ମହା ଶିବରାତ୍ରି ଓ ଏହାର ବିଶେଷତ୍ଵ

ଶିବରାତ୍ରି ଏକ ହିନ୍ଦୁ ପର୍ବ ଯେଉଁଦିନ କି ଶିବଙ୍କୁ  ପୂଜା କରାଯାଏ

ଇନସାଇଟ ବ୍ୟୁରୋ: ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ ଯେଉଁଦିନ କି ଶିବଙ୍କୁ  ପୂଜା କରାଯାଇଥାଏ । ପ୍ରାଚୀନ କାଳରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅଗଣିତ ନରନାରୀ ଏହି ଉପାସନା ପାଳନ କରି ଆସୁଛନ୍ତି । ଏହିଦିନ ପ୍ରତ୍ୟେକ ଶୈବପୀଠରେ ସାମୂହିକ ଭାବେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ବ୍ରତ ପାଳନ କରୁଥିବା ପ୍ରତ୍ୟେକ ନରନାରୀ ଶିବ ମନ୍ଦିରରେ ଅଖଣ୍ଡ ଦୀପ ଜଳିବ ସହିତ ଉଜାଗର ରହି ଉପବାସ କରିଥାନ୍ତି । ବିଶ୍ବକଲ୍ୟାଣ ଲାଗି ଶିବଲିଙ୍ଗରେ ଶାସ୍ତ୍ରମତେ ବିଶେଷ ପୂଜାର୍ଚ୍ଚନା କରାଯାଏ । ରାତ୍ରିର ପ୍ରଥମ ପ୍ରହରରେ ଦୁଗ୍ଧ, ଦ୍ବିତୀୟ ପ୍ରହରରେ ଦଧି, ତୃତୀୟ ପ୍ରହରରେ ଘୃତ ସହ ଚତୁର୍ଥ ପ୍ରହରରେ ମଧୁ ଦ୍ବାରା ଶିବ ଲିଙ୍ଗକୁ ସ୍ନାନ କରାଯାଇଥାଏ ।

ଏପରିକି ସାରା ରାତି ଉଜାଗର ରହି ଦୀପ ଜାଳି ଶିବନାମ ଜପ ଓ ସ୍ମରଣ କରନ୍ତି ଶିବଭକ୍ତ । ତେଣୁ ଏହି ପର୍ବକୁ ଜାଗର ମଧ୍ୟ କୁହାଯାଏ । ଏହା ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି ।  ପୁରାଣ ରେ ଲେଖା ରହିଛି ଶିବରାତ୍ରି  ପାଳନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ଏହି ଦିନ ଶିବ ମହାପ୍ରଭୁଙ୍କ ଉପରେ ରୁଦ୍ରାଭିଷେକ କରାଯାଇଥାଏ । ଏଥି ସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ମଧ୍ୟ ଜପ କରାଯାଇଥାଏ। ମାନ୍ୟତା ଅଛି ଯେ ଏହି ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଦ୍ୱାରା ସ୍ବାସ୍ଥ୍ୟର ସମସ୍ୟା ରହେ ନାହିଁ ।

‘ ଶିବ’ ଶବ୍ଦର ଅର୍ଥ ମଙ୍ଗଳମୟ । ସେ ହେଉଛନ୍ତି ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର । ସେ ଆଦର୍ଶଯୋଗୀ ଓ ତେଜସ୍ୱୀ ମୁନି ।  ସେ ସତ୍ୟ ଶିବ ସୁନ୍ଦର ।  ସେ ମହାଦେବ, ଆଶୁତୋଷ, ମହେଶ୍ୱର, ମଙ୍ଗଳମୟ, ତ୍ରିଲୋଚନ । ବର୍ଷର ପ୍ରତି ମାସକୁ କୃଷ୍ଣପକ୍ଷ ଏବଂ ଶୁକ୍ଳପକ୍ଷର ଚତୁର୍ଦଶିକୁ ଶିବଙ୍କୁ ସମର୍ପିତ ମାସ ଶିବରାତ୍ରିର ବ୍ରତ କରା ଯାଇଥାଏ । କିନ୍ତୁ ଫାଲଗୁନ ମାସ କୃଷ୍ଣପକ୍ଷର ଶିବରାତ୍ରିର ଅଧିକ ମହତ୍ଵ ରହିଛି । କୁହାଯାଏ କି ଏହିଦିନ ସୃଷ୍ଟିର ଆରମ୍ଭ ହୋଇଥିଲା । ଏହି ଦିନ ବିଶେଷ ରୂପେ ଦେବା ଦେବୀଙ୍କର ମଧ୍ୟ ପୂଜାର୍ଚ୍ଚନା ହୋଇଥାଏ I

ଶିବରାତ୍ରି ପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡେ । ପୂର୍ବ ରୁ ପଶ୍ଚିମ, ଉତ୍ତର ରୁ ଦକ୍ଷିଣ ଚାରିପଟେ  । ରାଜ୍ୟର ସବୁ ଭାଗରେ ରହିଛି ପ୍ରସିଦ୍ଧି ଲାଭ କରିଥିବା ଅନେକ ବଡ଼ ବଡ଼ ଶୈବ ପୀଠ । ସେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ହୁଅନ୍ତୁ ଅବା ଭଦ୍ରକ ଆରଡ଼ିର ଆଖଣ୍ଡଳମଣି । ଶୈବଭକ୍ତ ମାନଙ୍କ ମଧ୍ୟରେ ମହାଶିବରାତ୍ରି ବା ଜାଗର ସବୁଠାରୁ ପ୍ରିୟ । ଏହିଦିନ ସବୁଠାରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳେ  । ଭକ୍ତମାନେ ଜାଗର ଉପବାସ କରି ଶିବଙ୍କୁ ପୂଜି ଥାନ୍ତି । ଆଉ କିଛି ମହାଦୀପ ଉଠିବା ଯାଏ ଉପବାସ ରଖନ୍ତି । ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠେ ବିଭିନ୍ନ ମନ୍ଦିରର ପରିବେଶ । ସୁରକ୍ଷା ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ ମୁତୟନ କରାଯାଇଥାଏ ।

ସାଧାରଣତଃ ମହାଶିବରାତ୍ରିର ବିଶେଷ ଆକର୍ଷଣ ହେଉଛି ରାତ୍ରିର ଶେଷ ପ୍ରହରରେ ମନ୍ଦିର ଶିଖରକୁ ଉଠୁଥିବା ଦିବ୍ୟ ଜ୍ୟୋତି ସ୍ୱରୂପ ମହାଦୀପ । ତେଣୁ ଲକ୍ଷ ଲକ୍ଷ ଭକ୍ତ ଶିବରାତ୍ରି ଉପବାସ କରି ମହାଦୀପ ଉଠିବାର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥାଆନ୍ତି ।

MahashivratriOdishaShivratri