ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼ : ଓଡ଼ିଶା ନିରାଶ

ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼

ଇନସାଇଟ ବ୍ୟୁରୋ: ଦିଲ୍ଲୀ ଦରବାରରେ ଓଡ଼ିଶାର ମେଢ଼ ଦେଖିବାକୁ ପାଇବେ ନାହିଁ  ଓଡ଼ିଶା ତଥା ଦେଶବାସୀ । ୨୦୨୧ ରେ ମଧ୍ୟ ସାଧାରଣତନ୍ତ୍ର ଦିବସରେ ବାଦ ପଡିଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଓଡ଼ିଶା ପ୍ରଜ୍ଞାପନ ମେଢ ଶେଷଥର ପାଇଁ ୨୦୨୦ ରେ ଦିଲ୍ଲୀ ଦରବାରରେ ସ୍ଥାନିତ ହୋଇଥିଲା  ।  ୨୦୨୧ ପାଇଁ ଯେଉଁ ୨୦ ଟି ରାଜ୍ୟର ପ୍ରଜ୍ଞାପନ ମେଢ ଚୟନ ହୋଇଥିଲା ସେଥିରେ ଓଡିଶାକୁ ସ୍ଥାନିତ କରାଯାଇନଥିଲା ।

୨୦୨୦ରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ ସ୍ଥାନ ପାଇବା ସହ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା । ଏଥି ସହିତ ଯୋଗ ଦେଇଥିବା ସାଂସ୍କୃତିକ ଦଳ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୧୬ ଓ ୨୦୧୭ ରେ ଓଡ଼ିଶାର ପ୍ରଜ୍ଞାପନ ମେଢ ସ୍ଥାନ ପାଇ ପ୍ରସଂଶିତ ହୋଇଥିଲା ଦିଲ୍ଲୀ ଦରବାରରେ ।

Support Independent Journalism? Keep us live.

କିନ୍ତୁ ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ।  ଅଧିକାରୀଙ୍କ ମନକୁ ପାଇଲାନି ଓଡ଼ିଶାର ଡିଜାଇନ୍‌। ୩ଟି ବୈଠକ ପରେ ଓଡ଼ିଶାର ଡିଜାଇନ୍‌କୁ ଶେଷରେ ବାଦ୍‌ ଦିଆଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଙ୍ଗକୁ ନୃତ୍ୟସଙ୍ଗୀତ ମଧ୍ୟ ପ୍ରଦର୍ଶିତ ହୋଇଥାଏ ପ୍ରତିବର୍ଷ । ସେଥି ଯୋଗୁଁ  ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢ଼ ନିମନ୍ତେ ଓଡ଼ିଶାରୁ ୩ ସଂସ୍ଥା- ନିୟତି, ଆମେଜରି ଏବଂ ସୁଚିତ୍ରା ଇଭେଣ୍ଟ ମ୍ୟାନେଜମେଣ୍ଟର ୫ ଡିଜାଇନ ମନୋନୟନ ନିମନ୍ତେ ଯାଇଥିଲା। ଯେଉଁଥିରେ ଓଡ଼ିଶାର ହକି, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ଓ ବକ୍ସି ଜଗବନ୍ଧୁ ତଥା ପାଇକ ବିଦ୍ରୋହ ଆଦି ରହିଥିଲା। ତେବେ ଦୁଇଟି ବୈଠକ ପରେ ତୃତୀୟ ବୈଠକ ପର୍ଯ୍ୟନ୍ତ କେବଳ ପାଇକ ବିଦ୍ରୋହ ରହିଥିବାବେଳେ ଆଦର୍ଶ ବୈଠକରେ ଏହାକୁ ବାଦ୍‌ ଦିଆଯାଇଥିବା ସୂଚନା ରହିଛି । କେନ୍ଦ୍ରର ଏଭଳି ଓଡ଼ିଶା ପାଇଁ ବୈମାତୃକ ମନୋଭାବକୁ ଦେଖି ରାଜ୍ୟର ଶିଳ୍ପୀ ତଥା ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଥମେ ରସଗୋଲା ଏବଂ ଏବେ ରଥଯାତ୍ରା କୁ ‘ଅକ୍ଷୟ ସାଂସ୍କୃତିକ ଐତିହ୍ୟ’ ଜିଆଇ ଟ୍ୟାଗ୍‍ ମାନ୍ୟତା ପାଇଁ ରାଜ୍ୟ ସଂଘର୍ଷ କରୁଛି  । ଓଡ଼ିଶା ର ପରମ୍ପରା ଓ ସଂସ୍କୃତିକୁ ମାନ୍ୟତା ଦେବାରେ ଏପରି ଅନେକ ଥର କେନ୍ଦ୍ରର ଅବହେଳା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ରଥଯାତ୍ରାକୁ ‘ଇନଣ୍ଟାଜିବୁଲ  କଲଚରାଲ ହେରିଟେଜ ‘ ମାନ୍ୟତା ଦିଆଯିବା  ପାଇଁ ଗତବର୍ଷ ଠାରୁ ରାଜ୍ୟସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ୟୁନେସ୍କୋ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏ ବାବଦରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଅନ୍ୟପଟେ  କୋଲକତା ଦୁର୍ଗାପୂଜାକୁ ନିକଟରେ ଏହି ମାନ୍ୟତା ଦିଆଯାଇଛି । ରଥଯାତ୍ରାକୁ ଏହି ମାନ୍ୟତା ପ୍ରଦାନ ନେଇ ଓଡ଼ିଶାର ସଂସ୍କୃତିପ୍ରେମୀ ଓ ଶ୍ରୀଜଗନ୍ନାଥ ଗବେଷକମାନେ ଦାବି କରିବା ସହିତ ତ୍ଵରିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

Comments are closed.