ଉତ୍କଳୀୟ ନୌବାଣିଜ୍ୟର ଜ୍ୱଳନ୍ତ ନିଦର୍ଶନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା

ଉତ୍କଳୀୟ ନୌବାଣିଜ୍ୟର ଜ୍ୱଳନ୍ତ ନିଦର୍ଶନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା

Date:

ଇନ୍‌ସାଇଟ୍‌ ବ୍ୟୁରୋ: ଓଡ଼ିଶାରେ ବାର ମାସରେ ତେର ପରବ ଆଉ କାର୍ତ୍ତିକ ପୂର୍ଣ୍ଣିମା ସେଥିମଧ୍ୟରୁ ଅନ୍ୟତମ। ପୁରାଣ ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ଏବଂ ପୂଣ୍ୟର ମାସ କୁହାଯାଏ। ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୋଇଥାଏ। ହେଲେ କାର୍ତ୍ତିକ ପୂର୍ଣ୍ଣିମା ସହ ଓଡ଼ିଶାର ରହିଛି ସ୍ବତନ୍ତ୍ର ସମ୍ପର୍କ। ଉତ୍କଳୀୟ ନୌବାଣିଜ୍ୟର ଜ୍ୱଳନ୍ତ ନିଦର୍ଶନ ହେଉଛି ଏହି କାର୍ତ୍ତିକ ପୂର୍ଣ୍ଣିମା। ପୁରୁଣା ଉତ୍କଳୀୟ ପରମ୍ପରାକୁ ମନେ ପକାଇବାକୁ କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ ବୋଇତ ବନ୍ଦାଣ ଉତ୍ସବ। ସକାଳୁ ସକାଳୁ ଗାଁ ଠୁ ସହର ସବୁ ନଦୀ ପୁଷ୍କରିଣୀରେ ଜମେ ଲୋକଙ୍କ ଭିଡ। ଶୁଭେ ‘ଆ-କା-ମା- ବୈ.., ପାନ ଗୁଆ ଥୋଇ ..ପାନ ଗୁଆ ତୋର, ମାସକ ଧରମ ମୋର’ ର ଧ୍ବନି।

- Advertisement -

କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧବ ପୁଅମାନେ ବ୍ୟବସାୟ ପାଇଁ ବିଦେଶ ଯିବା ନିମନ୍ତେ ବୋଇତ ଯାତ୍ରାର ଶୁଭାରମ୍ଭ କରାଯାଉଥିଲା ଏବଂ ତାଙ୍କ ସମୃଦ୍ଧି ଓ ସଫଳତା ନିମନ୍ତେ ବୋଇତ ବନ୍ଦାଣ ହେଉଥିଲା। ଓଡ଼ିଶାର କଳା ସଂସ୍କୃତି ବିଦେଶରେ ପ୍ରଚାର ପ୍ରସାର କରିବା ସହ ଆମ ରାଇଜକୁ ସମୃଦ୍ଧ କରିବାରେ ସାଧବ ମାନଙ୍କର ଅବଦାନ ଅନେକ। ସାଧବ ମାନଙ୍କର ଏହି ଗୌରବମୟ ଗାଥାକୁ ସ୍ମରଣୀୟ କରିବାକୁ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୁଏ।

ପ୍ରାଚୀନକାଳରୁ ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଆଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସାଧବପୁଅମାନେ ନୌବାଣିଜ୍ୟ ଦୃଷ୍ଟିରୁ ଥିଲେ ଭାରତର ଗର୍ବ ଓ ଗୌରବ। ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ କେବଳ ଓଡ଼ିଶା କିମ୍ବା ଭାରତ ମଧ୍ୟରେ ସୀମାବଦ୍ଧ ନଥିଲା, ତାହା ବିଶ୍ୱର ଅନେକ ଦେଶରେ ପରିବ୍ୟାପ୍ତ ହୋଇଥିଲା। ଖ୍ରୀଷ୍ଟ ଜନ୍ମର ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବରୁ କଳିଙ୍ଗର ବଣିକ ଓ ନାବିକମାନେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ବହୁଳ ପ୍ରଚାର କରିଥିଲେ। ବାଣିଜ୍ୟ ଦ୍ୱାରା ସେମାନେ କଳିଙ୍ଗ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ସହ ରାଜ୍ୟକୁ ବହୁଳଭାବରେ ସମୃଦ୍ଧ କରି ଗୌରବର ଶୀର୍ଷରେ ପହଞ୍ଚାଇ ପାରିଥିଲେ।

ଉତ୍କଳର ପ୍ରାଚୀନ ଇତିହାସ ଓ ନୌବାଣିଜ୍ୟ ପର୍ବର ବୈଶିଷ୍ଟ୍ୟ ରହିଛି। ଏକଦା ଉତ୍କଳର ବଣିକ ସାତ ଦରିଆ ପାରିରେ ବ୍ୟବସାୟ କରୁଥିଲେ ଏବଂ ଆଜିର ଓଡ଼ିଶା ସେତେବଳେ ଉଡ୍ର, କଳିଙ୍ଗ, କୋଶଳ, କଙ୍ଗୋଦ ଓ ଉତ୍କଳ ଆଦି ନାମରେ ନିଜର ପରିଚୟ ସୃଷ୍ଟି କରିଥିଲା। ଭାରତ ମାଆର ମଣି ସଦୃଶ ଦୁର୍ମୂଲ୍ୟ ଖଣିଜ ରତ୍ନରେ ପରିପୂର୍ଣ୍ଣ ଚାରୁକଳାର ସୁଶୋଭିତ ପ୍ରାଚୀନ ଉତ୍କଳ ଏକ ବୈଭବଶାଳୀ ଓ ସମୃଦ୍ଧ ପ୍ରାନ୍ତ ରୂପେ ପରିଗଣିତ ହେଉଥିଲା। ସାଧବ ପୁଅମାନେ ଓଡ଼ିଶାରୁ ପଥର ମୂର୍ତ୍ତି, ପାନ ମସଲା, ସୂକ୍ଷ୍ମ ରେଶମ ପାଟ, ସୌଖିନ ଶାଢୀ, ଅତର ବା ସୁଗନ୍ଧ ଦ୍ରବ୍ୟ, ଶିଙ୍ଘ ତିଆରି ସୌଖିନ ଦ୍ରବ୍ୟ, ହାତୀଦାନ୍ତରୁ ତିଆରି ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ଦ୍ରବ୍ୟ, ଧାନ, ଚାଉଳ, ପାନ, ଗୁଆ, ନଡିଆ, ହଳଦୀ, ଗୁଡ, ଲୁଣ, ତୈଳ, ଶଙ୍ଖ, ଚାନ୍ଦୁଆ ଇତ୍ୟାଦି ନେଇ ସାଧବମାନେ ବିଦେଶ ଯାଉଥିଲେ ଏବଂ ପ୍ରତିବଦଳରେ ସୁନା, ରୂପା, ହୀରା-ନୀଳା, ମୋତି-ମାଣିକ ଆଦି ବିଦେଶରୁ ଆଣି ଓଡ଼ିଶାକୁ ବୈଭବଶାଳୀ କରିଥିଲେ।

କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପୁରୁଣା। ବ୍ରହ୍ମଦେଶ ତଥା ଥାଇଲାଣ୍ଡ, ଜାଭା, ବାଲି, ସୁମତ୍ରା ଆଦି ଦ୍ୱୀପପୁଞ୍ଜ ସହ ଉକ୍ରଳର ପ୍ରାଚୀନ ବାଣିଜ୍ୟ ସମ୍ପର୍କରେ ଅନେକ ତଥ୍ୟ ମିଳେ। ରାମାୟଣ, ମହାଭାରତ, ସ୍କନ୍ଦପୁରାଣ, ଗରୁଡ ପୁରାଣ, ମାର୍କଣ୍ଡେୟ ପୁରାଣ, କାଳିଦାସଙ୍କ ରଘୁବଂଶ, ବୌଦ୍ଧଜାତକ, ପ୍ରାଚୀନ ବୌଦ୍ଧଶାସ୍ତ୍ର, ତଅପୋଇ ଉପାଖ୍ୟାନ, କଥାଚରିତ ସାଗର, ଦଶକୁମାର ଚରିତ, ହୁଏନ୍ସାଂଙ୍କ ବିବରଣୀ ପ୍ରଭୃତି ବିଭିନ୍ନ ପ୍ରକାର ଗ୍ରନ୍ଥ ଓ ପ୍ରତ୍ନତାତ୍ତ୍ୱିକ ଗବେଷଣାରୁ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କରେ ଜାଣିବାକୁ ମିଳେ। ଦାଶବଂଶ ଗ୍ରନ୍ଥରୁ ତ୍ରୟୋଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ କଳିଙ୍ଗ ସହିତ ଚୀନ୍ ନୌବାଣିଜ୍ୟ ସମ୍ପର୍କ ଥିବାର ଜଣାଯାଇଥାଏ।

ମୌର୍ଯ୍ୟ ସମ୍ରାଟ ଅଶୋକଙ୍କର କଳିଙ୍ଗ ବିଜୟ ବେଳକୁ କଳିଙ୍ଗ ନୌବାଣିଜ୍ୟ ପରମ୍ପରା ପ୍ରତିଷ୍ଠା ଲାଭ କରିସାରିଥିଲା। ବିଭିନ୍ନ ସ୍ଥାନରେ ସାଧବମାନେ ଉପନିବେଶମାନ ମଧ୍ୟ ସ୍ଥାପନ କରି ସାରିଥିଲେ। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଗ୍ରୀକ୍ ପର୍ଯ୍ୟଟକ ଟେଲେମି ଗ୍ରନ୍ଥରୁ ଜଣାଯାଏ ଯେ, ପାଲୁର ଗଞ୍ଜାମ ନିକଟସ୍ଥ ଏକ ନଗର କଳିଙ୍ଗର ସର୍ବଶ୍ରେଷ୍ଠ ବନ୍ଦର ଥିଲା। ସେହି ଗ୍ରନ୍ଥରୁ ମଧ୍ୟ ଜଣାଯାଏ, ନିନିଗେନ-ପୁରୀ,କୋଶଗର-କୋଣାର୍କ, କକଦ୍ଧମ-କଟକ, କୋଗମ୍-ବାଲେଶ୍ୱର, ପଲୁର-ଜଳେଶ୍ୱର, ଦୋଷଗମ୍-ବୈତରଣୀ, ଅଦମଶ-ସୁବର୍ଣ୍ଣରେଖା, ମନ୍ନଦ-ମହାନଦୀ ଇତ୍ୟାଦି ବିଭିନ୍ନ ପ୍ରଧାନ ନଦୀକୂଳରେ ଓ ନଗରମାନଙ୍କରେ ପ୍ରଥମ ଶତାବ୍ଦୀର ବହୁ ପୂର୍ବରୁ କଳିଙ୍ଗମାନଙ୍କର ବାଣିଜ୍ୟ କେନ୍ଦ୍ର ଥିଲା।

ବର୍ତ୍ତମାନର ବଙ୍ଗୋପସାଗର ପୂର୍ବନାମ ‘ପୂର୍ବାମ୍ବୁଧ’ ଉପକୂଳରେ ଅବସ୍ଥିତ ପୁରୀ, ଚିଲିକା, ତାମ୍ରଲିପ୍ତ, ସୁବର୍ଣ୍ଣରେଖା, ନରେଖା, ସାରଗୋ, ବାଲେଶ୍ୱର, ଲୋଚନପୁର, ଚୁଡାମ, ଧାମରା, ଚେଳିତୋଳ ପ୍ରଭୃତି ପ୍ରଧାନ ବନ୍ଦର ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କଳିଙ୍ଗବାସୀମାନେ ଦକ୍ଷିଣ-ପୂର୍ବ ଏସିଆର ଯେଉଁ ଦ୍ୱୀପପୁଞ୍ଜ ସହିତ ନୌବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ ତାହା ‘ସୁବର୍ଣ୍ଣଦ୍ୱୀପ’ ନାମରେ ପରିଚିତ ଥିଲା। ପ୍ରାଚୀନ ଚୀନ୍ ବିବରଣୀ କଳିଙ୍ଗର ଅଧିବାସୀମାନଙ୍କୁ ‘କୁ-ଉନ୍-ଲୁନ୍’ ବୋଲି କୁହାଯାଇଛି। ସେଥିରୁ ଜଣାଯାଏ ଯେ ମାଳୟ ଦ୍ୱୀପପୁଞ୍ଜରେ କଳିଙ୍ଗବାସୀ ସର୍ବପ୍ରଥମେ ରାଜ୍ୟ ଓ ସଂସ୍କୃତିର ବିକାଶ କରାଇଥିଲେ। ଏଥିସହ ଜାଭାଦ୍ୱୀପର ଇତିହାସରୁ ଜଣାପଡେ କଳିଙ୍ଗର ରାଜପୁତ୍ର ୨୦,୦୦୦ ପରିବାରକୁ ସେଠାକୁ ପଠାଇ କାଳକ୍ରମେ ସେଠାରେ ବସତି ସ୍ଥାପନ କରିଥିଲେ।

ବର୍ତ୍ତମାନ ସାଧବପୁଅ ନାହାନ୍ତି ସତ କିନ୍ତୁ ସେହି ଗୌରବମୟ ପରମ୍ପରାକୁ ସ୍ମରଣ କରି ଆଜି ବି ଓଡ଼ିଆମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ ସ୍ନାନ କରି କଦଳୀ ବାସୁଙ୍ଗା କିମ୍ବା ସୋଲ ନିର୍ମିତ ଡଙ୍ଗାରେ ପାନ, ଗୁଆ, ଚାଉଳ ରଖି ଦୀପ ଜାଳି ଆ-କା-ମା-ବୈ ଉଚ୍ଚାରଣ କରି ବୋଇତ ଭସାଣି ଉତ୍ସବ ପାଳନ କରିନ୍ତି ଏଥିସହ ଏହି ଅବସରରେ ବାଲିଯାତ୍ରା ମଧ୍ୟ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳିତ ହୁଏ। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ବାଲିଯାତ୍ରା ଅନୁଷ୍ଠିତ ହୋଇ ପାରୁନାହିଁ ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...