ଓଡିଶା ଗସ୍ତରେ ଥିବା ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ

ଓଡିଶାରେ ମହିଳାମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବାହାର କରୁଛି ଶାସକ ବିଜୁ ଜନତା ଦଳ । ବାସ୍ତବରେ ମହିଳା ସଶକ୍ତିକରଣ ହୋଇନାହିଁ । ଏସଏଚଜିକୁ କେବଳ ଟଙ୍କା ବାଣ୍ଟି ମହିଳା ସଶକ୍ତିକରଣ ହୋଇଛି ବୋଲି ଡିଣ୍ଡିମ ପିଟୁଥିବା ଶାସକ ବିଜେଡିର ୨୩ ବର୍ଷର ନିରୁଙ୍କଶ ଶାସନରେ ଓଡିଶାର ମାଁ ଓ ଭଉଣୀଙ୍କ ସଠିକ୍ ଆର୍ଥିକ ବିକାଶ ହୋଇନାହିଁ । ମମିତା, ପରୀ, ବେବିନା ଭଳି ଅନେକ ମହିଳା ହିଂସା ଓ ନିର୍ଯ୍ୟାତନା ଘଟଣାରେ ବିଜେଡି ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ଚର୍ଚ୍ଚାର ବିଷୟ ହୋଇଛି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବୋଲି ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ ଭରଦ୍ୱାଜ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୀପ୍ତି ରାୱତ୍ ଭରଦ୍ୱାଜ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୮ବର୍ଷ ଶାସନ କାଳରେ ମହିଳାଙ୍କ କଲ୍ୟାଣ ଓ ବିକାଶ ପାଇଁ ଅନେକ ଜନକଲ୍ୟାଣକାରି ଯୋଜନା ସଫଳତାର ସହ ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ଗାଁ ଗାଁରେ ପହଞ୍ଚାଇବା ସହ ମହିଳାଙ୍କୁ ଅବଗତ କରିବା ପାଇଁ ମହିଳା ମୋର୍ଚ୍ଚାର କେନ୍ଦ୍ରୀୟ ପଦାଧିକାରୀମାନେ ଗତ ୨୨ ତାରିଖରୁ ଦୁଇ ଦିନିଆ ଓଡିଶା ଆସି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ଗସ୍ତ କରିଥିଲେ ।

ଗସ୍ତ ଅବସରରେ କେନ୍ଦ୍ରୀୟ ଯୋଜନାର ରୂପାୟନ ଏବଂ ସ୍ଥାନୀୟ ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ । ଦୀର୍ଘ ଦିନ ଧରି ନିଜ ନ୍ୟାର୍ଯ୍ୟ ହକ୍ ଦାବୀ କରି ଆନ୍ଦୋଳନ କରିଆସୁଥିବା ଅଙ୍ଗନବାଡୀ କର୍ମଚାରୀଙ୍କୁ ଜିଲ୍ଲା ଏବଂ ଭୁବନେଶ୍ୱରରେ ମହିଳା ମୋର୍ଚ୍ଚାର ପ୍ରତିନିଧିମାନେ ଭେଟି ଆଲୋଚନା କରିବା ସହିତ ତାଙ୍କ ଦାବୀ ପ୍ରତି ସମର୍ଥନ ଜଣାଇଥିଲେ ।

ରାଜ୍ୟ ସରକାର ଜନତାଙ୍କ ସହ ପାତର ଅନ୍ତର କରୁଛନ୍ତି । ଶାସକ ଦଳର ନେତା ଓ ମନ୍ତ୍ରୀମାନେ କେନ୍ଦ୍ରୀୟ ଯୋଜନା ପାଇଁ ହିତାଧିକାରୀଙ୍କଠାରୁ ପିସି ନେଉଛନ୍ତି । ମହିଳା ହିଂସା ଘଟଣାରେ ନିରାକରଣ ଓ ତତ୍‌ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ନିର୍ଭୟା ଫଣ୍ଡରେ ୨୦୨୧ମସିହାରେ କେନ୍ଦ୍ର ସରକାର ୭୫କୋଟି ଟଙ୍କା ଖର୍ଚ୍ଚ ପାଇଁ ଦେଇଥିଲେ ବି ଓଡିଶା ମାତ୍ର ୪୫କୋଟି ଖର୍ଚ୍ଚ କରିଥିଲେ । ୨୦୨୨ରେ କେନ୍ଦ୍ର ସରକାର ୨୬କୋଟି ଟଙ୍କା ଦେଇଥିଲେ ବି ୧୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଓଡ଼ିଶା ଦୁଷ୍କର୍ମ, ସାଇବର କ୍ରାଇମ, ଅପହରଣ ଇତ୍ୟାଦିରେ ଓଡ଼ିଶା ସ୍ଥାନ ୫ନଂରେ ରହିବା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ ସ୍ପଷ୍ଟ କରୁଛି ବୋଲି ଦୀପ୍ତି ରାୱତ୍ ଭରଦ୍ୱାଜ କହିଛନ୍ତି ।

ମହିଳାଙ୍କୁ ସଶକ୍ତ କରିବା ଲାଗି ମୋଦୀ ସରକାର କୋଟି କୋଟି ଟଙ୍କାର ଯୋଜନା କରିବା ସତ୍ୱେ ରାଜ୍ୟ ସରକାର ସେହି ଯୋଜନାକୁ ନିଜ ନାଁରେ କରାଇ ବାଃ ବାଃ ନେଉଛନ୍ତି । ଏପରିକି ବିଜେଡି ସରକାର ନିଜର ନେତା, ମନ୍ତ୍ରୀ, ବିଧାୟକ, କାର୍ଯ୍ୟକର୍ତା ଓ ଦଳୀୟ କର୍ମୀଙ୍କୁ ଯୋଜନାର ଲାଭ ଦେଇ ଅନ୍ୟମାନଙ୍କୁ ବଞ୍ଚିତ କରୁଛନ୍ତି । କେନ୍ଦ୍ର ସରକାର ଶିଶୁଙ୍କ ଲାଗି ପୋଷଣ ବ୍ୟବସ୍ଥା କରିଛନ୍ତି କିନ୍ତୁ ତାହାକୁ ରାଜ୍ୟ ସରକାର ସଫଳ କରିବାରେ ବାଧା ଦେଉଛନ୍ତି ।

କେନ୍ଦ୍ର ସରକାରଙ୍କ ମାତୃ ଯୋଜନାକୁ ଓଡିଶାରେ ମମତା, ହର ଘର ନଲ ପେ ଜଳ ଯୋଜନାକୁ ଓଡ଼ିଶାରେ ବସୁଧା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନା କହି ରାଜ୍ୟବାସୀଙ୍କୁ ବିଜେଡି ସରକାର ଭୂଆଁ ବୁଲାଉଛନ୍ତି । ଗ୍ରାଉଣ୍ଡ ଜିରୋରେ ମହିଳାମାନେ ରାଜ୍ୟରେ ଡବଲ୍ ଇଂଜିନ ସରକାର ଚାହୁଁଛନ୍ତି ବୋଲି ଗସ୍ତ ଅବସରରେ ସ୍ପଷ୍ଟ ହେଉଛି ବୋଲି ଦୀପ୍ତି ରାୱତ୍ ଭରଦ୍ୱାଜ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାର ସୁପ୍ରଚାର କରାଯାଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ଚଞ୍ଚକତା କରି ବାଧକ ସାଜୁଥିବା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ମାଁ, ଭଉଣୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଲଢ଼େଇ ଜାରି ରଖିବେ ବୋଲି ଦୀପ୍ତି ରାୱତ୍ ଭରଦ୍ୱାଜ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳା ମୋର୍ଚ୍ଚା ଆଇଟି ରାଷ୍ଟ୍ରୀୟ ସଂଯୋଜିକା ସୁଜାତା ପାଢ଼ୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ

BJDBJPMahila MorchaOdishaPoliticsWomen Morcha