ନିଜ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିଥିବା ଏକ ସମ୍ପ୍ରଦାୟ ହେଉଛି ବିନ୍‌ଝାଲ୍ ଜନଜାତି

ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡିଶାକୁ ଏକ ନୂଆ ପରିଚୟ ଦେଇଛି । ନିଜର ସଂସ୍କୃତି ଓ  ପରମ୍ପରାକୁ ବଞ୍ଚାଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛନ୍ତି ବିନ୍‌ଝାଲ୍ ।

211

Insight Bureau: ଓଡିଶା ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ଏଠାରେ ୬୨ ପ୍ରକାରର ଆଦିବାସୀ ବସବାସ କରନ୍ତି । ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷା,ପରମ୍ପରା ଓ ସଂସ୍କୃତି ରହିଛି । ଅଳ୍ପ କେତୋଟି ଜିଲ୍ଲାକୁ ଛାଡିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ବିଭିନ୍ନ ଆଦିବାସୀ ଜନଜାତି ବସବାସ କରନ୍ତି । ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡିଶାକୁ ଏକ ନୂଆ ପରିଚୟ ଦେଇଛି । ନିଜର ସଂସ୍କୃତି ଓ  ପରମ୍ପରାକୁ ବଞ୍ଚାଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛନ୍ତି ବିନ୍‌ଝାଲ୍ ।

ବିନ୍‌ଝାଲ ସମ୍ପ୍ରଦାୟ ଓଡିଶାରେ ସାଧାରଣତଃ ବଲାଙ୍ଗୀର, ସୋନପୁର୍‌, ବରଗଡ, ନୁଆପଡା ଏବଂ ସମ୍ବଲପୁର ଅଂଚଳରେ ଦେଖାଯାଆନ୍ତି ।  ସେମାନେ ସମ୍ବଲପୁରୀ, ଓଡିଆ ଏବଂ ଲରିଆ ଭାଷାରେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି । ସେମାନଙ୍କର ସ୍ୱତନ୍ତ୍ର ଆଦିବାସୀ ଧର୍ମ ପରମ୍ପରା ରହିଛି । ବିନ୍‌ଝାଲ୍ ଶବ୍ଦର ଅର୍ଥ ହେଉଛି ବିନ୍‌+ଝାଲ୍ ଅର୍ଥାତ୍ ବିନା ଝାଳ ବା ଝାଳ ବିହୀନ । ବିନଝାଲ୍ ମାନେ ଦାବି କରନ୍ତି ଯେ, ସେମାନେ ଝାଳବୁହା କଠିନ୍ ପରିଶ୍ରମ କରିପାରନ୍ତି । ଆଉ କେତେକ ବିନ୍‌ଝାଲ୍ କୁହନ୍ତି ଯେ, ସେମାନଙ୍କର ନାମ ତତ୍ୱାବଧାରିକା ବିନ୍ଦୁବାସିନୀ ଦେବୀଙ୍କ ନାମ ଅନୁଯାୟୀ ହୋଇଛି । କେନ୍ଦ୍ରୀୟ ଭାରତରୁ ଓଡିଶାକୁ ସ୍ଥାନାନ୍ତର ହୋଇଥିବା ବିଷୟରେ ଏକ କିମ୍ବଦନ୍ତୀ ଅଛି । ଏହି ସମ୍ପ୍ରଦାୟର ବସ୍ତି ଗୁଡିକ ସାଧାରଣତଃ ଆକାରରେ ଛୋଟ ଛୋଟ ହୋଇଥାଏ । ସେମାନଙ୍କ ବାସଗୃହ ଆଗରେ ଓ ପଛରେ ବାରଣ୍ଡା ରହିବା ସହିତ ଦୁଇଟି ଛୋଟ ଛୋଟ କୋଠରୀ ଥାଏ । ଏହି ଜନଜାତିଙ୍କ ବଂଶକୁ ଅନେକ ବିଭାଗରେ ବିଭକ୍ତ କରାଯାଇଛି । ସେମାନଙ୍କର କିଛି ବଂଶ ନାମ ହେଉଛି ଆମ୍‌ରି, ନାଗ, ଖୁସାଲ, ଡୁଗୁକେ, କାମାଟି, ମାହିଙ୍ଗା, ବାଗା, ମାର୍ଥୀ ଏଣ୍ଡଜ ଓ ବେଂଟାକାର ଇତ୍ୟାଦି ।

Support Independent Journalism? Keep us live.

ସେମାନେ ବୟସ୍କ ବିବାହକୁ ପସନ୍ଦ କରନ୍ତି । ବିଧବା ବିବାହ, ଛାଡପତ୍ର ଏବଂ ପୁର୍ନବିବାହ କରିବାକୁ ଅନୁମତି ଦିଅନ୍ତି । ଦୁଷ୍କର୍ମ, ନିଷ୍ଠୁରତା ଏବଂ ବ୍ୟଭିଚାର କାରଣରୁ ସେମାନେ ଛାଡପତ୍ରକୁ ମଧ୍ୟ ମଞ୍ଜୁର କରନ୍ତି । ଏହି ଜନଜାତି ଶିଶୁ ଜନ୍ମ ହେଲେ ୭ ଦିନ ପର୍ଯ୍ୟନ୍ତ ବିଧିବ୍ୟବସ୍ଥା ପାଳନ କରିଥାନ୍ତି । ମୃତ ଲୋକଙ୍କୁ କବର ଦେଇଥାନ୍ତି ଏବଂ ୧୦ ଦିନ ପର୍ଯ୍ୟନ୍ତ ବିଧି ମଧ୍ୟ ପାଳନ କରନ୍ତି । ଅନେକ ପ୍ରାକୃତିକ ଆତ୍ମା ସହିତ ହିନ୍ଦୁ ଦେବତାଙ୍କୁ ପୂଜା କରିଥାନ୍ତି । ଦେବୀ ବିନ୍ଧିଆବାସିନୀ ହେଉଛନ୍ତି ସେମାନଙ୍କର ସର୍ବୋଚ୍ଚ ଦେବୀ ।

ତାହୁ ନାମରେ ଜଣାଶୁଣା ମହୁଆ ବା ମହୁଲୀର ମଞ୍ଜିରୁ ପ୍ରସ୍ତୁତ ତେଲ ସେମାନେ ରାନ୍ଧିବା ପାଇଁ ବ୍ୟବହାର କରନ୍ତି । ସେମାନେ ପ୍ରାୟତଃ ମାଂସାହାରୀ । ଚାଉଳ ଓ ଗହମ ସେମାନଙ୍କର ମୁଖ୍ୟ ଶସ୍ୟ । ସେମାନେ ସାପ, ମୂଷା, ଘୁଷୁରୀ, ନାଲି ପିମ୍ପୁଡି, ପାରା, ଛେଳି ଇତ୍ୟାଦି ଖାଇଥାନ୍ତି । ସେମାନେ ତାଙ୍କର ପାରମ୍ପରିକ ପୋଷାକ, ଅଳଙ୍କାର ଦ୍ୱାରା ଚିହ୍ନିତ ହୁଅନ୍ତି । ପୁରୁଷ ମାନେ ଧୋତି ପିନ୍ଧନ୍ତି ଏବଂ ଅଣ୍ଟାରେ ଏକ ଧନୁ ଓ ତୀରକୁ ଧାରଣ କରିଥାନ୍ତି । ମହିଳା ମାନେ ସାଧାରଣ ଶାଢୀ ପିନ୍ଧିବା ସହିତ ଚୁଡି, ବାନ୍ଦାସିଆ, କାଟାରିଆ, ଖାଗଲା ଯାହାକି ରୂପାରେ ନିର୍ମିତ ଜିନିଷ ପିନ୍ଧିବାକୁ ଭଲ ପାଆନ୍ତି ।

Comments are closed.