ଅଣ୍ଡା ଫୁଟିବା ପରେ ହଜାର ହଜାର ଅଲିଭ୍ ରିଡ୍‌ଲେ ଶାବକ ସମୁଦ୍ର ମୁହାଁ

ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ ଫେରୁଛନ୍ତି ହଜାର ହଜାର କୁନି କଇଁଛ ଶାବକ ।

Insight Bureau: ପ୍ରତିବର୍ଷ ଅଲିଭ୍‌ ରିଡ୍‌ଲେ ସାଧାରଣତଃ ନଭେମ୍ବରରୁ ଡ଼ିସେମ୍ବରରେ ମୁହାଣକୁ ଆସି ଅଣ୍ଡା ଦେଇ ଫେବ୍ରୁଆରିରେ ସମୁଦ୍ରକୁ ଚାଲିଯାଆନ୍ତି ।  ଦୁଇ ମାସ ଧରି ସମୁଦ୍ର ମୁହାଣରେ ସାଧାରଣ ଲୋକଙ୍କ ଚଳପ୍ରଚଳ ନିଷିଦ୍ଧ କରାଯିବା ସହ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବିଭାଗ ନିଜେ ସଜାଗ ରହିବା ସହିତ ଲୋକଙ୍କୁ ମଧ୍ୟ ସଚେତନ କରିଥାଏ । ଅଣ୍ଡାରୁ କଇଁଛ  ଛୁଆଙ୍କ ସୁରକ୍ଷିତ ସମୁଦ୍ର ଫେରିବା ଯାଏ ଏମାନଙ୍କ ଖୁବ ଯତ୍ନ ନିଆ ଯାଇଥାଏ ।

ଏଥିପାଇଁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ମଧ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସାମୁଦ୍ରିକ କଟକଣା ସହ ନାସୀ, ଗଙ୍ଗାଦେବୀ, ଯାହାନିଆ, ଡାଳୁଅକଣି, କଂଅରପୁର ଭଳି ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି ।

ଚଳିତ ବର୍ଷ ସନ୍ତୁଳିତ ସାମୁଦ୍ରିକ ପରିବେଶ ପାଇଁ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ଦାନ ଓ ପ୍ରଜନନ ପରିବେଶବିତ୍ତଙ୍କ ପାଇଁ ଖୁସି ଆଣିଛି । ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ ଫେରୁଛନ୍ତି ହଜାର ହଜାର କୁନି କଇଁଛ ଶାବକ ।

Support Independent Journalism? Keep us live.

ସୂଚନା ଅନୁସାରେ, ତିନି ବର୍ଷ ଧରି ପୁରୀ ଜିଲ୍ଲା ଉପକୂଳରେ ସାମୁଦ୍ରିକ ବାତ୍ୟା ଫୋନି ଓ କରୋନା କଟକଣା ପାଇଁ ଏହି ସାମୁଦ୍ରିକ କଇଁଛଙ୍କ  ଅଣ୍ଡା ଦାନ ଓ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ।

ହେଲେ ଚଳିତ ଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଁଣ ଠାରୁ ବ୍ରହ୍ମଗିରିର ହରଚଣ୍ଡୀ ଉପକୂଳରୁ ୧ଲକ୍ଷ ୬ହଜାର ୩୪୯ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେ ଅଣ୍ଡା ସଂଗୃହିତ ହୋଇଛି । ଏ ପର୍ଯ୍ୟନ୍ତ ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରରୁ ୨୫ ହଜାର ୧୬୫ ଅଲିଭ ରିଡ଼ଲେ ସାବକଙ୍କୁ ସମୁଦ୍ରରେ ଛଡା ଯାଇଛି । ୨୦୧୯ରେ ପୁରୀ ଜିଲ୍ଲା ଉପକୂଳରେ ୬୭୯ଟି ବସାରୁ ୬୨ ହଜାର ୮୦୨ ଟି ଅଣ୍ଡା ସଂଗ୍ରହ କରାଯାଇଥିଲେ ମଧ୍ୟ ସାମୁଦ୍ରିକ ବାତ୍ୟା ଫୋନି ପାଇଁ ଅଲିଭ ରିଡ଼ଲେଙ୍କ ପ୍ରଜନନ ବାଧାପ୍ରାପ୍ତ ହୋଇଥିଲା ।

ତେବେ ୫୨୧ଟି ବସାରୁ ୫୦,୧୫୬ଟି ଅଣ୍ଡା ଓ ସେହିପରି ୨୦୨୧ରେ ୬ ଶହ ବସାରୁ ୬୦ହଜାରରୁ ଅଧିକ ଅଣ୍ଡା ସଂଗୃହିତ ହୋଇଥିଲା । କରୋନା କଟକଣା ମଧ୍ୟରେ ପ୍ରଜନନ କେନ୍ଦ୍ରରେ ଅଣ୍ଡା ଗୁଡିକର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ପ୍ରଜନନ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଇଥିଲା । କିନ୍ତୁ ଏବେ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେ ଅଣ୍ଡା ସଂଗୃହିତ ହେବା ସମସ୍ତଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

Comments are closed.