁପସ୍ଥିତ ଥିଲେ ଯାହା ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ସୂଚନାନୁଯାୟୀ , ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳରେ ବଡ଼ ନେତାଙ୍କ ସମର୍ଥନ ମିଳୁନଥିବା ନଜିର ରହିଛି । ଏପରିକି ଅପରାଜିତା ଯେଉଁଆଡେ ଯାଉଛନ୍ତି, ସେଠାରେ ବିଜେପି ଦୁଇଫାଳ ହେଉଥିବା ଦେଖିବାକୁ ମିଳୁଛି । ଆଉ ଏହା ଦେଖିବାକୁ ମିଳିଥିଲା ଦୁଇ ଦିନିଆ କେନ୍ଦୁଝର ଗସ୍ତରେ । କୌଣସି ବିଜେପି ଟାଣୁଆ ନେତାଙ୍କ ଦେଖା ମିଳିନଥିଲା । ଗସ୍ତର ଦ୍ୱିତୀୟ ଦିନ ଆନନ୍ଦପୁର ବସଷ୍ଟାଣ୍ଡରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ସାଂସଦ । ଏହି ସଭାରେ ବଡ଼ନେତାଙ୍କୁ ଦେଖିବାକୁ ମିଳିନଥିଲା । ସେପଟେ ଅପରାଜିତା ଏଭଳି ଦଳୀୟ ଅସହଯୋଗକୁ ସ୍ୱୀକାର ମଧ୍ୟ କରୁଛନ୍ତି ।

Support Independent Journalism? Keep us live.

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଧର୍ମେନ୍ଦ୍ରଙ୍କ ହାତରୁ ପେଟ୍ରୋଲିୟମ୍ ବିଭାଗ ଚାଲିଯିବା ପରେ ତାଙ୍କର ଗୁରୁତ୍ୱ ହ୍ରାସ୍ ପାଇଥିବା ବିରୋଧୀ ପକ୍ଷରୁ ପ୍ରଚାର କରାଯାଇଥିଲା । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନ ହେଲା ପରେ ,ବିଭିନ୍ନ ମହଲରେ ଦଳରେ ତାଙ୍କ ପତିଆରା କମିଯାଇଥିବା ଚର୍ଚ୍ଚା ଜୋର ଧରିଥିଲା,କାରଣ ପେଟ୍ରୋଲିୟମ ଓ ଇସ୍ପାତ ଭଳି ବିଭାଗ ତାଙ୍କ ହାତରୁ କାଢ଼ି ଶିକ୍ଷା ବିଭାଗ ଦିଆଗଲା।

ଏପରିକି ଧର୍ମେନ୍ଦ୍ରଙ୍କ ପତ୍ତା କାଟିବା ପାଇଁ ରାଜ୍ୟ ବିଜେପିର ଗୋଟେ ଗୋଷ୍ଠୀ ମନ୍ତ୍ରଣା ଆରମ୍ଭ କରିଦେଇଥିଲେ । କିଛି ଦିନ ତଳେ ହୋଟେଲ ମେ ଫେୟାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆୟୋଜିତ ଘରୋଇ ପାର୍ଟିରେ କିଛି ବରିଷ୍ଠ ନେତାଙ୍କ ମେଳି ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଧର୍ମେନ୍ଦ୍ରଙ୍କ ବିରୋଧରେ ଏହି ମେଳିରେ ହୋଇଥିବା ଆଲୋଚନା ,ଦଳୀୟ ମହଲରେ ଟୁପୁରୁ ଟାପର୍ ହୋଇଥିଲା । କିନ୍ତୁ ଦେଖିବାକୁ ମିଳୁଛି ଯେ ଦଳରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧି ପାଇଛି । ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ହାତକୁ ଦିଆଯାଇଛି ।

ଭୁବନେଶ୍ୱର ବିଜେପି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ନିଜର ପତିଆରା ବୃଦ୍ଧି ପାଇଁ ରାଜ୍ୟ ପରିକ୍ରମା କରୁଥିବା ବେଳେ ଦଳୀୟ ନେତୃତ୍ୱ ତାଙ୍କୁ କିନ୍ତୁ ଗୁରୁତ୍ୱ ନେଇନାହାନ୍ତି । ରାଜ୍ୟ ବିଜେପିର କୋର କମିଟିରେ ସ୍ଥାନ ପାଇଲେନି ସାଂସଦ । ଦଳ ପକ୍ଷରୁ ପ୍ରକାଶ ପାଇଥିବା କୋର କମିଟି ତାଲିକାରେ ଅପରାଜିତାଙ୍କ ନାଁ ନାହିଁ ।

ଦଳର ୧୫ ଜଣିଆ କୋର୍ କମିଟି ଘୋଷଣା କରାଯାଇଛି । ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୂର୍ବତନ ରାଜ୍ୟ ସମ୍ପାଦକ ସୁରମା ପାଢୀ ଓ ମନମୋହନ ସାମଲଙ୍କ ଭଳି ନାଁ ଥିବା ବେଳେ, ବାଦ ପଡ଼ିଛନ୍ତି ସାଂସଦ ।

Comments are closed.