ଆଜି ଶ୍ରୀପଞ୍ଚମୀ : ମାଁ ସରସ୍ଵତୀଙ୍କ ଜନ୍ମ ଦିନ

ବସନ୍ତ ପଞ୍ଚମୀ ଦିବସଟିକୁ ମା’ଙ୍କ ଜନ୍ମଦିନ ରୁପେ ପାଳନ କରାଯାଏ

ଇନସାଇଟ ବ୍ୟୁରୋ: ଆଜି ଶ୍ରୀପଞ୍ଚମୀ । ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେହି ସମୟରେ ପୃଥିବୀ ସମ୍ପୁର୍ଣ୍ଣ ରୁପେ ନିର୍ଜନ ଥିଲା । ଚାରିଆଡେ ଉଦାସୀନତାର ବାତାବରଣ । ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମା ନିଜ କମଣ୍ଡଳରୁ ପାଣି ଛିଞ୍ଚିବା ଆରମ୍ଭ କରିଦେଇଥିଲେ । ଏହି ଜଳ କଣିକାରୁ ଚର୍ତୁଭୁଜା ଏକ ଶକ୍ତି ପ୍ରକଟ ହେଲେ । ଏହି ଶକ୍ତିଙ୍କ ହସ୍ତରେ ବୀଣା , ପୁସ୍ତକ ତଥା ମାଳା ଥିଲା । ଭଗବାନ ବ୍ରହ୍ମା ପୃଥିବୀପୃଷ୍ଠରୁ ଉଦାସୀନତାକୁ ଦୂର କରିବା ପାଇଁ ଏହି ଶକ୍ତିଙ୍କୁ ବୀଣାବାଦନ କରିବା ପାଇଁ କହିଲେ । ଏହି ଶକ୍ତିଙ୍କ ବୀଣାରୁ ଯେଭଳି ଭାବରେ ଏକ ବାଣୀ ବଜାଗଲା ପୃଥିବୀ ପୃଷ୍ଠର ସବୁ ଜୀବଜନ୍ତୁ ଉଲ୍ଲାସିତ ହେବାକୁ ଲାଗିଲେ । ସେହିଦିନଟି ଥିଲା ବସନ୍ତ ପଞ୍ଚମୀର ଦିନ ।

Support Independent Journalism? Keep us live.

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ  ଆଉ ସ୍ୱେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ପୁରାଣରୁ ମା’ ବାଗଦେବୀଙ୍କ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ । ପୁରାଣରେ ବ୍ରହ୍ମାଙ୍କ ମାନସପୁତ୍ରଙ୍କ ବିବରଣୀ ରହିଛି କିନ୍ତୁ ମାତା ସରସ୍ୱତୀଙ୍କୁ କେଉଁଠାରେ ବି ତାଙ୍କ ପୁତ୍ରୀ ବୋଲି କୁହାଯାଇନାହିଁ । ହିନ୍ଦୁଧର୍ମର ଦୁଇ ଗ୍ରନ୍ଥ ‘ସରସ୍ୱତୀ ପୁରାଣ’ ଏବଂ ‘ମତ୍ସ୍ୟ ପୁରାଣ’ ରେ ସୃଷ୍ଟି ରଚୟିତା ବ୍ରହ୍ମାଙ୍କ ସହ ସରସ୍ୱତୀଙ୍କ ବିବାହ ହୋଇଥିବା କଥା ଉଲ୍ଲେଖ କରାଯାଇଛି । ଯାହାର ଫଳସ୍ୱରୁପ ଏହି ପୃଥିବୀରେ ପ୍ରଥମ ମାନବ ‘ମନୁ’ ଙ୍କ ଜନ୍ମ ହୋଇଥିଲା । କିଛି ବିଦ୍ୱାନ ମନୁଙ୍କ ପତ୍ନୀ ସତରୂପାଙ୍କୁ ହିଁ ମାତା ସରସ୍ୱତୀ ମାନୁଛନ୍ତି । ବାଗିସ୍ୱରୀ, ଭଗବତୀ, ଶାରଦା, ବୀଣାବାଦନୀ, ବାଗଦେବୀ, ବୀଣାପାଣି ଆଦି ଅନେକ ନାଁରେ ମା’ ପୂଜା ପାଆନ୍ତି । ସଂଗୀତର ଉତ୍ପତ୍ତି କରିଥିବା କାରଣରୁ ମାଙ୍କୁ ସଂଗୀତର ଦେବୀ ମଧ୍ୟ କୁହାଯାଏ । ବସନ୍ତ ପଞ୍ଚମୀ ଦିବସଟିକୁ ମା’ଙ୍କ ଜନ୍ମଦିନ ରୁପେ ପାଳନ କରାଯାଏ ।

saraswati pujaଏହା ସହିତ ଆରମ୍ଭ ହୁଏ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାର ପ୍ରଥମ ପର୍ବ । ଶ୍ରୀପଞ୍ଚମୀ ଅବସରରେ ରଥକାଠ ପୂଜା ନୀତି କରାଯାଏ । ଏଥିସହିତ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଯାଏ । ଅନ୍ୟପଟେ କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ମିଳିଥିଲା । ସୀମିତ ଛାତ୍ରଙ୍କୁ ନେଇ ପୂଜା ପାଳନ ଏବଂ କୋଭିଡ ନିୟମ ପାଳନ କରି ଏମାନେ ପୂଜାରେ ସାମିଲ ହେବେ । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବାଦଦେଲେ ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁବୋଲି ପରାମର୍ଶ ରହିଥିଲା  । କୋଭିଡ କଟକଣା ମାନି ଘରେ ପୂଜା କରିବାକୁ ଗାଇଡଲାଇନରେ କୁହାଯାଇଥିଲା । ପୂଜା ଓ ଅନ୍ୟ ଉତ୍ସବରେ ଭୋଜିଭାତର ଆୟୋଜନକୁ ବାରଣ କରାଯାଇଛି । ସେହିଭଳି ସରସ୍ୱତୀ ପୂଜାରେ କୌଣସି ସଙ୍ଗୀତଭିତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରିବନାହିଁ ।

 

Comments are closed.