ରାଜନୀତିର ଅସ୍ତ୍ର ‘ଅଣ୍ଡାମାଡ଼’

ରାଜନୀତିର ଅସ୍ତ୍ର ‘ଅଣ୍ଡାମାଡ଼’

Date:

ଇନ୍‌ସାଇଟ୍‌ ବ୍ୟୁରୋ:   ରାଜନୀତିର ଅସ୍ତ୍ର ପାଲଟିଛି ‘ଅଣ୍ଡାମାଡ଼’ । କିଛି ମାସ ହେବ ରାଜ୍ୟରେ ନେତାମାନେ ହୀନ ରାଜନୀତି କରୁଥିବା ଦୃଷ୍ଟିଗୋଚର ହେଉଛି। ସେ ଶାସକ ଦଳ ହେଉକି କଂଗ୍ରେସ , ବିଜେପି, ସମସ୍ତେ ହୀନ ରାଜନୀତିକୁ ପ୍ରଶୟ ଦେଉଛନ୍ତି। କୌଣସି କାମରେ ମନ୍ତ୍ରୀ , ସାଂସଦ ରାସ୍ତାରେ ଯାଉଛନ୍ତି, ବିରୋଧୀ ଦଳର ନେତାମାନେ ଅଣ୍ଡାମାଡ଼ କରି ସେମାନଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ଅଣ୍ଡା ମାଡ଼ ମାରି ବିରୋଧ କରିବା ଘଟଣା ବିଗତ କିଛି ବର୍ଷ ହେଲା ଲାଗି ରହିଛି ରାଜ୍ୟରେ । ତେବେ ଗତ ଅକ୍ଟୋବର ମାସରୁ ଏହା ଅଧିକ ପରିଲକ୍ଷିତ ହେଉଛି । ନେତା ହୁଅନ୍ତୁ କି ସାଧାରଣ ଜନତା ଅଣ୍ଡା ମାଡ଼ କରି ଯେପରି ଆତ୍ମ ତୃପ୍ତି ଲାଭ କରୁଛନ୍ତି  ।

- Advertisement -

ବିଗତ ଦୁଇ ମାସ ମଧ୍ୟରେ କଳାହାଣ୍ଡି, କେନ୍ଦୁଝର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, ବାରିପଦା ଓ ଜଗତସିଂହପୁରରେ ଅଣ୍ଡା ମାଡ଼ ନେତାଙ୍କ ଉପରେ ହୋଇଥିବା ପରିଲକ୍ଷିତ ହୋଇଛି । ପୂର୍ବରୁ ବଲାଙ୍ଗୀର, ଢେଙ୍କାନାଳ, ଉମରକୋଟ, କଟକ, ପୁରୀ ଓ ବାଲେଶ୍ୱରରେ ମଧ୍ୟ ଅଣ୍ଡାମାଡ଼ ହୋଇଛି। ଅଣ୍ଡା ମାଡ଼ର ଶିକାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି ।

ବିଭିନ୍ନ ଘଟଣାକୁ ନେଇ ଅସନ୍ତୁଷ୍ଟ ଉତ୍ତେଜିତ ରାଜନେତା ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ୍ଡା ମାଡ଼ କରୁଥିବା ଦେଖିବାକୁ ମିଳୁଛି । ବିଗତ ୨ ମାସ ଭିତରେ ହୋଇଥିବା ଅଣ୍ଡା ମାଡ଼ ଘଟଣା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ସହିତ ଜଡ଼ିତ ରହିଛି । ଶାସକ ଦଳକୁ ଟାର୍ଗେଟ ଉଭୟ ବିଜେପି ଓ କଂଗ୍ରେସ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ଅଣ୍ଡା ମାଡ଼ କରିଛନ୍ତି। କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ଅଣ୍ଡା ମାଡ଼ ମାରିବା ଘଟଣାରେ ।

ପ୍ରଥମେ ମନ୍ତ୍ରୀମାନଙ୍କ ଉପରେ ଅଣ୍ଡା ମାଡ଼ ହେଲା। ଆଉ ଏବେ ମୁଖ୍ୟ ମନ୍ତ୍ରୀଙ୍କ ଉପରେ । କେତେବେଳେ କିଏ କାହା ଉପରକୁ ଅଣ୍ଡାମାଡ କରୁଛି, ସେଥିରେ କଣ ରାଜନୈତିକ ଫାଇଦା ରହିଛି, ତାର ଅନୁଶୀଳନ ଖୁବ୍ କମ୍ ହେଉଛି । ରାଜନୀତିର ଏହି ଧାରା ପଞ୍ଚାୟତ ପାଣିପାଗକୁ ସରଗରମ କରିଛି । କରୋନା ପାଇଁ ଶିଥିଳ ପଡ଼ିଥିବା ରାଜନୈତିକ ପାଣିପାଗ, ମମିତା ହତ୍ୟା ମାମଲାକୁ ନେଇ ଉଷୁମ ହେବା ପରେ ଓଡ଼ିଶା ରାଜନୀତିରେ ପୁଣିଥରେ ଫେରିଛି ଅଣ୍ଡାମାଡ଼ ।

ଅକ୍ଟୋବର ୧୯ ତାରିଖରେ ଗୃହରାଷ୍ଟ୍ରମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ବାସଭବନ ଉପରେ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼ ପରେ ଏହା ଅନ୍ୟ ଦଳକୁ ଡେଇଁଥିଲା । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନଥିବାରୁ ବିକ୍ଷୋଭ, ପ୍ରତିବାଦ ଓ ଅଣ୍ଡାମାଡ଼ର ରାଜନୀତି କରି ଲୋକଙ୍କ ନିକଟବର୍ତ୍ତି ହେବାକୁ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।

ମମିତା ମାମଲାରେ ମନ୍ତ୍ରୀ ଓ ଶାସକ ଦଳର ନେତାଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ି ଉପରେ ବିଜେଡି କର୍ମୀ ଅଣ୍ଡାମାଡ଼ କରିଥିଲେ । ନିକଟରେ ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ । ଦେଶରେ ଦରଦାମ ବୃଦ୍ଧି ପାଇଁ ବିଜେପିକୁ ଦାୟୀ କରି ସାଂସଦଙ୍କୁ ଟାର୍ଗେଟ କରିଛି ଦଳ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ସମୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ କଳାହାଣ୍ଡି ଜିଲ୍ଲା ନର୍ଲା ନିକଟରେ ଅଣ୍ଡା ମାଡ଼ ହୋଇଥିଲା , ସେହିପରି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଣି, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡି ରାଜ୍ୟ ସଂଗଠକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଗାଡ଼ି ଉପରକୁ ମଧ୍ୟ ଅଣ୍ଡା ମାଡ଼ ହୋଇଥିଲା ।

ଶାସକ ଦଳକୁ ଟାର୍ଗେଟ କରି ବିଜେପି ଓ କଂଗ୍ରେସ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ଅଣ୍ଡା ମାଡ଼ କରୁଛନ୍ତି । କିନ୍ତୁ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଗତ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଗସ୍ତରେ ଥିବା ବେଳେ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହିତ ଅଣ୍ଡା ମାଡ଼ କରିଥିଲେ । କେବଳ ସେତିକି ନୁହେଁ, ଅକ୍ଟୋବର ମାସ ୩୧ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ କଂଗ୍ରେସ କର୍ମୀମାନେ ତାଙ୍କୁ ଭୁବନେଶ୍ୱରରେ ଅଣ୍ଡାମାଡ଼ କରିଥିଲେ। କଂଗ୍ରେସ ନେତାମାନେ ମନ୍ତ୍ରୀଙ୍କ ଦ୍ୱାରା ଉତ୍ତର ପ୍ରଦେଶର ଲଖିମପୁରରେ ଆନ୍ଦୋଳନ ସମୟରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବାକୁ ନେଇ ଯୁକ୍ତି ବାଢ଼ିଥିଲେ ।

ନିକଟରେ ବୁଧବାର ଦିନ ପୁରୀରୁ ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରେ ଅଣ୍ଡାମାଡ଼ କରିଥିଲେ ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗରେ ବିଜେପି ଯୁବମୋର୍ଚ୍ଚାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୁଲିସ । ସେମାନଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୨୯୪, ୩୪୧, ୩୫୩, ୩୩୨, ୩୩୬, ୫୦୬, ୩୪ ।

Share post:

Popular

More like this
Related

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

BJP replaces Candidate in Bankipur Bypoll in Bihar

TNI Bureau: In Bihar, BJP candidate Abhishek Kumar Sinha...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...