ମାହାଙ୍ଗା ଡବଲ ମର୍ଡ଼ର: ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପି, କଂଗ୍ରେସର ଯୁଦ୍ଧଂ ଦେହି ଡାକରା

ମାହାଙ୍ଗା ଡବଲ ମର୍ଡ଼ର: ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପି, କଂଗ୍ରେସର ଯୁଦ୍ଧଂ ଦେହି ଡାକରା

Date:

ଇନ୍‌ସାଇଟ୍‌ ବ୍ୟୁରୋ:  ବଢିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ । ପ୍ରତାପଙ୍କ ବିରୁଦ୍ଧରେ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି । କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଡବଲ୍ ମର୍ଡର ଅଭିଯୋଗ, ମନ୍ତ୍ରୀଙ୍କୁ ପୁଲିସର ସୁରକ୍ଷା ଉଦ୍ୟମ ଏବଂ ଅଦାଲତର ହସ୍ତକ୍ଷେପ ଘଟଣାକ୍ରମ ରାଜନୈତିକ କ୍ଷେତ୍ରରେ ଝଡ଼ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ରାଜରାସ୍ତାକୁ ଓହ୍ଲାଇଛି ।

- Advertisement -

କଟକ ଜିଲ୍ଲା ମାହାଙ୍ଗା ଥାନା ନୁର୍ତ୍ତାଙ୍ଗ ପଞ୍ଚାୟତରେ ବହୁ ଚର୍ଚ୍ଚିତ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ମର୍ଡର ଘଟଣାରେ ଅଭିଯୁକ୍ତ ମାନଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଥିଲା । ଜାନୁଆରୀ ୨ ତାରିଖରେ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ ୭୩ ବର୍ଷ ବୟସ୍କ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ୮୦ ବର୍ଷ ବୟସ୍କ ଦିବ୍ୟସିଂହ ବରାଳ ନିର୍ମମ ହତ୍ୟାର ଶିକାର ହୋଇଥିଲେ ।ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ଦିବ୍ୟସିଂହ। ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁଳମଣି ବରାଳଙ୍କ ପରିବାର ଘଟଣା ସହିତ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ । କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ଏତାଲା ଦେଇଥିଲେ । ପୁଲିସ ୩୦୨ ଦଫାରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ପୋଲିସ୍‌ ଯେଉଁ ଚାର୍ଜସିଟ୍‌ ଦାଖଲ କରିଥିଲା ସେଥିରେ ମନ୍ତ୍ରୀଙ୍କ ନାଁ ବାଦ୍‌ ଦିଆଯାଇଥିଲା। ପରେ ଏନେଇ କୁଳମଣିଙ୍କ ପରିବାର ଲୋକେ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। ଆଉ କୋର୍ଟ ଏହାର ଶୁଣାଣି କରି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ । ଇତିମଧ୍ୟରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଟାଙ୍ଗୀ ଥାନା ଅଞ୍ଚଳ ୧୬ ନମ୍ବର ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ବିଜେପି ଅଭିଯୋଗ କରି ଆସୁଛି ଯେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି ଏବଂ ଏହି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଆନ୍ଦୋଳନ କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ଆରମ୍ଭ ହୋଇଥିଲା । ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ବିଜେପି ନେତା ଶାରଦା ପ୍ରଧାନ ଏହି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଥିବାରୁ ଏଥିରେ ବିଜେଡି କର୍ମୀମାନେ ପ୍ରତିହିଂସା ପରାୟଣ ହୋଇ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ବିଜେପି ଦାବୀ କରୁଛି ।

ମାହାଙ୍ଗା ସମ୍ବେଦନଶୀଳ ଡବଲ ହତ୍ୟା ମାମଲାରେ ପୁନଃ ଅନୁସନ୍ଧାନ ରିପୋର୍ଟ ଦାଖଲ ନକରିବାରୁ ସ୍ଥାନୀୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାଲେପୁର ଜୁଡିସିଆଲ ମାଜିଷ୍ଟ୍ରେଟ (JMFC) କୋର୍ଟ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମୃତ ପ୍ରଫୁଲ୍ଲ ବିଶ୍ବାଳ, ମନ୍ତ୍ରୀ ପ୍ରତାପ ଜେନା, ସରତ ନାୟକ ଏବଂ ବାପି ବିଶ୍ୱାଳଙ୍କ ଅନୁସନ୍ଧାନ ରିପୋର୍ଟ ତଥା କଲ ତଥ୍ୟର ବିବରଣୀ ଦାଖଲ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ରମାକାନ୍ତ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦେଇଥିଲେ ଏବଂ କୋର୍ଟ ଏହାର ବିଚାର କରି ଘଟଣାର ଅଧିକ ତଦନ୍ତ ଯଥାଶୀଘ୍ର କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାହାଙ୍ଗା ଥାନା ଆଇଆଇସି ମାମଲାର ଅଧିକ ତଦନ୍ତ କରି ମନ୍ତ୍ରୀଙ୍କୁ ଜେରା କରିବେ ବାସ୍ତବରେ ତାହା ସମ୍ଭବ କି ବୋଲି ବିଭିନ୍ନ ମହଲରେ ଏବେ ପ୍ରଶ୍ନ ଉଠିଛି ।କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତାଙ୍କ ଅଞ୍ଚଳର ଆଇଆଇସି ଜେରା କରି ସତ ଓଗାଳିବେ ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାସ୍ କରି ମାହାଙ୍ଗା ଡବଲ୍ ମର୍ଡର ଘଟଣା ଏବଂ ପଞ୍ଚାୟତିରାଜ ଓ ଆଇନ ବିଭାଗର ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଦଳ ପାଇଁ ବିଶେଷ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ମହଲରେ ପ୍ରକାଶ ପାଇଛି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...