ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

Insight Bureau: ଗତ ଦୁଇଦିନ ତଳେ ବିଡିଓ ଫିଲ୍ଡ ଭିଜିଟ କରିବାକୁ ଯାଇଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲେ ଦେବଗଡ ବିଧାୟକ ।  ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ମଧ୍ୟ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଥିଲା ।  ଗତକାଲି ତାଙ୍କୁ ଅଭିଯୋଗ ଆଧାରରେ ଗିରଫ କରାଯାଇଛି ।

ତେବେ ତାଙ୍କ ଗିରଫ ପରେ ଦେବଗଡ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡକରା ଦେଇଥିଲା ବିଜେପି । ଆଜି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ବିଜେପିର ଦେବଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ବିଜେପି ।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ କରି ପିକେଟିଂ କରୁଛନ୍ତି ବିଜେପି କର୍ମୀ । ଗତକାଲି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନଙ୍କ ସହ ଅନ୍ୟ କର୍ମୀ ବିଧାୟକଙ୍କ ଗିରଫ ପ୍ରତିବାଦରେ ଥାନା ଆଗରେ ଧାରଣା ଦେବା ସହିତ ପୋଲିସ ବିରୋଧରେ ନାରାବାଜି କରିଥିଲେ ।

Support Independent Journalism? Keep us live.

ସେପଟେ କାଲି ବିଧାୟକଙ୍କ ଜାମିନ ନାମଞ୍ଜୁର ପରେ ୭ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦେବଗଡ଼ ସିଜେଏମ୍ କୋର୍ଟ । ଗିରଫ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା । ତେବେ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ବିରୋଧରେ ସୁବାସ ମଧ୍ୟ ଏକ ଅଭିଯୋଗ କରିଥିବା ବେଳେ ପୋଲିସ ତା ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ସିଧା ବିଧାୟକଙ୍କୁ ଗିରଫ କରିବା ଦୁର୍ଭାଗ୍ୟଜନକ ବୋଲି କହିଛି ରାଜ୍ୟ ବିଜେପି ।

Comments are closed.