ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଦୌଡରେ ଓଡିଶାରୁ କିଏ ?

ରାଜ୍ୟସଭା ନିର୍ବାଚନ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି ।

Insight Bureau: ରାଜ୍ୟସଭା ନିର୍ବାଚନ କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବାବେଳେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।  ଆସନ୍ତା ଜୁନ ୧୦ରେ ହେବ ହେବ ରାଜ୍ୟସଭା ନିର୍ବାଚନ । କିଏ କିଏ ଏହି ରେସ୍‌ରେ ସାମିଲ ହେବେ ତାକୁ ନେଇ ସମସ୍ତଙ୍କ ଅପେକ୍ଷା । ଓଡ଼ିଶାର ତିନି ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ପ୍ରସନ୍ନ ଓ ଭାସ୍କରଙ୍କର ପୂରା ୬ ବର୍ଷିଆ କାର୍ଯ୍ୟକାଳ ସାରିବାକୁ ଯାଉଛି । ହେଲେ ସସ୍ମିତ ମାତ୍ର ୩ ବର୍ଷ ପାଇଁ ଯାଇଥିଲେ ରାଜ୍ୟସଭାକୁ  ।

ପ୍ରତାପ ଦେବ ୨୦୧୯ରେ ଆଳିରୁ ବିଧାୟକ ହେବା ପରେ ତାଙ୍କ ସ୍ଥାନରେ ସସ୍ମିତଙ୍କୁ ରାଜ୍ୟସଭା ପଠାଇଥିଲା ବିଜେଡି । ୨୦୧୯ରୁ ୨୯ ଜୁନ୍‌ରୁ ମାତ୍ର ୩ ବର୍ଷ ପାଇଁ ରାଜ୍ୟସଭା ଯାଇଥିଲେ ସସ୍ମିତ । ରାଜ୍ୟସଭାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦଳର ଆଭିମୁଖ୍ୟ ଜାତୀୟ ସ୍ତରରେ ଉପସ୍ଥାପନ କରି ସସ୍ମିତ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଏହାସହ ସଂଖାଲଘୁ ନେତା ଭାବେ ତାଙ୍କର ପ୍ରଭାବ ବି ରହିଛି । ତେଣୁ ସସ୍ମିତଙ୍କୁ ବିଜେଡି ପୁଣି ଥରେ ରାଜ୍ୟସଭା ପଠାଇବା ନେଇ ସମ୍ଭାବନା ଅଧିକ ।

Support Independent Journalism? Keep us live.

ସେହିପରି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିଲେ ବି ତାଙ୍କ ସ୍ଥାନରେ ପଶ୍ଚିମ ଓଡ଼ିଶାରୁ ହିଁ ଜଣଙ୍କୁ ରାଜ୍ୟସଭା ପଠାଇବା ସମ୍ଭାବନା ରହିଛି । ତେବେ ତାଙ୍କ ସ୍ଥାନରେ କିଏ ଆସିବେ ?  ଅନ୍ୟପଟେ ଭାସ୍କର ରାଓଙ୍କ ସ୍ଥାନରେ ଦକ୍ଷିଣ ଓଡ଼ିଶାରୁ କାହାରିକୁ ନବୀନ ରାଜ୍ୟସଭା ପଠାଇପାରନ୍ତି ।

ଖାଲି ହେବାକୁ ଥିବା ୫୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି । ଯେଉଁ ୩ ଆସନ ପାଇଁ ହେବ ନିର୍ବାଚନ । ଏନେଇ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।  ସେହିଭଳି ୩୧ ମେ’ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧ ଜୁନରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୩ ଜୁନ୍ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ୧୦ ଜୁନରେ ହେବ ନିର୍ବାଚନ । ଜୁନ୍ ୧ରେ ନାମାଙ୍କନ ପତ୍ରର ଯାଞ୍ଚ ହେବାକୁ ଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜୁନ୍ ୩ | ସମସ୍ତ ୫୭ଟି ସିଟ୍ ପାଇଁ ଭୋଟ୍ ଜୁନ୍ ୧୦ରେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ହେବ। ଭୋଟ୍ ଗଣତି ମଧ୍ୟ ଜୁନ୍ ୧୦ ଅପରାହ୍ନ ୫ଟାରେ ହେବ ।

ଦେଶର ସମୁଦାୟ ୧୮ଟି ରାଜ୍ୟର ୫୭ଟି ଆସନରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ତେବେ ଏହି ନିର୍ବାଚନୀରେ ଓଡିଶାରୁ ୩ ସିଟ ପାଇଁ ନିର୍ବାଚନ ଲଢ଼ିବେ ଆଶାୟୀ ପ୍ରାର୍ଥୀ । କାର୍ଯ୍ୟକାଳ ଶେଷ ହେଉଥିବା ୩ ସାଂସଦ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଦଳ ଏମାନଙ୍କ ସ୍ଥାନରେ କାହାକୁ ଦିଲ୍ଲୀ ପଠାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହାଛଡା ସବୁବେଳେ ଚମକାଇ ଦେଲା ଭଳି ନିଷ୍ପତ୍ତି ନେଉଥିବା ନବୀନ ଗତ ରାଜ୍ୟସଭା ନିର୍ବାଚନର ରିପିଟ୍ କରିବେନି ତ ? ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ହାତରେ ସଂଖ୍ୟା ଥାଇ ସୁଦ୍ଧା ପୂର୍ବଥର ଗୋଟିଏ ଆସନ ବିଜେପି ହାତକୁ ଦେଇଥିଲେ ନବୀନ । ଆଉ ନବୀନଙ୍କ ସମର୍ଥନରେ ବିଜେପିରୁ ରାଜ୍ୟସଭା ସାଂସଦ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେଣୁ ଏବେ ତାହାର ପୁନରାବୃତ୍ତି ପୁଣିଥରେ ଦେଖିବାକୁ ମିଳିବ କି ନାହିଁ ତାହା ଏବେ ସବୁଠୁ ବଡ ପ୍ରଶ୍ନ ।

Comments are closed.