ରାଜ୍ୟରେ ପ୍ରତିଷ୍ଠା ହେବି ୩୪ଟି ନୂଆ ଅଦାଲତ

ରାଜ୍ୟରେ ସରଳ ହେବାକୁ ଯାଉଛି ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ଏବେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ସୂଚନା ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା ।

Insight Bureau: ରାଜ୍ୟରେ ସରଳ ହେବାକୁ ଯାଉଛି ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ଏବେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ସୂଚନା ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମାରିଛନ୍ତି ମୋହର । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ  ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ।

ଏହି କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିବା ବେଳେ ଅନ୍ୟ ୭ଟି ଜିଲ୍ଲା ଏବଂ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରି ଦେଇଛନ୍ତି। ଏଥିମଧ୍ୟରେ ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋର ଓ ଜଳେଶ୍ୱରରେ ଗୋଟିଏ କରି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କେରାପୁଟ ଏବଂ ଗଜପତି ଜିଲ୍ଲାର ଆର.ଉଦୟଗିରି ଠାରେ ରହିଛି। ଅନୁରୂପ ଭାବେ ୫ଟି ସିଭିଲ ଜଜ କୋର୍ଟକୁ ଅନୁମୋଦନ ମିଳିଛି । ଏଗୁଡ଼ିକ ନୟାଗଡ଼ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା, ଗଞ୍ଜାମ ଜିଲ୍ଲାର ସୋରଡ଼ା ଏବଂ ସୋନପୁର ଜିଲ୍ଲାର ରାମପୁରଠାରେ ପ୍ରତିଷ୍ଠା ହେବ। ଏଗାରଟି ସ୍ଥାନରେ ସିଭିଲ ଜଜ କୋର୍ଟ ସ୍ଥାପନ ହେବ । ଏଗୁଡ଼ିକ ବଲାଙ୍ଗୀର ଜିଲ୍ଲାର ତୁଷରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ଦେବଗଡ଼ ଜିଲ୍ଲାର ବାରକୋଟ, ଜଗତସିଂହପୁର ଜିଲ୍ଲାର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡ଼ାରେ ପ୍ରତିଷ୍ଠା କରାଯିବ । ଏଥିସହିତ  ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି । ଏଗୁଡିକ ମଧ୍ୟରେ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗୀର ସଦର, କେନ୍ଦ୍ରାପଡ଼ା ସଦର, ଜୟପୁର, ରାଉରକେଲା ଏବଂ ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ ।

ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟକୁ ଅନୁମୋଦନ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ  ପାଇଁ ୩.୬୦କୋଟି, ସିଭିଲ ଜଜ୍ ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ୪ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠାକୁ ଅନୁମୋଦନ କରିଥିବାବେଳେ ନୟାଗଡ଼ ଜିଲ୍ଲାର ଓଡଗାଁ ଠାରେ ସିଭିଲ ଜଜ୍ କୋର୍ଟକୁ ଅନୁମୋଦନ ମିଳିଛି ।  ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରି ପାଇଥିବା ଏହି ଅଦାଲତ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା ହେବ ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ଜେନା ।

CourtsOdishaOdisha law ministerPratap Jena