ବଦଳୁଛି ମିଶନ ଶକ୍ତିର ପରିଭାଷା: ରାଜ୍ୟର ସମସ୍ତ ମେଡିକାଲର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି

ରୋଗୀଙ୍କୁ ଖାଦ୍ୟ ଯୋଗାଣରୁ ଡାକ୍ତରଖାନାର ସମ୍ବର୍ଦ୍ଧନା କକ୍ଷର ଦାୟିତ୍ବ ନେବେ ଏସ୍ଏଚଜି ମହିଳା ।

Insight Bureau: ଏସଏଚଜି ସଦସ୍ୟା ସଶକ୍ତ ହେଉଥିବାବେଳେ ଏବେ ବଦଳୁଛି ମିଶନ ଶକ୍ତିର ପରିଭାଷା । ରାଜ୍ୟ ସରକାରଙ୍କ ସହଭାଗିତାରେ ବ୍ୟବସାୟ କରୁଛନ୍ତି ଏସଏଚଜି ସଦସ୍ୟା । ଧାନକିଣାଠାରୁ ଗାଁ ଗାଁରେ ବ୍ୟାଙ୍କସେବା, ଜଳ ଓ ପରିମଳ ପରିଚାଳନା ଠାରୁ ମାଛଚାଷ, ସବୁଠି ପ୍ରଦର୍ଶନ କରିଛନ୍ତି ନିଜର ଦୃଢ ଦକ୍ଷତା । ଏବେ ରାଜ୍ୟ ସରକାର ଆଉ ଏକ ସୁଯୋଗ ଦେବାକୁ ଯାଉଛନ୍ତି ସେମାନଙ୍କୁ  । ଏସଏଚଜି ନେବେ ଡାକ୍ତରଖାନା ଦାୟିତ୍ବ । ରାଜ୍ୟର ସମସ୍ତ ମେଡିକାଲ କଲେଜ, ମେଡିକାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି ସଦସ୍ୟା । ରୋଗୀଙ୍କୁ ଖାଦ୍ୟ ଯୋଗାଣରୁ ଡାକ୍ତରଖାନାର ସମ୍ବର୍ଦ୍ଧନା କକ୍ଷର ଦାୟିତ୍ବ ନେବେ ଏସ୍ଏଚଜି ମହିଳା ।  ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସବୁ ମେଡିକାଲ କଲେଜ ଏବଂ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

Support Independent Journalism? Keep us live.

ମିଶନ ଶକ୍ତି ଦ୍ବାରା ସ୍ବାବଲମ୍ବୀ ହେବା ସହ ଶକ୍ତିଶାଳୀ ହେଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା । ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ୨୧ବର୍ଷ ପରେ ୭୦ଲକ୍ଷ ମହିଳାଙ୍କ ଭରସା ପାଲଟିଛି । ଏବେ ପ୍ରାୟ ୨୪ଟି ବିଭାଗରେ ସରକାରଙ୍କ ସହ ଭାଗିଦାରୀରେ ଏସ୍ଏଚଜି କାମ କରୁଛନ୍ତି । ମାଛଚାଷ, ଧାନଚାଷରୁ ଧାନ କିଣା ଯାଏ, ଜଳ ପରିଚାଳନାରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଚଲାଇବା ଯାଏଁ ସବୁଠି ଦେଖାଇଛନ୍ତି ସେମାନେ ତାଙ୍କର ନିଜ ଦୃଢ ଦକ୍ଷତା ।

୨୦୧୮ରେ ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଥିଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ । କଳାହାଣ୍ଡି ଜିଲ୍ଲାର ୧୭ଟି ପଞ୍ଚାୟତରେ ୧୭ଟି ଏସ୍ଏଚଜି ଧାନକିଣା ଦାୟିତ୍ବ ନେଇଥିଲେ । ୨୦୨୨ରେ ୧୩ଶହ ଏସଏଚଜି ୪ ହଜାର କୋଟି ଟଙ୍କାର ଧାନ କାରବାର କରି ଦକ୍ଷତା ଦେଖାଇଛନ୍ତି ଏହି ମହିଳା ସଦସ୍ୟାମାନେ । ସେହିପରି ଗାଁ ଗାଁ ରେ ବ୍ୟାଙ୍କ ଶାଖା ନଥିବାରୁ ମହିଳା ଏସଏଚଜିଗୁଡ଼ିକ ବ୍ୟାଙ୍କ ସଖୀ ଭୂମିକା ତୁଲାଉଛନ୍ତି । ୨୨ଶହ ମହିଳା ସଦସ୍ୟା ଗତବର୍ଷ ୮୮୦କୋଟି ଟଙ୍କାର କାରବାର କରିଥିଲେ । କମିଶନ ବାବଦକୁ ପ୍ରତି ସଦସ୍ୟା ମାସକୁ ୩ରୁ ୧୫ ହଜାର ଟଙ୍କା ରୋଜଗାର କରିଛନ୍ତି । ଏବେ ଡାକ୍ତରଖାନାର ଡାଏଟ୍ ମ୍ୟାନେଜମେଣ୍ଟ, ହାଉସ କିପିଙ୍ଗ୍‌, ଅଭ୍ୟର୍ଥନା ପ୍ରକୋଷ୍ଠ, ବିଏସକେଓ୍ବାଇ ସଚେତନତା କେନ୍ଦ୍ର, ମହାପ୍ରୟାଣ ଗାଡ଼ି ପରିଚାଳନା ଭଳି ଦାୟିତ୍ବ ସମ୍ଭାଳିବେ । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଓ ଆନ୍ତରିକତା ଏବଂ ମହିଳାଙ୍କ ଆଗକୁ ବଢିବା ଚିନ୍ତାଧାରା ସେମାନଙ୍କୁ ଏକ ବିପ୍ଳବରେ ପରିଣତ ହାଇପାରିଛନ୍ତି ।

Comments are closed.