ଆଜି ନିଳାଦ୍ରୀ ମହୋଦୟାଷ୍ଟମୀ “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରକଟ ଉତ୍ସବ”

ଆଜି ନିଳାଦ୍ରୀ ମହୋଦୟାଷ୍ଟମୀ । ଏହି ତିଥିରେ ପ୍ରଭୁ ମର୍ତ୍ତ୍ୟ ବୈକୁଣ୍ଠ ରେ ପ୍ରକଟ ହୋଇଥିବାରୁ ଏହି ତିଥିକୁ ପ୍ରତିବର୍ଷ ପ୍ରକଟୋତ୍ସବ ଭାବେ ମହାସମାରୋହରେ ପାଳନ କରାଯାଇଥାଏ  ।

Insight Bureau: ଆଜି ହେଉଛି ନିଳାଦ୍ରୀ ମହୋଦୟାଷ୍ଟମୀ । ଏହି ତିଥିରେ ପ୍ରଭୁ ମର୍ତ୍ତ୍ୟ ବୈକୁଣ୍ଠ ରେ ପ୍ରକଟ ହୋଇଥିବାରୁ ଏହି ତିଥିକୁ ପ୍ରତିବର୍ଷ ପ୍ରକଟୋତ୍ସବ ଭାବେ ମହାସମାରୋହରେ ପାଳନ କରାଯାଇଥାଏ  । ପୁଷ୍ୟାଭିଷେକରେ ଶ୍ରୀଜୀଉ ଙ୍କ ଅଭିଷେକୋତ୍ସବ ପାଳନ କରିବାପରି ଏହିଦିନ ମଧ୍ୟ ଅଧିବାସିତ ଜଳରେ ଅଭିଷେକ କରନ୍ତି ମହାପ୍ରଭୁ । ଏହା ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ନିଳାଦ୍ରୀ ମହୋଦୟ ଯାତ୍ରା ଭାବେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଆଜି ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ସତ୍ୟଯୁଗ ରେ ଭରଦ୍ବାଜ ମୁନୀ ଓ ଇନ୍ଦ୍ରଦ୍ୟୁମ୍ନ ଓ ଆଦି ଦେବତା ମାନଙ୍କ ଦ୍ଵାରା ଶ୍ରୀ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ପାଳିତ ଅନ୍ୟ ମୁଖ୍ୟ ଦ୍ୱାଦଶ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ଭାବେ ନିଳାଦ୍ରୀ ମହୋଦୟ ସୁପରିଚିତ । ଏହା କୁ ଶ୍ରୀମନ୍ଦିର ର ପ୍ରତିଷ୍ଠା ଦିବସ ବୋଲି ମଧ୍ୟ କୁହାଯାଏ ।

Support Independent Journalism? Keep us live.

ନିଳାଦ୍ରୀ ମହୋଦୟର ମହିମା ସ୍କନ୍ଦ ପୁରାଣ ରେ ପ୍ରତିପାଦିତ ହୋଇଛି । ସ୍ୱୟଂ ବ୍ରହ୍ମା ସତ୍ୟଯୁଗ ରେ ବୈଶାଖ ମାସର ପୁଷ୍ୟାଯୋଗଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାରରେ ଶ୍ରୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କଲେ । ସେହି ହେତୁ ଏଇ ଦିବସଟି ଅତ୍ୟନ୍ତ ପୁଣ୍ୟତମ ସର୍ବପାପ ବିନାଶ କାରୀ ଅଟେ। ଉକ୍ତ ଦିବସରେ ସ୍ନାନ,ଦାନ,ତପସ୍ୟା ଓ ହୋମଦି କାର୍ଯ୍ୟ କଲେ ଅକ୍ଷୟ ଫଳ ମିଳିଥାଏ। ଯେଉଁ ମନୁଷ୍ୟ ଏହି ଦିବସରେ ଭକ୍ତିପୂର୍ଣ୍ଣ ହୃଦୟ ରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରନ୍ତି ସେମାନେ କୋଟି ଜନ୍ମ ପାପରୁ ମୁକ୍ତି ଲାଭ କରୁଥିବା ନେଇ ବିଶ୍ବାସ ରହିଛି ।

ଏହାର ପୂର୍ବ ଦିନରୁ ଭୋଗମଣ୍ଡପରେ ଅଧିବାସ ହୋଇଥିବା ୧୦୮ ଗଡୁ ଜଳକୁ ଗରାବଡୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ , ଛତ୍ର , କାହାଳି ସହ ପଟୁଆରରେ ଚାରି ଥରରେ ଚାରି ପନ୍ତି କରି ଜଳ ପୂର୍ଣ୍ଣ ଗଡୁମାନ ରତ୍ନସିଂହାସନ ନିକଟରେ ବିଜେ କରିବା ପରେ ଜଳ ପୂଜା ଓ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପୂଜାପଣ୍ଡା ସଂସ୍କାର ପୂର୍ବକ ଜଳ ଲାଗି କରନ୍ତି । ଜଳଲାଗି ଅବକାଶ ସମୟ ଭଳି ଦର୍ପଣ ଉପରେ ଲାଗି ହୋଇଥାଏ । ପରେ ପରେ ନୂଆ ବସ୍ତ୍ର ଲାଗିହେବା ସହ ପୂଜାପଣ୍ଡା, ପତିମହାପାତ୍ର , ମୁଦିରସ୍ତ, ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର ପୂର୍ବକ ପାଳିଆ ପୁଷ୍ପାଳକଙ୍କ ସହ ଚନ୍ଦନ ସର୍ବାଙ୍ଗ କରାନ୍ତି । ତତ୍ ପଶ୍ଚାତ ଭିତରେ ପାଣି ପଡି ଧୁଆଯିବା ପରେ ମଧ୍ୟାହ୍ନ ଧୂପ ବଢିଥାଏ ତତ୍ପରେ ଅଷ୍ଟ ଦିଗପାଳ ଅନ୍ନ ବଳି ଦିଆଯାଇଥାଏ। ପରେ ଯାତ ଭୋଗ ଘଣ୍ଟ, ଛତ୍ର , କାହାଳି ସହ ଶ୍ରୀ ଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ଓ ଭୋଗ ସରିବା ପରେ ପାଣିପଡି ଧୋପାଖଳ ହୋଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ । ତତ୍ପରେ ଆଜ୍ଞାମାଳ ପାଇ ଚଳନ୍ତି ବିଗ୍ରହ ଚାପକୁ ବିଜେ କରିଥାନ୍ତି ।

Comments are closed.