ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କରିବ ବିକ୍ଷୋଭ ଓ ଆନ୍ଦୋଳନ

“ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡରେ ଯେଉଁଭଳି ଭାବରେ ମନଇଚ୍ଛା ବିଦୁ୍ୟତ୍ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ୪୫ ଡିଗ୍ରୀ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ବିଜୁଳି କାଟ୍ ପ୍ରତିବାଦରେ ସ୍ୱର ଉତେଳନ କଲେ ସୁଦ୍ଧା ଉଭୟ ଟାଟା ପାୱାର ଏବଂ ରାଜ୍ୟ ସରକାର ଜବାବ୍ ଦେଉନାହାନ୍ତି । ଯେପରି ମନେ ହେଉଛି, ଏ ସମସ୍ତ ବ୍ୟବସ୍ଥାର ମାଲିକ ରାଜ୍ୟ ସରକାର ନୁହଁ ବରଂ ଟାଟା ପାୱାର । କେବଳ ମାତ୍ର ବିଜୁଳି ବିତରଣ ପାଇଁ ଅନୁବନ୍ଧିତ ହୋଇଥିବା ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକଂପା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।” ଶକ୍ତି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ଭାରତୀୟ ଜନତା ପାର୍ଟୀ ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୁଚନା ଦେଇଛନ୍ତି ।

“ରାଜ୍ୟରେ ଅଘୋଷିତ ବିଜୁଳି କାଟ୍ କଣ ପାଇଁ ? ରାଜ୍ୟବାସୀଙ୍କୁ ନିରବିଚ୍ଛନ ଭାବେ ବିଜୁଳି ସେବା ଯୋଗାଇ ଦେବାର ଦାୟୀତ୍ୱ ନେଇଥିବା ଟାଟା ପାୱାର ସମସ୍ତ ଚୁକ୍ତି ଓ ନିୟମକୁ ଖିଲାପ କରୁଛି ଏବଂ ଗ୍ରାମାଂଚଳରେ ଦିନକୁ ୪-୫ ଘଂଟାରୁ ଉଦ୍ଧ୍ୱର୍ ଏବଂ ସହରାଂଚଳରେ ଦିନକୁ ୨୦-୨୫ ଥର ଅଘୋଷିତ ପାୱାର କଟ୍ କରୁଛି ।  ୧୯୯୫ ମସିହାରୁ ରାଜ୍ୟବାସୀଙ୍କ ଟ୍ୟାକ୍ସ ପଇସାରେ ବିଜୁଳି ବିଭାଗର ଭିତିଭୁମିର ଆଧୁନିକୀକରଣ ଆରମ୍ଭ ହୋଇଥିଲା୧୯୯୫ ମସିହାରୁ ରାଜ୍ୟବାସୀଙ୍କ ଟ୍ୟାକ୍ସ ପଇସାରେ ବିଜୁଳି ବିଭାଗର ଭିତିଭୁମିର ଆଧୁନିକୀକରଣ ଆରମ୍ଭ ହୋଇଥିଲା ରାଜ୍ୟର ସମସ୍ତ ବିଜୁଳି ଭିତିଭୁମିକୁ ମାଗଣାରେ ସଂପୂର୍ଣ୍ଣ ବ୍ୟବହାର କରି ମଧ୍ୟ ବିଜୁଳି ସେବା ଯୋଗାଇ ଦେବାରେ ଟାଟା ପାୱାର ଫେଲ୍ ମାରିଛି ଏବଂ ରାଜ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାର ଟାଟା ପାୱାର ଉପରୁ ନିଜ ନିୟନ୍ତ୍ରଣ ହରାଇଛନ୍ତି । ଶକ୍ତି ବିଭାଗ ସ୍ଥାଣୁ ପାଲଟିଛି ।” ବାସ୍ତବରେ ଏଠି କିଏ ସରକାର ଚଲାଉଛି ଏବଂ ଏହି ସରକାରର ମାଲିକ କିଏ ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ମହାମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ବିଜୁଳି କଟ୍ ହେବା ଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୧୫-୨୦ ମିନିଟ୍ର କାଳବୈଶାଖୀରେ ରାଜଧାନୀ ଭୁବନଶ୍ୱେର ସମେତ ଓଡିଶାର ବିଭିନ୍ନ ସ୍ଥାନରେ ୨୪ ଘଂଟା ପର୍ଯ୍ୟନ୍ତ ବିଦୁ୍ୟତ୍ କାଟ୍ ହେଲା । ପାୱାର କଟ୍କୁ ପାୱାର ଟ୍ରିପ୍ ବୋଲି କହି ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଡିଲେ ଏବଂ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଲେ । ଅଘୋଷିତ ପାୱାର କଟ୍କୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶକ୍ତି ବିଭାଗ ପ୍ରସ୍ତୁତ ନଥିବାକୁ ପରୋକ୍ଷରେ ସ୍ୱୀକାର ମଧ୍ୟ କରିଲେ । ବାସ୍ତବରେ ଓଡିଶା ସରକାର ଟାଟା ପାୱାର ଆଗରେ ବନ୍ଧା ପଡିଛନ୍ତି ବୋଲି କହିଛନ୍ତି ହରିଚନ୍ଦନ ।

୧୯୯୫ ମସିହାରୁ ଟାଟା ଟ୍ରାନ୍ସମିସନ୍ ଏବଂ ସଂଯୋଗୀକରଣକୁ ଆଧୁନୀକରଣ ପାଇଁ ସାଧାରଣ ଲୋକଙ୍କର ପଇସାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ଓଇଆରସିର ନିୟମକୁ ଉଲ୍ଲଂଘନ କରି ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ୨୭୨୭ କୋଟି ଟଙ୍କା ଆଦାୟ କରାଯାଇଥିଲା ଏବଂ ଏହି ଟଙ୍କା ଫେରାଇ ଦେବାକୁ ନିଦେ୍ର୍ଦଶ ଦିଆଯାଇଥିବା ସତ୍ୱେ ତାହା ଫେରସ୍ତ କରିଲେ ନାହିଁ । ବିଜୁଳି ବଳକା ରାଜ୍ୟ ଭାବେ ପରିଗଣିତ ଓଡିଶାବାସୀଙ୍କ ଉପରେ ବିଜେଡି ସରକାରର ଏଭଳି ଜୁଲମ୍ କାହିଁକି ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ରାଜ୍ୟବାସୀ କେତେ ଘଂଟା ବିଜୁଳି କାଟ୍ ର କଷ୍ଟ ସହିବେ, ତାହା ଶ୍ୱେତପତ୍ର ଜରିଆର ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ଶକ୍ତି ବିଭାଗ ମନ୍ତ୍ରୀଙ୍କ ଅବହେଳା ଓ ଟାଟା ପାୱାର କଂପାନୀ ପ୍ରୀତି ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପୃଥ୍ବୀରାଜ ହରିଚନ୍ଦନ ଦାବୀ କରିଛନ୍ତି ।

BJPOdishaPower CrisisTata Power