।। ବିଜୟ ରଥଙ୍କ ବିଦାୟ ।।

।। ବିଜୟ ରଥଙ୍କ ବିଦାୟ ।।

Date:

By Shri Asit Mohanty: ଶ୍ରୀଜଗନ୍ନାଥଙ୍କ ରଥ ବଡ଼ଦାଣ୍ଡରେ ଥିବାବେଳେ, ଆଜି ଦକ୍ଷିଣମୋଡ଼ ଦିନରେ ବିଦାୟ ନେଲେ ବିଜୟ କୁମାର ରଥ। ସେ ଥିଲେ ଶ୍ରୀଜଗନ୍ନାଥ ମନ୍ଦିର ସଂରକ୍ଷଣ ବୈଷୟିକ କମିଟିର ଜଣେ ବିଶିଷ୍ଟ ସଦସ୍ୟ। କେବଳ ଶ୍ରୀମନ୍ଦିର ନୁହେଁ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ସଂରକ୍ଷଣ କମିଟିର ମଧ୍ୟ ସେ ସଦସ୍ୟ ଥିଲେ। ‘ଇନଟାକ୍’ ପକ୍ଷରୁ ଓଡ଼ିଶାର ବହୁ ପ୍ରାଚୀନ ମନ୍ଦିରର ସଂରକ୍ଷଣ ମଧ୍ୟ ସେ କରିଥିଲେ। କଟକର ସୁଭାଷ ବୋଷ ଜନ୍ମସ୍ଥାନ- ଜାନକୀନାଥ ଭବନ ସଂଗ୍ରହାଳୟ, ଯୋବ୍ରାର ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ ଆଦିର ପ୍ରତିଷ୍ଠାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ବିଜୟବାବୁଙ୍କ ସହ ମୋର ପରିଚିତି, ୧୯୮୦ ମସିହାରୁ, ସେଇ ‘ସମାବେଶ’ ଦିନରୁ। ସେ ଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଦିନନାଥ ପାଠୀଙ୍କର ଘନିଷ୍ଠ ବନ୍ଧୁ ଏବଂ ଉଭୟେ ମୋ’ଠୁ ବୟସରେ ବଡ଼ ହେଲେହେଁ, ମୋର ବନ୍ଧୁ ହୋଇଯାଇଥିଲେ। ମୋର କ୍ଷେତ୍ର (ସାହିତ୍ୟ) ବିଜୟବାବୁଙ୍କ କ୍ଷେତ୍ର ଠାରୁ ଅଲଗା ହୋଇଥିବାରୁ ତାଙ୍କ ସହ ଅଧିକ ସଂପର୍କର ଅବକାଶ ଅବଶ୍ୟ ନଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଆମେ କ୍ରମେ ଘନିଷ୍ଠ ହୋଇଯାଇଥିଲୁ।

ଏମିତି ଗୋଟିଏ ଅବକାଶ ଥିଲା ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ଵାରର ଦଶାବତାର ମୂର୍ତ୍ତିକୁ ନେଇ ବିବାଦ। ଯେତେବେଳେ ଶ୍ରୀମନ୍ଦିର ସିଂହଦ୍ଵାର ମରାମତି ହେଲା, ସେତେବେଳେ ତାହାର ଉପରେ ଥିବା ଚୂନର ଦଶାବତାର ମୂର୍ତ୍ତିକୁ ବାହାର କରି ଦିଆଯାଇଥିଲା। ତାହାର ନବମ ସ୍ଥାନରେ ବୁଦ୍ଧଙ୍କ ପରିବର୍ତ୍ତେ ଥିଲେ ଜଗନ୍ନାଥ। ସେହି ଅନୁସାରେ, ପ୍ରତ୍ନତତ୍ତ୍ଵ ବିଭାଗ ପଥରର ନୂଆ ଦଶାବତାର ମୂର୍ତ୍ତି ତିଆରି କରିଥିଲେ ସେଠାରେ ଲଗାଇବା ପାଇଁ। ପୁରୀର ‘ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଆମେ ସେ ନେଇ ଦୃଢ଼ ପ୍ରତିବାଦର ସ୍ବର ଉଠାଇଥିଲୁ। ତାହାକୁ ନେଇ ଗୋଟିଏ ଆଲୋଚନାଚକ୍ରର ଆୟୋଜନ ମଧ୍ୟ କରିଥିଲୁ। ସେହି ଆଲୋଚନାଚକ୍ରର ପ୍ରବନ୍ଧଗୁଡ଼ିକୁ ନେଇ ପ୍ରତିଷ୍ଠାନ ପକ୍ଷରୁ ‘ଦଶାବତାର ତତ୍ତ୍ଵ ଓ ଶ୍ରୀଜଗନ୍ନାଥ’ ଶୀର୍ଷକରେ ଗୋଟିଏ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲୁ। ମୁଁ ଥିଲି ତାହାର ଅନ୍ୟତମ ସଂପାଦକ। ଆମର ମୁଖ୍ୟ ଦାବି ଥିଲା- ଦଶାବତାରର ନବମ ଅବତାର ବୁଦ୍ଧ ହୋଇଥିବାବେଳେ, ଶ୍ରୀଜଗନ୍ନାଥ କିପରି ସେଠାରେ ରହିବେ ? ପ୍ରାୟ ଶହେ ବର୍ଷ ତଳେ ହୋଇଥିବା ଏ ଐତିହାସିକ ତ୍ରୁଟିର ସଂଶୋଧନ ହେଉ ! ‘ମନ୍ଦିର ସ୍ଥାପତ୍ୟ ରେ ଦଶାବତାର’ ଶୀର୍ଷକରେ ଗୋଟିଏ ଦୀର୍ଘ ପ୍ରବନ୍ଧ ଲେଖି ମୁଁ ସେ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲି। ମୋର ମୁଖ୍ୟ ପ୍ରତିପାଦ୍ୟ ବିଷୟ ଥିଲା, ଖୋଦ୍ ଦ୍ବାଦଶ ଶତାବ୍ଦୀର ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ବରେ ନବମ ଅବତାରରେ ବୁଦ୍ଧ ଓ ଦଶମ ଅବତାରରେ କଳ୍କୀ ଥିବାବେଳେ, ସେହି ଶ୍ରୀମନ୍ଦିରର ସିଂହଦ୍ଵାରରେ ପ୍ରାୟ ସାତଶହ ବର୍ଷ ପରେ ସ୍ଥାପିତ ଚୂନର ଦଶାବତାର ମୂର୍ତ୍ତିକୁ କିପରି ପ୍ରାମାଣିକ ଭାବେ ଗ୍ରହଣ କରାଯିବ ?

୧୯୪୭ରେ ପାରଳାଖେମୁଣ୍ଡିରେ ବିଜୟବାବୁଙ୍କର ଜନ୍ମ ଏବଂ ୧୯୭୦ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଇତିହାସରେ ଏମ୍.ଏ. ପାସ୍ କରିବା ପରେ, ସେହି ବିଶ୍ବବିଦ୍ୟାଳୟରେ ସେ ବିଶିଷ୍ଟ ଐତିହାସିକ ଓ ପ୍ରତ୍ନତତ୍ତ୍ବବିତ୍ ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅଧୀନରେ ଗବେଷକ-ଛାତ୍ର ଭାବେ ଯୋଗ ଦେଇଥିଲେ। ୧୯୭୧ରୁ ୧୯୭୪ ପର୍ଯ୍ୟନ୍ତ ସେ ଥିଲେ ୟୁ.ଜି.ସି. ଫେଲୋ।

ପରେ ୧୯୭୪ରେ ସେ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗରେ କ୍ୟୁରେଟର ଭାବରେ ଯୋଗଦେଇ, ୧୯୯୬ରେ ତାହାର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ସେହିଠାରୁ ସେ ଅବସର ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମଧ୍ୟ ପ୍ରତ୍ନତତ୍ତ୍ଵରେ ସେ ସ୍ନାତକୋତ୍ତର ଉପାଧି ଲାଭ କରିବା ସହିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍ ପାଇଥିଲେ। ଲକ୍ଷ୍ନୌ ରୁ ପ୍ରାଚୀନ କୀର୍ତ୍ତିର ସଂରକ୍ଷଣ ସଂକ୍ରାନ୍ତରେ ବିଶେଷ ପ୍ରଶିକ୍ଷଣ ନେଇଥିଲେ। ଓଡ଼ିଶାର ସାଂସ୍କୃତିକ ଇତିହାସ ଓ ପ୍ରତ୍ନତତ୍ତ୍ଵକୁ ନେଇ ସେ ଇଂରାଜୀରେ ବେଶ୍ କେତୋଟି ଗୁରୁତ୍ବପୂର୍ଣ୍ଣ ପୁସ୍ତକ ଲେଖିଛନ୍ତି।

ଶ୍ରୀମନ୍ଦିର ସିଂହଦ୍ଵାରର ସେଇ ଦଶାବତାର ମୂର୍ତ୍ତି ବିବାଦକୁ ନେଇ, ସେତେବେଳେ ଶ୍ରୀଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ତେଣୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠଠାରେ ଶ୍ରୀମନ୍ଦିରର ସେବକ, ସଂସ୍କୃତିବିତ୍ ଓ ବୈଷୟିକ ବିଶେଷଜ୍ଞ ଙ୍କର ଗୋଟିଏ ବୈଠକ ଡ଼କାଇଥିଲେ। ଉପରୋକ୍ତ ଶିକ୍ଷା ଓ ଅଭିଜ୍ଞତା ଦୃଷ୍ଟିରୁ ବିଜୟବାବୁଙ୍କୁ ସେଥିପାଇଁ ନିମନ୍ତ୍ରଣ କରାଯାଇଥିଲା। ମୁଁ ମଧ୍ୟ ସେଥିରେ ଥିଲି ଜଣେ ନିମନ୍ତ୍ରିତ ସଦସ୍ୟ। ଆମେ ସେହି ବୈଠକରେ ନିଜ ନିଜର ଦୃଢ଼ ମତ ଉପସ୍ଥାପନ କରିଥିଲୁ।

ପରେ, ‘ଇନଟାକ୍’ ର ‘ଓଡିଶା ଚାପ୍ଟର’ର ନିମନ୍ତ୍ରଣକ୍ରମେ ଭାରତୀୟ ବିଦ୍ୟାଭବନ ଠାରେ ମୁଁ ‘ରସଗୋଲା’ ବାବଦରେ ଗୋଟିଏ ଟକ୍ ଦେଇଥିଲି। ବିଜୟବାବୁ ସେଥିରେ ଯୋଗଦେବା ସହିତ ସେ ବାବଦରେ ଆଲୋଚନା କରିବା ସହିତ ତାହାର ପ୍ରଶଂସା ମଧ୍ୟ କରିଥିଲେ। ଅନେକ ସମୟରେ ଫେସବୁକ୍ ରେ ଆମେ ଉଭୟେ ଥିଲୁ ପରସ୍ପରର ଭଲକାମର ପ୍ରଶଂସକ।

କିନ୍ତୁ ସଂପୂର୍ଣ୍ଣ ସକ୍ରିୟ ଥିବାବେଳେ ଆଜି ତାଙ୍କର ଯେ ଆକସ୍ମିକ ବିୟୋଗ ଘଟିଲା, ସେଥିରେ ମୁଁ ଅତ୍ୟନ୍ତ ମର୍ମାହତ। ଏଣୁ ଏହି ଲେଖା ମାଧ୍ୟମରେ ତାଙ୍କୁ ସ୍ମରଣ କରିବା ଓ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ, ଶ୍ରୀଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ, ଏହି ପ୍ରାର୍ଥନା କରୁଛି।

Article first published on the Facebook Wall of Shri Asit Mohanty.  TNI posted it with his permission.

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.