ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ

ପ୍ରକାଶ ପାଇଛି ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି ଯେଉଥିପାଇଁ ନାମାଙ୍କନ ପ୍ରକ୍ରିୟା ବି ଆରମ୍ଭ ହୋଇଛି  । କିନ୍ତୁ ଏ ଯାଏଁ ପାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି ଦଳ ଦଳ ଭିତରେ ।

Insight Bureau:  କିଛି ଦିନ ତଳେ ପ୍ରକାଶ ପାଇଛି ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି । ଯାହା ଫଳରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି  । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ଏହା ପରେ ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଭୋଟ ଗ୍ରହଣ ହେବ ମଇ ୩୧ ତାରିଖରେ ଆଉ ଭୋଟ ଗଣତି ଜୁନ ୩ ତାରିଖରେ ।

ବିଜ୍ଞପ୍ତି ପ୍ରକାଶ ପରେ ଜୋରଦାର ପ୍ରସ୍ତୁତି କଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ତୃଣମୂଳ ସ୍ତରରେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କେମିତି ନିର୍ବାଚନ ମଇଦାନ ପାର ହେବେ ସେ ନେଇ ଆରମ୍ଭ ହୋଇଛି ଦଳ ଭିତରେ କରସତ ।

କଣ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ରାଜନୈତିକ ଦଳ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଏ ଯାଏଁ ପାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି ଦଳ ଦଳ ଭିତରେ । ଏକାଧିକ ଆଶାୟୀ ଥିବାରୁ ସବୁ ଦଳ ପାଇଁ ଚିନ୍ତା ବଢିଛି ।  ୨୦୧୯ରେ ପ୍ରଥମ ଥର ପାଇଁ ବିଜେଡି ବ୍ରଜରାଜନଗର ଦଖଲ କରିଥିବା ବେଳେ ଉପନିର୍ବାଚନ ଜିତି ସିଟ ବଜାୟ ରଖିବାକୁ ବିଜେଡ଼ି ରଣନୀତି କରିଛି । ସବୁ ଉପନିର୍ବାଚନ ପରି ଚଳିତ ନିର୍ବାଚନରେ ମଧ୍ୟ ତୃଣମୂଳ ସ୍ତରରେ ଯୋଜନା କରିଛି ଶାସକଦଳ।

ଏପଟେ ବ୍ରଜରାଜନଗର ଉପନିର୍ବାଚନରେ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । କିଶୋରଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ଆପାତତଃ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କିଶୋର ପୂର୍ବରୁ କଂଗ୍ରେସ ଟିକେଟରୁ ବିଧାୟକ ହେବା ସହ ମନ୍ତ୍ରୀ ରହି ସାରିଛନ୍ତି । ଅନ୍ୟପଟେ କିଶୋରଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଟିକେଟ ଦେଇ ବ୍ରଜରାଜନଗର ବାଜି ଜିତିବାକୁ କଂଗ୍ରେସ ଚାହୁଁଥିବା କୁହାଯାଉଛି । ଯେହେତୁ ପୂର୍ବରୁ ବ୍ରଜରାଜନଗର କଂଗ୍ରେସର ଗଡ ରହିଥିଲା ତେଣୁ ପୁଣି ଏହି ଆସନରେ କମବ୍ୟାକ କରିବାକୁ କିଶୋରଙ୍କୁ ପ୍ରାର୍ଥୀ କରିପାରେ ଦଳ ।

ସେହିପରି ଉଭୟ ବିଜେପି ଓ ବିଜେଡି ବ୍ରଜରାଜନଗରରେ କାହାକୁ ପ୍ରାର୍ଥୀ କରିବେ ତାହା ଉପରୁ ଏଯାବତ ପରଦା ହଟି ପାରୁନି । ବିଜେଡି ପକ୍ଷରୁ ନବ ଦାସଙ୍କ ଝିଅ ଦୀପାଲି ଦାସ ଓ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଶାସକ ଦଳର ସଭାପତି ନବୀନ କାହା ନାଁରେ ମୋହର ମାରିବେ ତାହା ମଧ୍ୟ ଏଯାବତ ସ୍ପଷ୍ଟ ହୋଇନି ।

ସେହିଭଳି ବିଜେପିରେ ମଧ୍ୟ ସମାନ ସ୍ଥିତି । ବିଜେପିର ଅନେକ ଆଶାୟୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏହି ଏଥିରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ସୁଜିତ ସିଂ ସବୁଠୁ ଆଗରେ ରହିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପିର ଗୋଟିଏ ଗୋଷ୍ଠୀ ରାଧାରାଣୀଙ୍କ ସମର୍ଥନରେ ବାହାରିଥିବା ବେଳେ ଅନ୍ୟ ଗୋଷ୍ଠୀ ସୁଜିତଙ୍କୁ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବାର ଚର୍ଚ୍ଚା ହେଉଛି । ଯେହେତୁ ରାଧାରାଣୀ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ତେଣୁ ତାଙ୍କ ବଦଳରେ ଯୁବ ଚେହେରା ସୁଜିତଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି ଏହି ଗୋଷ୍ଠୀ ନିଜ ମତ ରଖିଛି । ଆଉ ଏସବୁ ଭିତରେ ଉଭୟ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀତ୍ୱ କାର୍ଡ ଖୋଲି ନାହାନ୍ତି । ଯାହା ଏବେ ବ୍ରଜରାଜନଗର ରାଜନୀତିକୁ ରୋଚକ କରିଛି ।

BJDBJPBrajrajnagar bypollBrajrajnagar ElectionCongressOdisha