ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ

ଟାର୍ଗେଟ୍‌ରେ ପୁରାତନ ମଠ ଓ ମନ୍ଦିର । ଲଗାତାର କିଛି ମାସ ହେବ ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ । ଟାର୍ଗେଟରେ ରହିଛି ପ୍ରାଚୀନ ମନ୍ଦିରର ଅଷ୍ଟଧାତୁ ମୂର୍ତ୍ତି । 

Insight Bureau: ଟାର୍ଗେଟ୍‌ରେ ପୁରାତନ ମଠ ଓ ମନ୍ଦିର । ଲଗାତାର କିଛି ମାସ ହେବ ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ । ଟାର୍ଗେଟରେ ରହିଛି ପ୍ରାଚୀନ ମନ୍ଦିରର ଅଷ୍ଟଧାତୁ ମୂର୍ତ୍ତି । ପୁଲିସକୁ ଚ୍ୟାଲେଞ୍ଜ ଦେଇ ବିଭିନ୍ନ ମନ୍ଦିରରୁ ଚୋରି କରୁଛନ୍ତି ମୂଲ୍ୟବାନ ପୁରାତନ ମୂର୍ତ୍ତି ।  ଠାକୁରଙ୍କୁ ମଧ୍ୟ ଛାଡୁ ନାହାନ୍ତି ଦୁର୍ବୃତ୍ତ  । ପ୍ରାଚୀନ ମୂର୍ତ୍ତି ଉପରେ ରହୁଛି ତାଙ୍କ ନଜର । ଗୋଟିଏ ପରେ ଗୋଟିଏ ମନ୍ଦିରରୁ ମୂର୍ତ୍ତି ଉଠାଇ ନେଇ ପୁଲିସକୁ ଖୋଲାଖୋଲି ଚାଲେଞ୍ଜ କରୁଛନ୍ତି ଏମାନେ । ନିକଟରେ ପୁରୀ , କଟକ , ଖୋର୍ଦ୍ଧା , ଭୁବନେଶ୍ୱର ଏହି ଭଳି କେତେକ ସ୍ଥାନରୁ  ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଛନ୍ତି । ତେବେ କିଛି  ଦୁର୍ବୃତ୍ତ  ଧରା ପଡିଥିବା ବେଳେ ଆଉ କିଛିଙ୍କ ସଠିକ ଟେର ପାଉନି ପୋଲିସ । କୋଟି କୋଟିର ବେପାର କରୁଛନ୍ତି ଦୁର୍ବୃତ୍ତ, କିନ୍ତୁ ଧରାପଡ଼ୁନି ଗ୍ୟାଙ୍ଗ ଲିଡର୍‌ ।  ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତି ଚୋରି ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

Support Independent Journalism? Keep us live.

ବିପୁଳ ପରିମାଣର ମୂର୍ତ୍ତି ଚୋରି ଘଟଣା ପର୍ଦ୍ଦାଫାସ୍ ନ ହୋଇ ପଡ଼ି ରହିଛି । ଅନେକ ମାମଲାରେ ପୁଲିସ ଫେଲ୍ ମାରିଥିବା ବେଳେ ବହୁ ପ୍ରାଚୀନ ମୂର୍ତ୍ତିର ସନ୍ଧାନ ମିଳିପାରୁନି। ଏ ସବୁ ମୂର୍ତ୍ତି ବିଦେଶକୁ ଚାଲାଣ ହୋଇଥିବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି ରାଜ୍ୟ ପାଇଁ । ଆମେରିକା, ୟୁରୋପରେ ଭାରତୀୟ ପ୍ରାଚୀନ ମୂର୍ତ୍ତିର ଚାହିଦା ଯଥେଷ୍ଟ ଅଧିକ ରହିଥିବା ବେଳେ ଏହା କୋଟି କୋଟି ଟଙ୍କାର ବେପାର ହୋଇଥାଏ । ଏହା ପଛରେ ଅନ୍ତଃରାଜ୍ୟ ରାକେଟର  ହାତ ରହିଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଏହି ମୂର୍ତ୍ତି ଚୋର ରାକେଟ କେଉଁ ଅଞ୍ଚଳର ତାହା ଟେର୍ ପାଇ ପାରୁନି  ପୁଲିସ । ଯାହା ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି । ଆଗକୁ ବଡ଼ ମନ୍ଦିର ଯେ ଟାର୍ଗେଟ ନ ହେବ ତାହା କେହି କହିପାରିବେ ନାହିଁ । ଏଥିନେଇ ଐତିହାସିକଙ୍କ ମତରେ, ଅଷ୍ଟଧାତୁ ମୂର୍ତ୍ତିରେ ସୁନା, ରୁପା, ପିତ୍ତଳ ଭଳି ବହୁ ମୂଲ୍ୟବାନ ଧାତୁ ମିଶିଥାଏ ତାଛଡ଼ା ଯେଉଁ ମୂର୍ତ୍ତି ଯେତେ ପୁରୁଣା, ତାର ଦର ସେତେ ଅଧିକ । ତେଣୁ ଚୋରଙ୍କ ଟାର୍ଗେଟ୍‌ରେ ରହୁଛି ମନ୍ଦିର ।

ଗତ ମାର୍ଚ୍ଚ ମାସରେ ପୁରୀ ବୀରନରସିଂହପୁରର ଏକ ମନ୍ଦିରରୁ ୫ ମୂର୍ତ୍ତି ଚୋରି ହେବା ପରେ ଗତ ୮ ତାରିଖ ରାତିରେ ରାଜଧାନୀ ଉପକଣ୍ଠ ଟଙ୍କପାଣି ମନ୍ଦିରରୁ ଚୋରି ହୋଇଛି ୮ଟି ମୂଲ୍ୟବାନ ମୂର୍ତ୍ତି । ବାଲିଅନ୍ତା ଥାନା ଅଞ୍ଚଳରେ ତ ଗତ ୬ମାସରେ ୫ ମନ୍ଦିରରୁ ହରଣଚାଳ ହେଲାଣି ୩୯ରୁ ଅଧିକ ମୂର୍ତ୍ତି । ଗତ ୮ ତାରିଖ ରାତିରେ ଏଠୁ ଚୋରି ହୋଇଛି । ସାତ ସାତଟି ମୂଲ୍ୟବାନ ମୂର୍ତ୍ତି ଯାହାଙ୍କ ମଧ୍ୟରେ ଅଛି ଲକ୍ଷ୍ମୀ-ନାରାୟଣ, ଚନ୍ଦ୍ରଶେଖର, ପାର୍ବତୀ, ଚତୁର୍ଭୁଜା ଦୁର୍ଗା ଓ ଆଣ୍ଠୁଆ ଗୋପାଳ ଭଳି ଠାକୁରଙ୍କ ପ୍ରାଚୀନ ଅଷ୍ଟଧାତୁ ପ୍ରତିମୂର୍ତ୍ତି । ଫୁଟେରୁ ଦେଢ଼ ଫୁଟ୍ ଉଚ୍ଚର ଏସବୁ ମୂର୍ତ୍ତି ଗୁଡ଼ିକୁ ମିଶାଇଲେ ଆନୁମାନିକ ଓଜନ ୧ କ୍ୱିଣ୍ଟାଲରୁ ଅଧିକ ହେବ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ଗଲା ୪ମାସ ଭିତରେ ୫ରୁ ଅଧିକ ମୂର୍ତ୍ତିଚୋରି ମାମଲା ପୋଲିସ୍‌ର ନିଦ ହଜାଇ ଦେଇଛି । ମାର୍ଚ୍ଚ ୧୧ରେ ବୀରନରସିଂହପୁର ଗୋପୀନାଥ ଦେବଙ୍କ ମନ୍ଦିରକୁ ଦିଅଁଶୂନ୍ୟ କରି ୫ମୂର୍ତ୍ତି ଗାଏବ କରିଥିଲେ ଚୋର । ଗତ କିଛି ମାସ ମଧ୍ୟରେ ଘଟିଥିବା ଇଏ କିଛି ଘଟଣା ମାତ୍ର। କିନ୍ତୁ ଉପକୂଳ ଓ ମଧ୍ୟବର୍ତ୍ତୀ ଜିଲ୍ଲାରେ ଥିବା ମନ୍ଦିର ଅସୁରକ୍ଷିତ ହୋଇ ପଡ଼ିଛି । ଚୋରି ବଢ଼ି ବଢ଼ି ଚାଲିଛି।

Comments are closed.