ହରିଶ୍ଚନ୍ଦ୍ର ବକ୍ସିପାତ୍ର – ବିନମ୍ର ଶ୍ରଦ୍ଧାଞ୍ଜଳି

By Pradyumna Satpathy: ଆସନ୍ତାକାଲି, ନଭେମ୍ବର ୧୭ ତାରିଖ , ମହାନ୍ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ଜନସ୍ବାର୍ଥ ସମର୍ପିତ ଜନନେତା, ପଚାଶ ଦଶକର ବିପ୍ଲବୀ ଛାତ୍ର ନେତା, ପ୍ରାକ୍ତନ ମନ୍ତ୍ରୀ, ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି , ଗରିବ ଖଟିଖିଆ ଦିନ ମଜୁରିଆ ମେହନତୀ ମଣିଷ ର ଆଜୀବନ ସାଥୀ , ସାମାଜିକ ନ୍ୟାୟ ଆନ୍ଦୋଳନ ର ସମର୍ପିତ କାଣ୍ଡାରୀ , ଚିର ବନ୍ଦନୀୟ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଙ୍କ ୮୯ ତମ ଜୟନ୍ତୀ । ବିଗତ କୋଡ଼ିଏ ବର୍ଷ ଧରି ଜୟଦେବ ଭବନ ପ୍ରେକ୍ଷାଳୟ ରେ ସନ୍ଧ୍ୟାରେ ପାଳିତ ହେବ ଜୟନ୍ତୀ ସମାରୋହ ।

୧୯୩୩ ମସିହା, ନଭେମ୍ବର ୧୭ ତାରିଖ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡରେ ଜନ୍ମିତ ଜନନେତା ବକ୍ସି ବାବୁ ଙ୍କ ପିତା ଗୋପୀନାଥ ବକ୍ସିପାତ୍ର ଥିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନ ର ସମର୍ପିତ ଯୋଦ୍ଧା, ଉତ୍କଳ ସମ୍ମିଳନୀର ନେତା । ପାରଳାଖେମୁଣ୍ଡି ମହାବିଦ୍ୟାଳୟ ର ଛାତ୍ର ଥିବା ସମୟରେ ଛାତ୍ର ସଂସଦ ର ସଭାପତି ହୋଇଥିଲେ । ସମଗ୍ର ଓଡ଼ିଶାରେ ଭାରତୀୟ ଛାତ୍ର ସଂଘର ନେତୃତ୍ବ ନେଇଥିଲେ । ସେଠାରୁ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ ଛାତ୍ର ଥିବା ସମୟରେ ଛାତ୍ର ସଂସଦ ର ସଭାପତି, ମଧୁସୂଦନ ଆଇନ୍ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହୋଇଥିଲେ । ୧୯୫୬ ର ସୀମା ଆନ୍ଦୋଳନ ସମୟରେ ଛାତ୍ର ଆନ୍ଦୋଳନ ର ନେତୃତ୍ବ ନେଇଥିଲେ ।

ସ୍ମରଣଯୋଗ୍ୟ ଦଳେଇଘାଇ ବିପର୍ଯ୍ୟୟ ସମୟରେ ସ୍ଵେଚ୍ଛାସେବୀ ଛାତ୍ର ମାନଙ୍କ ନେତୃତ୍ବ ନେଇଥିଲେ । ସେତେବେଳେ ସେ ହୋଇଯାଇଥିଲେ ସର୍ବ ଭାରତୀୟ ଛାତ୍ର ସଂଘର ସାଧାରଣ ସମ୍ପାଦକ । ଶିକ୍ଷା ସମାପ୍ତ ପରେ ସରକାରୀ ଚାକିରୀ କୁ ପଦାଘାତ କରି ଫେରିଥିଲେ ଜନ୍ମମାଟିକୁ , ଆରମ୍ଭ କରିଥିଲେ ରୟତ ଆନ୍ଦୋଳନ । ଏକ କୁଳିନ , ସମ୍ଭ୍ରାନ୍ତ,ଧନାଢ୍ୟ ପରିବାର ରେ ଜନ୍ମଗ୍ରହଣ କରିଥିବା ବକ୍ସି ମିଶିଗଲେ ନିରୀହ ଆଦିବାସୀ, ନିଷ୍ପେସିତ ଚାଷୀ ମୂଲିଆ ଗରିବ ଖଟିଖିଆ ଦିନ ମଜୁରିଆ ଙ୍କ ସହିତ ଓ ସେମାନଙ୍କ ଅଧିକାର ପାଇଁ ଆନ୍ଦୋଳନ ଗଢ଼ି ତୋଳିଲେ । ପ୍ରକମ୍ପିତ ହେଲା କୋରାପୁଟ , କଳାହାଣ୍ଡି ଜିଲ୍ଲାର ପ୍ରତି ଗିରି ଗହ୍ଵର ରୁ ଗାଁ ଗଣ୍ଡାର ପୁର ପଲ୍ଲୀ । ଅଧିବକ୍ତା ଭାବରେ ସେମାନଙ୍କ ପାଇଁ କଲେ ଅଦାଲତି ସଂଘର୍ଷ. ବାରମ୍ବାର କାରାବରଣ କରିଥିଲେ ।

ଏକଦା କାରାଗାର ରୁ ଫେରି ପୁରୀ ର କମ୍ୟୁନିଷ୍ଟ ନେତା ରାମଚନ୍ଦ୍ର ମିଶ୍ରଙ୍କ କନ୍ୟା ଙ୍କୁ ବିବାହ କରିଥିଲେ । ବିବାହ ବନ୍ଧନରେ ଆବଦ୍ଧ ହୋଇ ମଧ୍ୟ ସେ ରହୁଥିଲେ ଅଖ୍ୟାତ ଆଦିବାସୀ ପଲ୍ଲୀରେ । କ୍ଷମତା ରାଜନୀତି ରେ ଯୋଗଦାନ କରି ଜୀବନ ରେ ତିନି ଥର ବିଧାୟକ ହୋଇଥିଲେ । ପ୍ରଥମେ ବିଧାୟକ ହୋଇ ମୁଖ୍ୟ ସଚେତକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଜରୁରୀକାଳୀନ ସ୍ଥିତି ରେ ସେ କାରାବରଣ କରିଥିଲେ । ଜେଲରୁ ମୁକ୍ତ ହୋଇ ନବଗଠିତ ଜନତା ପାର୍ଟିର ସାଧାରଣ ସମ୍ପାଦକ ହୋଇଥିଲେ । ନିର୍ବାଚନ ରେ ବିଜୟୀ ହୋଇ ନୀଳମଣି ରାଉତରାୟ ଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ପରିବହନ କର୍ମଚାରୀ ସଂଘ ର ସଭାପତି ଠାରୁ ଅନେକ ଶ୍ରମିକ ସଂଗଠନର ନେତୃତ୍ବ ନେଇଥିଲେ ।

Support Independent Journalism? Keep us live.

୧୯୯୦ ରେ ସେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିବା ସମୟରେ ଏକମାତ୍ର ମନ୍ତ୍ରୀ, ଯିଏ ଜନତାଦଳର କେନ୍ଦ୍ରୀୟ ନିଷ୍ପତ୍ତି ଆଧାର ରେ ସମସ୍ତ କାର୍ଯ୍ୟ କରିଥିଲେ , ଯାହା ବିଜୁବାବୁ ଓ ତାଙ୍କ ତୈଳମର୍ଦ୍ଦନକଳାକୈ।ଶଳୀ ସହକର୍ମୀ ମାନଙ୍କ ଚକ୍ଷୁଘାତ ହୋଇଥିଲା । ୧୯୯୦, ଅଗଷ୍ଟ,୭ ତାରିଖ ରେ ଭିପି ସିଂ ଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ଆଧାରିତ ପ୍ରସ୍ତାବ ର ସେ ଥିଲେ ଏକମାତ୍ର ସମର୍ଥକ ମନ୍ତ୍ରୀ । ବିଜୁବାବୁଙ୍କ ବାରଣ ସତ୍ତ୍ୱେ ନୂଆଦିଲ୍ଲୀ ରେ ପ୍ରଥମେ ତାଙ୍କ ପ୍ରସ୍ତାବ ଓ ସମସ୍ତ ପ୍ରକାର ସହଯୋଗରେ ତାଳକୋଟରା ଷ୍ଟେଡିଅମରେ ଦିଲ୍ଲୀରେ ଥିବା ସମସ୍ତ ଓଡ଼ିଆ ମାନଙ୍କର ଏକ ସମାବେଶ ହୋଇଥିଲା, ଯାହା ପ୍ରଥମ ଥର ପାଇଁ ଜଣାଗଲା ଦିଲ୍ଲୀରେ ଓଡିଆ ଙ୍କ ସଂଖ୍ୟା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନ ଓ ମନ୍ତ୍ରୀ ସାହେଵ ସିଂ ବର୍ମା ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଙ୍କ ନାମରେ ଦିଲ୍ଲୀ ର କୈାଣସି ରାସ୍ତା କୁ ନାମିତ କରିବା ପାଇଁ ।

ମନ୍ତ୍ରୀ ଥିବା ସମୟରେ ୧୯୯୪ କୁ ଓଡ଼ିଆ ଭାଷା ବର୍ଷ ଭାବେ ସମଗ୍ର ରାଜ୍ୟରେ ପାଳନ କରାଇଥିଲେ । ଡଙ୍କେଲ ପ୍ରସ୍ତାବ ବିରୋଧରେ ସେ ମଧୁ ଦଣ୍ଡବତେଙ୍କ ପ୍ରସ୍ତାବ କୁ ସମ୍ମାନ ଦେଇ ସମଗ୍ର ଭାରତରେ ଜନମତ ଜାଗ୍ରତ ନିମନ୍ତେ ଗଠିତ ପ୍ରଚାର କମିଟିର ଅଧ୍ୟକ୍ଷ ହୋଇଥିଲେ । ଉତ୍କଳ ସମ୍ମିଳନୀର ସଭାପତି ଭାବରେ ସଙ୍ଗଠନ କୁ ବ୍ୟାପକ କରାଇଥିଲେ । ବିହାର ରାଜ୍ୟ ବିଭାଜନ ସମୟରେ ଆମ ଓଡ଼ିଆ ଅଞ୍ଚଳ ଷଢେ଼ଇକଳା, ଖରସୁଆଁ, ସିଂହଭୂମ ପ୍ରଭୃତି ଉତ୍କଳ ର ଅପହୃତ ସମସ୍ତ ଅଞ୍ଚଳକୁ ଫେରାଇ ଆଣିବା ଆନ୍ଦୋଳନ ର ନେତୃତ୍ବ ନେଇଥିଲେ । ସେହି ଆନ୍ଦୋଳନ ସମୟରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା ।

ଆମମାନଙ୍କ ଅନୁରୋଧ କୁ ଭୃକ୍ଷେପ ନକରି ସେପ୍ଟେମ୍ବର ୧୧,୨୦୦୦ ମସିହା ର ଓଡ଼ିଶା ବନ୍ଦ ଡାକରା କୁ ସଫଳ କରିବାକୁ ପରାମର୍ଶ ଦେଇ ନିଜେ ଭଗ୍ନ ସ୍ବାସ୍ଥ୍ୟ ରେ ଓଡ଼ିଶା ର କୋଣ ଅନୁକୋଣରେ ବୁଲି ସଭା ସମିତି ରେ ଉତ୍ତେଜିତ ଭାଷଣ ଦେଉଥିଲେ । ସମଗ୍ର ଓଡ଼ିଶାରେ ଅଦ୍ଭୂତପୂର୍ଵ ଭାବେ ଓଡ଼ିଶା ବନ୍ଦ ସଫଳ ହେବା ପରେ ସେ ଦିଲ୍ଲୀ ଗଲେ ଚିକିତ୍ସା ହେବାକୁ, ମାତ୍ର ଫେରିଲେ ଶବ ହୋଇ । ଐତିହାସିକ ସୀମା ଆନ୍ଦୋଳନ ରେ ରାଜନୈତିକ ଜନ୍ମ, ସେହି ସୀମା ଆନ୍ଦୋଳନ ରେ ତାଙ୍କର ମୃତ୍ୟୁ ତ ଇତିହାସ ର ଚରମ ରସିକତା ।

ଜୟନ୍ତୀ ର ଶୁଭାଵସରରେ ତାଙ୍କର ଅମ୍ଲାନ ଅମୃତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି,ବନ୍ଦେ ଉତ୍କଳଜନନୀ ।

Comments are closed.