କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

Date:

କଳାହାଣ୍ଡି(ଦୁଷ୍ମନ୍ତ ପଣ୍ଡା): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ରାଜାରାଜୁଡା ଶାସନ ଅମଳରୁ କଳାହାଣ୍ଡି ରାଜତନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବରେ ଜଗତଜନନୀ ମାଁ ମାଣିକେଶ୍ୱରୀ ରାଜପ୍ରାସାଦ ପାଶ୍ୱର୍ରେ ପ୍ରତିଷ୍ଠିତ ମନ୍ଦିରରେ ପୂଜା ପାଇଆସୁଛନ୍ତି। ମାଆଙ୍କର ମହିମା ଅନେକ। ଜନଶ୍ରୁତି ଅନୁସାରେ ପୁରାତନ କଳାହାଣ୍ଡି ରାଜ୍ୟର ରାଜଧାନୀ ବହୁ ପୁରାତନ ଜୁନାଗଡ ନଗରରେ ଥିବା ବେଳେ ସେଠାରେ ରାଜପରିବାରର ସଦସ୍ୟ ଦୂରାରୋଗ୍ୟରେ ପୀଡିତ ହେବାପରେ ଜୁନାଗଡ ନଗର ଛାଡିବାକୁ ବାଧ୍ୟ ହୋଇଥିଲେ। ସେହି ସମୟରୁ ରାଜପରିବାର ମାଣେକେଶ୍ୱରୀଙ୍କ ଶରଣାପନ୍ନ ହୋଇ ସୁସ୍ଥ ହେବାପରେ ନିଜର ଇଷ୍ଟଦେବୀ ରୂପେ ପୂଜା କରିଆସୁଥିଲେ।

- Advertisement -

ପରବର୍ତ୍ତୀ ପର୍ଯ୍ୟାୟରେ ମାଣିକେଶ୍ୱରୀ ସମଗ୍ର କଳାହାଣ୍ଡି ରାଜ୍ୟର ଅଧିବାସୀଙ୍କ ଇଷ୍ଟଦେବୀ ରୂପେ ପୂଜିତ ହୋଇଆସୁଛନ୍ତି। ରାଜା ପ୍ରଥମେ ଯୁଗସାଏପାଟଣା ଓ ପରେ ବର୍ତ୍ତମାନର ଭବାନୀପାଟଣା ଠାରେ ରାଜଧାନୀ ପ୍ରତିଷ୍ଠା କରିବା ସହିତ ରାଜପ୍ରାସାଦ ସନ୍ନିକଟରେ ମାଣେକେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି। କୁହାଯାଏ ଯେ, ମାଁ ମାଣିକେଶ୍ୱରୀ ଛିନ୍ନମସ୍ତା ରୂପରେ ଭବାନୀପାଟଣା ଓ ଥୁଆମୂଲ ରାମପୁର ଠାରେ ପୂଜା ପାଇ ଆସୁଛନ୍ତି। କାଳକ୍ରମେ ସମୟ ବଦଳୁଥିଲେ ହେଁ ମାଁଙ୍କ ପରମ୍ପରା ବଦଳୁ ନାହିଁ। ସମୟ ଅନୁସାରେ ମାଣିକେଶ୍ୱରୀ କେବଳ ରାଜପ୍ରାସାଦ ମଧ୍ୟରେ ସୀମିତ ନରହି ସମଗ୍ର ମାନବ ଜାତିର ଅଧଥଷ୍ଠାତ୍ରୀ ଦେବୀ ଭାବରେ ମାନ୍ୟତା ପାଇଛନ୍ତି।

ପ୍ରତିବର୍ଷ ଦଶହରା ସମୟରେ ଶୁକ୍ଳପକ୍ଷ ମୂଳାଷ୍ଟମୀ ଦିନ ମାଣିକେଶ୍ୱରୀଙ୍କ ମସ୍ତକ ସ୍ଥାପନ କରାଯିବାର ବିଧି ରହିଛି ଏବଂ ସେହିଦିନଠାରୁ ମାଆଙ୍କ ପାର୍ବଣ ଆରମ୍ଭ ହୋଇଥାଏ। କୃଷ୍ଣପକ୍ଷ ଅଷ୍ଟମୀ ପୂଜା ପରେ ମଧ୍ୟରାତ୍ରରେ ସନ୍ଧିପୂଜା ହୋଇ ମାଆଙ୍କର ଛତର ବିଜୟ ଯାତ୍ରା ପର୍ବ ଆରମ୍ଭ ହୋଇଥାଏ। ଭବାନୀପାଟଣା ଉପକଣ୍ଠରେ ଥିବା ଜେନାଖାଲ ପାଖକୁ ମାଆଙ୍କର ଛତର ନିର୍ଦ୍ଧାରିତ ସେବକ ମାନଙ୍କ ଦ୍ୱାରା ନିଆଯାଇଥାଏ। ସେଠାରେ ପୂଜା ଅର୍ଚ୍ଚନା ଓ ଭୋଗ ଦେବାପରେ ବାଜା ରୋଷଣୀ ମାଧ୍ୟମରେ ମାଆଙ୍କର ଛତର ବିଜୟ ଯାତ୍ରା ହୋଇଥାଏ। କୁହାଯାଏ ମାଆ ପ୍ରତିବର୍ଷ ଥରେ ଭକ୍ତ ମାନଙ୍କୁ ଆଶୀର୍ବାଦ କରିବା ପାଇଁ ମନ୍ଦିର ବାହାରକୁ ଆସିଥାନ୍ତି ଏବଂ ଜେନାଖାଲ ଠାରେ ପରମ୍ପରା ଅନୁଯାୟୀ ଭୋଗ ହେବା ପରେ ସମସ୍ତଙ୍କୁ ଦର୍ଶନ ଦେଇ ପୁଣି ମନ୍ଦିରକୁ ଫେରିଥାନ୍ତି। ମାଣିକେଶ୍ୱରୀଙ୍କ ମହିମା ଅନେକ ଏବଂ ଅନେକ ପରମ୍ପରା ରହିଛି। ମାଣିକେଶ୍ୱରୀ ମନ୍ଦିରରେ ଛଡାଯାଇଥିବା ପାରା ଉଡିଯାଇ ପା୍ଞ୍ଚ କିଲୋମିଟର ଦୂରସ୍ଥ ଜେନାଖାଲ ଠାରୁ ଜନଗହଲି ବାଜା ରୋଷଣି ମଧ୍ୟରେ ଛତର ଉପରେ ବସି ମନ୍ଦିରକୁ ଫେରିବା ନିଶ୍ଚିତ ଭାବେ ଅଲୌକିକ ଘଟଣା।

ଚଲିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲେ ହେଁ ଭକ୍ତମାନେ ଆବେଗର ସହ ମାଆଙ୍କର ଛତର ଯାତ୍ରାକୁ ପାଳନ କରିବାର ଦେଖାଯାଇଥିଲା। ଏପରିକି ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ରାସ୍ତା ସାରା ବଳି ଦିଆଯାଇଥିବାର ଦେଖାଯାଇଥିଲା। କଡା ସୁରକ୍ଷା ବଳୟ ମଧ୍ୟରେ ମାଣିକେଶ୍ବରୀ ଦେବୀଙ୍କ ଛତର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲାପରେ ମନ୍ଦିରରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଛତର ଗ୍ରହଣ କରି ପୂଜାର୍ଚ୍ଚନା କରି ମନ୍ଦିରକୁ ପାଛୋଟି ନେଇଥିଲେ। ଜନସାଧାରଣଙ୍କ ଭକ୍ତି ଓ ଆବେଗ ଆଗରେ ସମସ୍ତ କଟକଣା ହାର ମାନିଯାଇଥିବା ଦେଖାଯାଇଥିଲା।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...