ପବିତ୍ର ଭୈମୀ ଏକାଦଶୀ ବା ବଡ ଏକାଦଶୀ

ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ ।

ଇନସାଇଟ ବ୍ୟୁରୋ: ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ଆଜି ଭୈମୀ ଏକାଦଶୀ । ବର୍ଷକର ୨୪ଟି ଏକାଦଶୀ ମଧ୍ୟରୁ ୪ଟିକୁ ବଡ଼ ଏକାଦଶୀ କୁହାଯାଏ । ସେଥିରୁ ମାଘ ମାସରେ ପଡ଼ୁଥିବା ଭୈମୀ ଏକାଦଶୀର ମାହାତ୍ମ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ |

ଏହିଦିନ ନିଆଳି ସ୍ଥିତ ପୌରାଣିକ ମାଧବାନନ୍ଦଜୀଉ ପୀଠରେ ଶତାଧିକ ଶ୍ରଦ୍ଧାଳୁ ପୁଣ୍ୟତୋୟା ପ୍ରାଚୀନଦୀର ପାଣ୍ଡବ ତୀର୍ଥରେ ବୁଡ଼ ପକାଇଥାନ୍ତି । ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ଏକାଦଶୀର ନାମ ଜୟା ଓ ଏହି ଏକାଦଶୀ ବ୍ରତ କଲେ ପିଶାଚତ୍ୱ ନାଶହୁଏ । ଅର୍ଥାତ ଏହିଦିନ ଶୁଦ୍ଧ, ପବିତ୍ର ଭାବରେ ଉପବାସ ଓ ବିଷ୍ଣୁ ପୂଜନ କଲେ ମଣିଷ ମନରେ ଥିବା ଦୁଷ୍ଟ ପ୍ରବୃତ୍ତିର ବିଲୟ ଘଟେ ।

Support Independent Journalism? Keep us live.

ଏହି ଦିନ ଉପବାସ ରହି ଭିଷ୍ମଙ୍କୁ ସ୍ମରଣ କଲେ ଏବଂ ସାରା ଦିନ ବିଷ୍ଣୁସହସ୍ର ନାମ ଜପ କଲେ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ବିଷ୍ଣୁଙ୍କୁ ପୂଜା ଓ ବନ୍ଦନା କରାଯାଏ ।ଓଡ଼ିଶାରେ ଏହି ଏକାଦଶୀ ଦିନ ସାକ୍ଷୀଗୋପାଳର ଶ୍ରିଗୋପାଳଜୀଉଙ୍କ ଗଜଉଦ୍ଧାରଣ ବେଶ ହୋଇଥାଏ । ଯାଜପୁରରେ ବ୍ୟାସ ସରୋବର ମେଳା ଓ କଣ୍ଟିଲୋ ର ନୀଳମାଧବଙ୍କ ପୀଠରେ ଭୌମୀ ଏକାଦଶୀ ଯାତ୍ରା ଆରମ୍ଭ ହୁଏ ।

ପଦ୍ମପୁରାଣ ଅନୁଯାୟୀ , ଏକଦା ସ୍ୱର୍ଗପୁରୀରେ ଇନ୍ଦ୍ରଙ୍କ ସମ୍ମୁଖରେ ଗନ୍ଧର୍ବ ଗାନ କରୁଥିଲେ ଏବଂ ଅପ୍ସରାମାନେ ନୃତ୍ୟ କରୁଥିଲେ । ଏହି ଆୟୋଜନରେ ପୁଷ୍ପବତୀ ନାମକ ଏକ ଗନ୍ଧର୍ବ କନ୍ୟା ଏବଂ ମାଲ୍ୟବାନ ନାମକ ଏକ ଯୁବକ ଥିଲେ । ସେ ଦୁହେଁ ପରସ୍ପରପ୍ରତି ମୋହମତ୍ତର ଥିଲେ । କାମ ବାଣ କାରଣରୁ ସେମାନେ ସ୍ଥାନ କାଳ ପାତ୍ର ପ୍ରତି ଅନ୍ଧ ଥିଲେ । ତାଙ୍କର ସାଧାରଣ ବିଚାର ନଥିଲା ଯେ ସେମାନେ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ଓ ସଂଗୀତ ପରିବେଷଣ କରୁଛନ୍ତି । ସଭାକଥା ଭୁଲି ଦୁହେଁ ଦୁହିଁଙ୍କ ପ୍ରତି ନିମନ୍ତ୍ରଣ ଦୃଷ୍ଟି ରଖୁଥିଲେ । ଏମିତିକି ମାଲ୍ୟବାନ ନିଜକୁ ଦିୱାନା ରୂପେ ସଜାଇ ଗାଉଥିବା ଗୀତକୁ ମଧ୍ୟ ଭୁଲିଯାଇଥିଲେ ଏବଂ ପୁଷ୍ପବତୀ ପ୍ରେମପାଗଳିନୀ ହେତୁ ନୃତ୍ୟର ତାଳମାନ ବି ଭୁଲି ଯାଉଥିଲେ । ଦେବରାଜ ଇନ୍ଦ୍ର ଭରପୁର ସଭାରେ ସେମାନଙ୍କ ଆଚରଣ ଦେଖି କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେ ଦୁହେଁ ପିଶାଚ ଯୋନି ପ୍ରାପ୍ତ କରନ୍ତୁ । ଏତିକି କହି ସେ ସେମାନଙ୍କୁ ସ୍ୱର୍ଗଚ୍ୟୁତ କଲେ । ସେ ଦୁହେଁ ସ୍ୱର୍ଗାରୋହଣ ଦ୍ୱାର ଦେଇ ହିମାଳୟର ବଦ୍ରୀନାଥରେ ପହଞ୍ଚି ସେହି ହିମାଳୟ ଧାମରେ ନିବାସ କଲେ । ସେଠି ଏତେ କଷ୍ଟପାଇଲେ ଯେପରି ତାଙ୍କ ଜୀବନଟା କେମିତି ଉଦାସ ମନେହେଲା । ସୌଭାଗ୍ୟକୁ ଏହି ଏକାଦଶୀ ଦିନ ଦୁହେଁ ଜୀବହିଂସା କଲେ ନାହିଁ । ଖାଦ୍ୟ ଓ ଜଳ ସ୍ପର୍ଶ ବି କଲେ ନାହିଁ ଏବଂ ରାତ୍ରି ଉଜାଗର ରହିଲେ । ଫଳରେ ତାଙ୍କର ପାପ କ୍ଷୟ ହୋଇଗଲା । ସେମାନଙ୍କୁ ସୂଚାଇ ଦିଆଗଲା ଯେ ଯେଉଁଦିନଟି ସେମାନେ ଉପାସରେ ରହି ରାତ୍ରୀ ଉଜାଗର ଥିଲେ, ସେଦିନଟି ଥିଲା ଭୈମୀ ବା ଜୟା ଏକାଦଶୀ । ଏହି ଏକାଦଶୀ କାରଣରୁ ତାଙ୍କ ମୁକ୍ତିର ବାଟ ଫିଟିଗଲା । ଅଲକ୍ଷରେ ଏକାଦଶୀରେ ବ୍ରତ କରି ପୂଣ୍ୟ ଅର୍ଜନ କରିଥିଲେ ଏବଂ ପରଦିନ ନିଜ ଶରୀର ଫେରି ପାଇ ସ୍ୱର୍ଗରେ ବାସ କଲେ ।

ଅନ୍ୟପକ୍ଷରେ ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପାଖରେ ପବିତ୍ର ଭୈମୀ ଏକାଦଶୀ ପାଳିତ ହୁଏ ।ଭୋଗମଣ୍ଡପରେ ଶ୍ରୀଜୀଉମାନଙ୍କର ପଞ୍ଚାମୃତରେ ମହାସ୍ନାନ ହୋଇ ମଇଲମ୍ ହେବା  ପରେ ସର୍ବାଙ୍ଗେ ବିଜେ ହୋଇ ଲାଗି କରାଯାଏ । ଛଅ ମୂର୍ତ୍ତି ଅଳଙ୍କାର ଓ କର୍ପୁର ଲାଗିହୋଇ ବେଶବଢେ । ମଧ୍ୟାହ୍ନ ଧୂପ ଛେକ ଆସିଲେ ପ୍ରସାଦ ଲାଗି ହୋଇଥାଏ । ଭୋଗ ନୀତିବଢିବା ପରେ ତିନିବାଡରେ ବନ୍ଦାପନା ହୋଇଥାଏ ।

Comments are closed.