ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତରେ ଫଳିଛି ଷ୍ଟ୍ରବେରୀ

ଆଗାମୀ ସପ୍ତାହ ମଧ୍ୟରେ ପ୍ରାୟ ୫୦କେଜି ଷ୍ଟ୍ରବେରୀ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ଏହା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ଇନସାଇଟ ବ୍ୟୁରୋ: କୋଟିଆରେ ବିବାଦ ବନାମ ବିକାଶ । କୋଟିଆକୁ ନେଇ ବିବାଦ ଥମୁ ନ ଥିବାବେଳେ ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ଏବେ ସମସ୍ତଙ୍କୁ  ନୂଆ ଆଶା ଦେଖାଇଛି । କୋରାପୁଟର କୋଟିଆ ମାଟିରେ ଫଳିଚି  ଲାଲ୍ ଟହଟହ ଷ୍ଟ୍ରବେରୀ ।  ଆଦିବାସୀ ମାନଙ୍କୁ ଏହି ଚାଷ କୌଶଳ ଶିଖାଇ ଦିଆଯିବା ପରେ ସେମାନଙ୍କ ଭିତରେ ହସ ଫେରିଛି । ଏହି ଫଳ ଏହାର ଚରିତ୍ରିକ ସୁଗନ୍ଧ, ଉଜ୍ଜ୍ୱଳ ଲାଲ ରଙ୍ଗ, ରସାତ୍ମକ ଗଠନ ଏବଂ ମଧୁରତା ପାଇଁ ସମ୍ପୂର୍ଣ୍ଣ ବିଶ୍ବରେ ବହୁଳ  ପ୍ରଶଂସିତ । ପ୍ରସାଧାନିକ ସାମଗ୍ରୀ ସହ ଅନେକ ଖାଦ୍ୟରେ ଏହାକୁ ବହୁଳ ଭାବେ ବ୍ୟବହାର କରାଯାଏ । ଏବେ ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆରେ ଚାଷ କରି ସଫଳ ହୋଇଛନ୍ତି ଚାଷୀ ।

ଗତ ୩ ମାସ ତଳେ କୋଟିଆ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଡୋଳିଆମ୍ବ ଅଞ୍ଚଳରେ ଉକ୍ତ ଚାଷ ପାଇଁ ଉପଯୁକ୍ତ ଜଳବାୟୁ  ଚିହ୍ନଟ କରାଯାଇଥିଲା ଆଉ ଏଥିପାଇଁ କୋଟିଆବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ ସହାୟତାର ହାତ ବଢାଇଥିଲେ ଖୋଦ ଜିଲ୍ଲା ପ୍ରଶାସନ । ଅନେକ ସନ୍ଦେହ, ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତର ଡଲିଆମ୍ବରେ ପାଞ୍ଚ ଏକର ଜାଗାରେ ଲଗାଯାଇଥିବା ଷ୍ଟ୍ରବେରୀ ଗଛରେ ଫଳ ଫଳିଥିବା ନଜରକୁ ଆସିଛି । ଯାହାକୁ ନେଇ  ଗ୍ରାମବାସୀ ଏବଂ ଜିଲ୍ଲା ପ୍ରଶାସନ ବେଶ ଖୁସି ଅଛନ୍ତି ।

ଡଲିଆମ୍ବରେ ବର୍ଷର ଅଧିକାଂଶ ସମୟ ଜଳବାୟୁ ଥଣ୍ଡା ରହୁଥିବା ହେତୁ ଏହାକୁ ଷ୍ଟ୍ରବେରୀ ଚାଷ କରିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଯାଇ ଗ୍ରାମବାସୀଙ୍କ ସହଭାଗିତାରେ ଗାଁ ନିକଟରେ ପାଞ୍ଚ ଏକର ଜାଗାକୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୋଗୀ କରାଯାଇଥିଲା । ଏହି ଚାଷ ପାଇଁ ଚାରା ପୁନେରୁ ଅଣାଯାଇଥିବା ବେଳେ ଖେତ ପ୍ରସ୍ତୁତିରେ ବିଶେଷଜ୍ଞ ମାନେ ସହଯୋଗ କରିଥିଲେ । ଷ୍ଟ୍ରବେରୀ ଚାଷ ସମଗ୍ର କୋଟିଆ ପଞ୍ଚାୟତ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ହେବ ବୋଲି ଆଶାପୋଷଣ କରାଯାଉଛି । ବର୍ତ୍ତମାନ ଫଳ ଧରିବା ଆରମ୍ଭ ହୋଇଯାଇଥିବା ଯୋଗୁଁ ପାଞ୍ଚ ଏକରରେ ଲଗାଯାଇଥିବା ୫୫ ହଜାର ଷ୍ଟ୍ରବେରୀ ଗଛରୁ ପ୍ରାୟ ୨୫ ଟନ ଫଳ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ।

କୋରାପୁଟ କଫି, ହଳଦୀ ତିଆରି ସାବୁନ ସମେତ ଅନ୍ୟାନ୍ୟ ଉତ୍ପାଦ ଭଳି କୋରାପୁଟ ଷ୍ଟ୍ରବେରୀ ଏ ମାଟିର ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରିବ ବୋଲି ଆଶା ରଖାଯାଇଛି । ମାତ୍ର ତିନିମାସରେ ଏଭଳି ଅମଳ ଚାଷୀ ମନରେ ଆଶା ଭରିଛି ।

ପ୍ରଥମଥର ପାଇଁ ପାଖାପାଖି ୧୦କେଜିରୁ ଊର୍ଦ୍ଧ୍ବ ଷ୍ଟ୍ରବେରୀ ତୋଳାଯାଇଥିବାବେଳେ ଏହାକୁ ଆନନ୍ଦର ସହ  ଅଞ୍ଚଳର ଚାଷୀ ଉପଭୋଗ କରିଛନ୍ତି । ଆଗାମୀ ସପ୍ତାହ ମଧ୍ୟରେ ପ୍ରାୟ ୫୦କେଜି ଷ୍ଟ୍ରବେରୀ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ଏହା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ମାର୍ଚ୍ଚ, ଏପ୍ରିଲ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ରଖିଛି ପ୍ରଶାସନ। ଅନ୍ୟପଟେ ବିକ୍ରି ପାଇଁ  ବ୍ୟବସ୍ଥା ପ୍ରଶାସନ କରିବ । ଆଗକୁ ଭବିଷ୍ୟତରେ କୋରାପୁଟ କଫି ଭଳି କୋରାପୁଟ ଷ୍ଟ୍ରବେରୀ ମଧ୍ୟ ସୁନାମ ଆଣିବ କୁହାଯାଉଛି । ପ୍ରଶାସନ ର ସହଯୋଗ ଏବଂ ଗ୍ରାମବାସୀଙ୍କ ଇଚ୍ଛାଶକ୍ତି ଆଜି ତାଙ୍କୁ ସଫଳ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

KoraputKotiaOdishaStrawberry Cultivation