ନବ ଦାସ ହତ୍ୟା ମାମଲାରେ ବିଜେପିର ଆକ୍ରମଣାତ୍ମକ ରୂପ

୧୦ ଦିନ ପରେ ବି କ୍ରାଇମବ୍ରାଞ୍ଚ ପାଉନି ହତ୍ୟା ପଛର କାରଣ

ଇନ୍‌ସାଇଟ ବ୍ୟୁରୋ : ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାପରି ନବ ଦାସ ହତ୍ୟାକାଣ୍ଡକୁ ବିତି ବିତି ଯାଉଛି ଦିନ ମାତ୍ର କ୍ରାଇମବ୍ରାଞ୍ଚକୁ ମିଳିପାରୁନି ହତ୍ୟା ପଛର କୌଣସି କାରଣ। ତଦନ୍ତର ସ୍ୱଚ୍ଛତାକୁ ନେଇ ଓଡ଼ିଶାବାସୀଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଥିବା ବେଳେ ଜୋର ଧରିଛି ରାଜନୈତିକ ବୟାନବାଜି। ନବ ଦାସ ହତ୍ୟା ମାମଲା ଏବଂ ରାଜ୍ୟର ଆଇନଶୃଙ୍ଖଳା ନେଇ ଶାସକ ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା ରାଜ୍ୟରେ ହତ୍ୟା, ଦୁଷ୍କର୍ମ ବଢ଼ିଥିବା ବେଳେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ବିଜେଡି ଇଙ୍ଗିତରେ ଓଡ଼ିଶା ପୁଲିସ କାର୍ଯ୍ୟ କରୁଥିବା ବେଳେ ପୋଲିସ ଉପରେ ଆଉ କେହି ବିଶ୍ୱାସ କରୁନାହାନ୍ତି ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି। କୋର୍ଟ ନିର୍ଦ୍ଦେଶ ନ ମିଳିବା ଯାଏଁ ପୋଲିସ ଏଫଆଇଆର ନ ରଖିବା ରାଜ୍ୟରେ ସାଜିଛି ଏକ ନୂଆ ଓ ବିରଳ କଥା।

ସେହିପରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ନବ ଦାସ ହତ୍ୟାକାଣ୍ଡ ହାଇକୋର୍ଟ ମନିଟର୍ଡ ତଦନ୍ତ ବୋଲି ବିଜେଡି କରୁଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବେଳେ ଏହାର ସମାଧାନ ପରିବର୍ତ୍ତେ ଶାସକ ବିଜେଡି ଦ୍ୱାରା ଭୟର ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

“ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଜଣେ ଦକ୍ଷ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ହତ୍ୟା କରିବା ପଛର ଆଭିମୁଖ୍ୟ କଣ? କିଏ ମୁଖ୍ୟ ଷଡଯନ୍ତ୍ରକାରୀ ? ଶାସକ ବିଜେଡିର ବଡ ବଡ ନେତାଙ୍କ ସଂପୃକ୍ତି ଅଛି କି? ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଘଟଣାର ତଦନ୍ତ ପ୍ରକ୍ରିୟା ସଠିକ୍ ଓ ନିରପେକ୍ଷ ହେବା ସହ ସତ୍ୟାସତ୍ୟ ସାମ୍ନାକୁ ଆସିବା ଉଚିତ୍ ମାତ୍ର ନବ ଦାସ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ବହୁ ସନ୍ଦେହ ସୃଷ୍ଟି କରୁଛି।”

ସ୍ବର୍ଗତଃ ନବ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁନାହିଁ ବରଂ ସାମାଜିକ, ନୈତିକତା ଦାୟିତ୍ୱବୋଧତା ଦେଖାଇ ହତ୍ୟାକାଣ୍ଡର ସତ୍ୟାସତ୍ୟକୁ ଉନ୍ମୋଚିତ କରିବା ପାଇଁ ଘଟଣାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ଅନ୍ୟଥା ବିଜେପି ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଆଜି କ୍ରାଇମବ୍ରାଞ୍ଚର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ଜହ୍ଲାଦ ଗୋପାଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଗୁଳିକାଣ୍ଡ ଠୁ ଆରମ୍ଭ କରି ପୋଲିସକୁ ଟିକ୍ ନିଖ୍ କ୍ରାଇମ ଦିନର ଦୃଶ୍ୟ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ।

BJPNaba DasOdishaନବ ଦାସବିଜେପି