5ଟି ସଚିବଙ୍କ କନ୍ଧମାଳ ଗସ୍ତ – ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ମା ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ ୫.୨୯ କୋଟି ଟଙ୍କାର ଫୁଲବାଣୀ ବସ ଷ୍ଟାଣ୍ଡ ପ୍ରକଳ୍ପର ନିର୍ମାଣ ଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ କନ୍ଧମାଳ ପର୍ଯ୍ୟଟନର ସାମଗ୍ରୀକ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫T ସଚିବ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣିବା ସହିତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ।

ପାଣ୍ଡିଆନ ପ୍ରଥମେ ଖଜୁରିଆପଡା ବ୍ଲକସ୍ଥିତ ମା ବରାଳଦେବୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଫୁଲବାଣୀରେ ନିର୍ମାଣାଧୀନ ବସ ଷ୍ଟାଣ୍ଡ ପ୍ରକଳ୍ପ ପରିଦର୍ଶନକରି ଏହାର ନିର୍ମାଣ କାମ ସମୀକ୍ଷା କରିଥିଲେ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଭିତ୍ତିଭୂମିର ଉପଯୁକ୍ତ ନିର୍ମାଣ ଉପରେ ଭି.କେ. ପାଣ୍ଡିଆନ ଗୁରୁତ୍ୱ ଦେଇଥିଲେ । ଏହି ପ୍ରକଳ୍ପ ପାଇଁ ୫.୨୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସମସ୍ତ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ୫T ସଚିବ ପାଣ୍ଡିଆନ ଫୁଲବାଣୀ ସ୍ପୋର୍ଟ୍‌ସ୍ କମ୍ପ୍ଲେକ୍ସ ଠାରେ ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ ସଂଘର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାର ସାମଗ୍ରୀକ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କନ୍ଧମାଳରେ ପର୍ଯ୍ୟଟନର ବିକାଶ ପାଇଁ ସମସ୍ତେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ ପର୍ଯ୍ୟଟନର ସାମଗ୍ରିକ ବିକାଶ ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ନିଜର ଅଭିଭାଷଣ ରଖି 5T ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ କନ୍ଧମାଳରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କରାଯାଉଛି । ଏହାର କାମ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ବୋଲି ସେ କହିଥିଲେ । ଏକ ହଜାର କୋଟି ଟଙ୍କାରେ ନିର୍ମିତ ଏହି କଲେଜ ଓ ହସ୍ପିଟାଲ ଦ୍ୱାରା କନ୍ଧମାଳ ଓ ଆଖପାଖ ଜିଲ୍ଲାର ଲୋକମାନେ ଉନ୍ନତମାନର ଚିକିତ୍ସା ପାଇପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ପାଇଁ ୪୯୯.୯୧ କୋଟି ଟଙ୍କାରେ ଏକ ମେଗା ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ବୌଦ୍ଧ ଜିଲ୍ଲାରେ ପ୍ରବାହିତ ମହାନଦୀରୁ ପାଇପ ଯୋଗେ ପାଣି ଅଣାଯିବ । ଏହା ଦ୍ୱାରା ଫୁଲବାଣୀ, ଖଜୁରିଆପଡା, ଫିରିଙ୍ଗିଆ ଓ ଚକାପାଦ ଆଦି ବ୍ଲକ ଅଞ୍ଚଳର ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇପ ଯୋଗେ ପାଇ ପାରିବେ ।

ଫୁଲବାଣୀ ରିଜର୍ଭ ପୋଲିସ୍‌ ପଡିଆରେ ସେ ଜିଲ୍ଲାର କଲେଜ ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ । ୫T ସଚିବ କହିଥିଲେ ଯେ ଜିଲ୍ଲାର ସମସ୍ତ ୩୬ଟି ଶିକ୍ଷାନୁଷ୍ଠାନକୁ 5T ରୂପାନ୍ତର କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଛି ଏବଂ ଏସବୁଗୁଡିକର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଏଥିପାଇଁ ୧୮.୭୫ କୋଟି ଟଙ୍କା ବିନିଯୋଗ କରାଯିବ । ଜିଲ୍ଲାର ୧୧ଟି ଡିଗ୍ରୀ କଲେଜ ପାଇଁ ୭.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୧.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ୨୩,୭୭୭ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । କାର୍ଯ୍ୟଗୁଡିକର ନିୟମିତ ସମୀକ୍ଷା କରି ଠିକ୍‌ ସମୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଫୁଲବାଣୀ ଜିଲ୍ଲାର ଅଭିଷେକ ପଡିଆରେ ମିଶନ ଶକ୍ତି ସଦସ୍ୟା, ବ୍ୟାଙ୍କ ମିତ୍ର ଏବଂ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହିତ ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ସମାଜର ପରିବର୍ତ୍ତନ ଓ ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ବଳିଷ୍ଠ ପ୍ଲାଟଫର୍ମ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ । ମିଶନ ଶକ୍ତି ସଦସ୍ୟାମନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରି ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ କ୍ରୀଡା ସଚିବ ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

5TKandhamalOdishaVK Pandian