ଲଢ଼େଇ ପାଇଁ ପ୍ରସ୍ତୁତ ବ୍ରଜରାଜନଗର; ମୈଦାନରେ ଅଳକା-ରାଧାରାଣୀ-କିଶୋର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅନେକ ବିଚାରବିମର୍ଶ ପରେ ତିନି ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେପିରୁ ରାଧାରାଣୀ ପଣ୍ଡା , ବିଜେଡ଼ିରୁ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏବଂ କଂଗ୍ରେସ ତରଫରୁ ପ୍ରାର୍ଥୀ ରହିଛନ୍ତି କିଶୋର ପଟେଲ ।

Insight Bureau: ଝାରସୁଗୁଡା ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି ବାହାରିବା ପରେ ଦଳମାନଙ୍କ ଭିତରେ ଏକ ପ୍ରକାର କସରତ ଆରମ୍ଭ ହୋଇଯାଇଥିଲା । ପ୍ରାର୍ଥୀ ଚୟନ ନେଇ । କେଉଁ ଦଳ କାହାକୁ ପ୍ରାଥୀ କରିବେ ସେ ଚାଲିଥିଲା ଅଙ୍କ କଷା ୩ ଦଳ ମଧ୍ୟରେ  । ଶାସକ ବିଜେଡି ବ୍ରଜରାଜନଗରରେ ବଡ଼ ବ୍ୟବଧାନରେ ବିଜୟୀ ହେବା ପାଇଁ ପ୍ରସ୍ତୁତ କରିଥିଲା ନିଜ ପାଇଁ  ବ୍ଲୁ-ପ୍ରିଣ୍ଟ ।

ସେହିପରି ବିଜେପି ଓ କଂଗ୍ରେସ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ରହିଥିଲେ । ଅନେକ ବିଚାରବିମର୍ଶ ପରେ ତିନି ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଓ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ଶେଷରେ ଆଜି କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ତରଫରୁ ପ୍ରାର୍ଥୀ ରହିଛନ୍ତି କିଶୋର ପଟେଲ ।

ଏବେ ଆରମ୍ଭ ହେବ ଲଢେଇ ପାଇଁ ରଣନୀତି । ପ୍ରାର୍ଥୀ ନିଜ ନିଜ ମୁଦ୍ଦା ନେଇ ପହଁଚିବେ ଜନତାଙ୍କ ପାଖକୁ । ବ୍ରଜରାଜନଗର ଉପନିର୍ବାଚନରେ ଅଳକା, ରାଧାରାଣୀ ଓ କିଶୋରଙ୍କ ମଧ୍ୟରେ ଦେଖିବାକୁ ମିଳିବ ନିର୍ବାଚନୀ ଲଢ଼େଇ ।

Support Independent Journalism? Keep us live.

ଏବେ ଚର୍ଚ୍ଚା ଜୋରସୋରରେ ଚାଲିଛି ଯେ କିଶୋର ପଟେଲ ବ୍ରଜରାଜନଗରରୁ କେବେ ବିଧାୟକ ହୋଇ ନଥିବା ବେଳେ ରାଧାରାଣୀ ପଣ୍ଡା ଥରେ ଏଠାରୁ ବିଜୟୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେଡି ନେତା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ । ଅନ୍ୟପକ୍ଷରେ ଅଳକା ନିର୍ବାଚନ ରଣାଙ୍ଗନରେ ସଂପୂର୍ଣ୍ଣ ନୂଆ। ତେବେ ସେ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ହୋଇଥିବାରୁ ତଥା ବିଜେଡିର ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପଲ୍ଲା ଭାରି ରହିପାରେ ବୋଲି ଆଲୋଚନା ହେଉଛି।

ସୂଚନା ଅନୁଯାୟୀ , କିଶୋର ପଟେଲ ପୂର୍ବରୁ ୧୯୭୭, ୧୯୮୦ ଓ ୧୯୯୫ ମସିହାରେ କଂଗ୍ରେସ ଟିକେଟ୍‌ରେ ସୁନ୍ଦରଗଡ଼ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୨୦୧୪ ସାଧାରଣ ନିର୍ବାଚନରେ ବ୍ରଜରାଜନଗର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ । ତେବେ ସେ ୩୮ ହଜାର ଭୋଟ୍‌ ପାଇ ତିନି ନମ୍ବରରେ ରହିଥିଲେ ।  ଅନ୍ୟପକ୍ଷରେ ୨୦୧୪ରେ ବିଜେପିର ରାଧାରାଣୀ ପଣ୍ଡା ୫୦ ହଜାରରୁ ଅଧିକ ଭୋଟ୍ ପାଇ ଏହି ଆସନରୁ ବିଜୟୀ ହୋଇଥିଲେ ।

ସୂଚନାଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିଲା। ମେ’ ୩୧ରେ ଏଠାରେ ଭୋଟ୍ ହେବାକୁ ଯାଉଥିବା ବେଳେ ଜୁନ୍ ୩ ତାରିଖରେ ଗଣତି ହେବ।

Comments are closed.