ଅନଲାଇନ ପାଠ ପଢାରୁ ବଞ୍ଚିତ ୧୫ ଲକ୍ଷ ୮ ହଜାର ୯୩୭ ଛାତ୍ରଛାତ୍ରୀ

ଅନଲାଇନ ପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

ଇନସାଇଟ୍ ବ୍ୟୁରୋ: କୋଭିଡ ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ମାସରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଗୁଡିକୁ ବନ୍ଦ କରିଦେଇଥିଲେ । ରାଜ୍ୟର ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଇବା ପାଇଁ ନିଷ୍ପତି ନେଇଥିଲେ । ରାଜ୍ୟର ସବୁ ଅଞ୍ଚଳରେ ଅନଲାଇନ ସେବାର ସୁବିଧା ନଥିବାରୁ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପରିନଥିଲା ।

କେତେକ ସ୍ଥାନରେ ଛାତ୍ରଛାତ୍ରୀମାନେ ଅନଲାଇନ ପଢିବା ପାଇଁ ଉଦ୍ୟମ କରିଥିଲେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କେଉଁଠି ଗଛ ଉପରେ ତ ଆଉ କେଉଁଠି ପାହାଡ ଉପରେ ଚଢି ପିଲାମାନେ ଅନଲାଇନ ପାଠ ପଢିବା ପାଇଁ ଚେଷ୍ଟା କରିଥିଲେ । ଏଭଳି ଅବ୍ୟବସ୍ଥା କାରଣରୁ କେତେକ ଛାତ୍ର ଅକାଳରେ ଜୀବନ ହରାଇଥିବା ଅଭିଯୋଗ ମଧ୍ୟ ସାମନା କୁ ଆସିଥିଲା ।

Support Independent Journalism? Keep us live.

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଅନଲାଇନ ପାଠପଢା ସୁବିଧା ପାଉ ନାହାନ୍ତି ତା’ର ଏକ ରିପୋର୍ଟ ମାଗିଥିଲେ । ରାଜ୍ୟ ସରକାର ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲେ ଯେଉଁଥିରେ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢାରୁ ବଞ୍ଚିତ ରହିଛନ୍ତି ।

ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ ସମୁଦାୟ ୬୬ ହଜାର ୨୦ଟି ବିଦ୍ୟାଳୟ ରହିଛି । ଏହି ସମସ୍ତ ବିଦ୍ୟାଳୟରେ ୭୬ ଲକ୍ଷ ୮୬ ହଜାର ୮୯୪ ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନଲାଇନ ପାଠପଢାରୁ ୧୫ ଲକ୍ଷ ୮ ହଜାର ୯୩୭ ଜଣ ବଞ୍ଚିତ ଅଛନ୍ତି ।

ଏହି ସବୁ ବିଦ୍ୟାଳୟ ଗୁଡିକରେ ସମୁଦାୟ ୩ ଲକ୍ଷ ୪୮ ହଜାର ୨୪୯ ଜଣ ଶିକ୍ଷକ ପାଠ ପଢା ପାଇଁ ନିଯୁକ୍ତ ଥିବା ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ଅନଲାଇନ ଶିକ୍ଷା ରାଜ୍ୟରେ ଲାଗୁ ହେବା ପରେ ସମସ୍ତ ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରି ନାହାନ୍ତି । ଅନଲାଇନ ଶିକ୍ଷା ରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ କିମ୍ବା ଡିଜିଟାଲ ଡିଭାଇସ ନଥିବାରୁ ଛାତ୍ରଛାତ୍ରୀ ମାନେ ପାଠପଢିବାକୁ ସମସ୍ୟା ଭୋଗୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Comments are closed.