ଓଡ଼ିଶାର ଅନନ୍ୟ କଳା ‘ଜଉ କଣ୍ଢେଇ’

ପୁରୁଣା ବାଲେଶ୍ଵର ସମେତ ଜିଲ୍ଲାର ପାତ୍ରପଡ଼ା, ବଡ଼ଖୁଆ ଆଦି ଅଞ୍ଚଳର  ଅନନ୍ୟ କଳା ହେଉଛି ଜଉ କଣ୍ଢେଇ  ।

212

Insight Bureau: କଳା, ଭାସ୍କର୍ଯ୍ୟ, ସଂସ୍କୃତିରେ ଭରପୁର ଆମ ଓଡ଼ିଶାର ମାଟି । ଆଜି ବି ପୃଷ୍ଠପୋଷକତା ଅଭାବ, ବିଦେଶୀ ସଂସ୍କୃତି  ଓ ଯନ୍ତ୍ରସଭ୍ୟତାର ପ୍ରବଳ ପ୍ରତିଯୋଗିତା ସତ୍ତ୍ୱେ କିଛି କଳାକାର ଅଛନ୍ତି ବଞ୍ଚାଇ ରଖିଛନ୍ତି ଅନେକ  କଳାକୁ । ସେଇ ଗୋଟିଏ ବୃତ୍ତିକୁ କେନ୍ଦ୍ର କରି ଗଢିଉଠିଛି ଗୋଟିଏ ଗାଁ, ଗାଁର ବାସିନ୍ଦାଙ୍କର ସେଇ ଗୋଟିଏ ଆତ୍ମନିଯୁକ୍ତି । କେଉଁଠି ପଥରରେ ଖୋଦେଇ କରି ତ , କେଉଁଠି ମୁଖା ତିଆରି କରି । ଆଉ କେଉଁଠି ରୂପାରେ କମନୀୟ କୋଣାର୍କ ତିଆରିହୁଏ, କେଉଁଠି ମାଛଧରା ଡଙ୍ଗା ଓ ଜାଲ ତିଆରି ହୁଏ । ଆଉ କେଉଁ ଗାଁରେ ସୋଲରେ ମୁକୁଟ ତିଆରି ହୁଏ, ପୁଣି କେଉଁଠି ମାଟିରେ ଗଢାହୁଏ କେତେ କଣ ।  ଯାହା ନିଜ ରାଜ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ରାଜ୍ୟ ବାହାର ଲୋକଙ୍କୁ ବି ଆକର୍ଷିତ କରି ପାରୁଛି ।

Traditional Toys of Odisha
@Manaswiini

ପୁରୁଣା ବାଲେଶ୍ଵର ସମେତ ଜିଲ୍ଲାର ପାତ୍ରପଡ଼ା, ବଡ଼ଖୁଆ ଆଦି ଅଞ୍ଚଳର  ଅନନ୍ୟ କଳା ହେଉଛି ଜଉ କଣ୍ଢେଇ  । ବର୍ତ୍ତମାନ ସାମ୍ପ୍ରତିକ ସମାଜର ମଣିଷମାନେ ଯେମିତି ଲୁହା, ଷ୍ଟିଲ, ପ୍ଲାଷ୍ଟିକ, ଆଲ୍‌ମୁନିୟମ, ଫାଇବର ସହିତ ପରିଚିତ ଜଉ ବା ଲାଖ ସହିତ ସେମିତି ପରିଚିତ ନୁହଁନ୍ତି । କାରଣ ଏବେ ଜଉ ବା ଲାଖର ପ୍ରଚଳନ କମିବାରେ ଲାଗିଛି । ଏଥିରେ ସ୍ତ୍ରୀଲୋକମାନେ ପିନ୍ଧୁଥିବା ଶଙ୍ଖା, ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହେବା ସହିତ ଏହା ଏକ ବିଶେଷ ପ୍ରଲେପ ଭାବରେ ବ୍ୟବହୃତ ହୁଏ । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଜଙ୍ଗଲରୁ ଜଉ ବହୁ ପରିମାଣରେ ମିଳୁଥିବା ସୂଚନା ରହିଥିଲା ।

Support Independent Journalism? Keep us live.

Traditional Toys of Odisha
@Manaswiini

ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ ଓ କଟକ ଜିଲ୍ଲାରେ ଜଉକୁ ନେଇ ବିଭିନ୍ନ ସୁନ୍ଦର ହସ୍ତକାମର ପରମ୍ପରା ଥିଲେ ମଧ୍ୟ ବାଲେଶ୍ଵର ମାଟିରେ ଜଉର ସ୍ଵତନ୍ତ୍ର ପରିଚୟ ତଥା ବ୍ୟବହାର ରହିଛି  । ଦାମ୍ପତ୍ୟ ଜୀବନକୁ ସରଳ ଆଉ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ପବିତ୍ର ସାବିତ୍ରୀ ବ୍ରତର ଫରୁଆ ଭିତରେ ବରକନିଆଁ ଜଉ କଣ୍ଢେଇ ସହିତ ଜଉଚୁଡ଼ି ଦେବାର ବିଧି ରହିଛି  ।  କେବଳ ସେତିକି ନୁହଁ ବାହାଘରବେଳେ କନିଆଁ ପକ୍ଷ ଏହି କଣ୍ଢେଇ ନବଦମ୍ପତିଙ୍କ ହାତରେ ଟେକି ଦେଇ ବୈବାହିକ ଜୀବନର ସୁଖକାମନା କରିବାର ଏକ ନିଆରା ପରମ୍ପରା ତଥା ଲୋକସଂସ୍କୃତି  ବାଲେଶ୍ବରରେ ରହିଛି  । ତେବେ ନବରଙ୍ଗପୁରରେ ମଧ୍ୟ ଜଉକଳାର ସ୍ବତନ୍ତ୍ର ପ୍ରଚଳନ ରହିଛି । ମୂର୍ତ୍ତି ବା କଣ୍ଢେଇ ତିଆରି ଅପେକ୍ଷା ବାଉଁଶ ବା ବେତରେ ତିଆରି ହୋଇଥିବା ପେଡ଼ି, ଟୋକେଇ ଉପରେ ଏହି ଜଉର ପ୍ରଲେପ ଦିଆଯାଇ ଚିତ୍ର ଅଙ୍କନ କରାଯାଇ, ସେ ପେଡ଼ି ବା ଟୋକେଇକୁ ବାହାଘର ବେଳେ ଯୌତୁକରେ ଦିଆଯାଇଥାଏ । ମାଣବସା ତଥା ଅନ୍ୟାନ୍ୟ ପର୍ବପର୍ବାଣିରେ ପୂଜାବେଳେ ଏପରି ପେଡ଼ି ବ୍ୟବହାର ସ୍ବତନ୍ତ୍ର । ବିଶେଷତଃ ଜମିଦାର ପରିବାରରେ ଏହି ଜଉ-ପେଡ଼ିର ବିଶେଷ ପ୍ରଚଳନ କରାଯାଉଥିଲା  ।

Traditional Toys of Odisha
@Manaswiini

ଜଉ କଣ୍ଢେଇ ତିଆରି କରିବାକୁ ହେଲେ ପ୍ରଥମେ ମାଟିରେ ମୂର୍ତ୍ତି ତିଆରି କରାଯାଏ । ତା’ପରେ ତାକୁ ନିଆଁରେ ପୋଡ଼ି ସେଇ ପୋଡ଼ା ମୂର୍ତ୍ତି ଉପରେ ଜଉର ପ୍ରଲେପ ଦିଆଯାଏ ଏବଂ ତା’ ଉପରେ ଆବଶ୍ୟକ ଅନୁଯାୟୀ ରଙ୍ଗ ମଧ୍ୟ ଦିଆଯାଏ । ଜଉର ପ୍ରଲେପ ତେଲିଆ ଓ ଚିକ୍କଣ ହୋଇଥିବାରୁ ସେଥିରେ ପାଣି ପଡ଼ିଲେ ମୂର୍ତ୍ତିର କୌଣସି କ୍ଷତି ହୁଏ ନାହିଁ । ଏହାଛଡ଼ା ମୂର୍ତ୍ତି ଉପରେ ଧୂଳି ମଇଳା ପଡ଼ିଲେ ପୋଛିଦେଇ ସଫା କରିହୁଏ । ଭାରତର ବିଭିନ୍ନ ଭାଗରେ ଜଉକଳାର ଆଦର ବଳବତ୍ତର ଥିବା ବେଳେ ବାଲେଶ୍ୱରର ଏହି ନିଆରା ପରମ୍ପରା କେବଳ କଣ୍ଢେଇ ମଧ୍ୟରେ ସୀମିତ ହୋଇ ରହି ନ ଥିଲା । ଆଜିକୁ  ୨୦୦ ବର୍ଷ କିମ୍ବା ଅଧିକ ଦିନରୁ ଏଠାକାର ଶଙ୍ଖାରୀ ପରିବାର ଜଉ କଣ୍ଢେଇ ତିଆରିର ପରମ୍ପରା ସୃଷ୍ଟି କରିଥିଲେ । ଏହାର ସରଳ ଓ ସୁନ୍ଦର ଗଠନାକୃତି ଆଦିମ ଆଦିବାସୀ ସମ୍ପ୍ରଦାୟର ବୋଲି ଗବେଷକମାନେ  ମତ ଦିଅନ୍ତି ।

Comments are closed.