କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର କମିଶନ

ଘଟଣାକୁ ଅତି ଗୁରୁତ୍ୱର ସହ ନେଇ କମିଶନ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରୁ ଘଟଣା ଉପରେ ରିପୋର୍ଟ ତଲବ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ(ଏଟିଆର୍) ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କଳାହାଣ୍ଡି ଥୁଆମୂଳ ରାମପୁରରେ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଖଟିଆରେ ବୋହି ଆଣିବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ଏହି ଘଟଣାରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ କମିଶନ ନୋଟିସ୍ ଜାରି କରିଛନ୍ତି ।

ରାଣିପଡା ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ସେହି ଗାଁର ପବିତ୍ର ଗୌଡଙ୍କ ପତ୍ନୀ ଦୌପଦୀ ଗୌଡଙ୍କୁ ଲୋକେ ଖଟିଆରେ ୫ କିଲୋମିଟର ବୋହି ବୋହି ଆଣିଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ୩୦ ଡିସେମ୍ବର ୨୦୨୨ର ଏହି ଅଭାବନୀୟ ଘଟଣାକୁ ନେଇ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନରେ ପିଟିସନ୍ ଦାଖଲ କରିଥିଲେ । ସେ ଦର୍ଶାଇଥିଲେ ସେହି ଗାଁକୁ ରାସ୍ତା ନଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା ।

ଗାଁଲୋକେ ଗର୍ଭବତୀଙ୍କୁ ଖଟିଆରେ ଧରି ଦୁଇଟି ନଦୀ ପାର ହୋଇ ୫ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଁଚିଥିଲେ । ସରକାର ରାଜ୍ୟରେ ବିକାଶକୁ ନେଇ ବାହାବା ନେଉଥିବା ବେଳେ ଏଭଳି ଘଟଣା ସରକାରଙ୍କ ଅସଲ ଚେହେରାକୁ ଦର୍ଶାଉଛି ବୋଲି ଅଖଣ୍ଡ ଅଭିଯୋଗ କରିଛନ୍ତି ।

ଘଟଣାକୁ ଅତି ଗୁରୁତ୍ୱର ସହ ନେଇ କମିଶନ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରୁ ଘଟଣା ଉପରେ ରିପୋର୍ଟ ତଲବ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ(ଏଟିଆର୍) ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କମିଶନ ନିଜ ଟିମ୍ ପଠାଇ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିବା ଲାଗି ପିଟିସନକାରୀ ନିବେଦନ କରିଛନ୍ତି ।

Human Rights CommissionkalahandiNHRCOdishaPregnancyWomenକଳାହାଣ୍ଡି