ପିପିଲି ଚାନ୍ଦୁଆ ବ୍ୟବସାୟ କରି ସ୍ଵାବଲମ୍ବୀ ହେଲେ ମହିଳା

ପିପିଲି ଚାନ୍ଦୁଆରୁ ରୋଜଗାର
ପିପିଲି ଚାନ୍ଦୁଆ ବ୍ୟବସାୟ କରି ସ୍ଵାବଲମ୍ବୀ ହେଲେ ମହିଳା

କଟକ: ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କାମ କେବଳ ପିପିଲିରେ ସୀମିତ ହୋଇ ରହିନାହିଁ। ଦେଶବିଦେଶରେ ମଧ୍ୟ ଏହାର ଚାହିଦା ବଢିଛି। ଚାନ୍ଦୁଆର ବଜାର ଥିବାରୁ ପିପିଲି ବାହାରେ ଚାହିଦା ବଢିବା ସହିତ ଅନେକ ଲୋକ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। ଏବେ ୫୦ ଜଣ ମହିଳା ପିପିଲି ଚାନ୍ଦୁଆ ତିଆରି କରି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଚାନ୍ଦୁଆ ନିର୍ମାଣ କରିବା ସଙ୍ଗେ ସଙ୍ଗେ ସେମାନେ ତାଲିମ ମଧ୍ୟ ନେଉଛନ୍ତି। ଅଳ୍ପ ଦିନରେ ଭଲ ରୋଜଗାର କରିବା ଆଶା ରଖିଛନ୍ତି ଏବଂ ଏହାକୁ ନିଜର ପେଶା ଭାବେ ମଧ୍ୟ ଗ୍ରହଣ କରିଛନ୍ତି। ଜିଲ୍ଲା ହସ୍ତତନ୍ତ ଓ କୁଟୀର ଶିଳ୍ପ ର ପ୍ରୋତ୍ସାହନ କ୍ରମେ କଟକରେ ୨୦ ଜଣ ,ବାଙ୍କୀରେ ୨୦ ଜଣ ଏବଂ ବଡ଼ମ୍ବାରେ  ୧୦ ଜଣ ମହିଳା ଏହି ତାଲିମ ନେଉଛନ୍ତି।

ପୂର୍ବରୁ ତାଲିମ ନେଇ ପ୍ରଶିକ୍ଷକ ହୋଇଥିବା ୩ ଜଣ ମହିଳା ବର୍ତ୍ତମାନ ଏହି ୫୦ ଜଣ ମହିଳାଙ୍କୁ ତାଲିମ ଦେଉଛନ୍ତି। ଜୁଲାଇ ମାସରୁ ଏହି ମହିଳା ମାନେ ତାଲିମ ନେଉଛନ୍ତି। ତାଲିମ ନେଉଥିବା ସମୟ ରେ ମଧ୍ୟ ସେମାନେ କାମ ଆରମ୍ଭ କରିଦେଲେଣି । ଆସନ୍ତା ବର୍ଷ ପହିଲା ମାସରୁ ସେମାନେ ବ୍ୟବସାୟିକ ଭାବେ ଚାନ୍ଦୁଆ କାମ ଆରମ୍ଭ କରିବେ। ମହିଳା ମାନଙ୍କ ତାଲିମ ପାଇଁ ସରକାର ଗୋଟିଏ ଗୋଟିଏ ଗ୍ରୁପକୁ ୬୦,୦୦୦ ଟଙ୍କାର ସାମଗ୍ରୀ ମଧ୍ୟ ଯୋଗାଇଛନ୍ତି।

ସାମଗ୍ରୀ ପାଇବା ପରେ ଏହି ମହିଳା ମାନେ ଚାନ୍ଦୁଆ ତିଆରିର ଚିତ୍ରାଙ୍କନ ,କାଗଜରେ ଡିଜାଇନ କାଟିବା ,ସିଲେଇ କରିବା କାମ କରୁଛନ୍ତି। ଚାନ୍ଦୁଆ ତିଆରି କ୍ୟାରି ବ୍ୟାଗ ,କୁସନ କଭର ଓ ବିଭିନ୍ନ ୱାଲ ହ୍ୟାଙ୍ଗିଙ୍ଗ ତିଆରି କରୁଛନ୍ତି। ତାଲିମ ସମୟରେ ସରକାରଙ୍କ ପକ୍ଷରୁ ତାଙ୍କୁ ୧୦୦୦ ଟଙ୍କା ଭତ୍ତା ମଧ୍ୟ ଦିଆଯାଉଛି। ତାଲିମ ଶେଷ ହେବାପରେ ପରିଚୟପତ୍ର ନେଇ ନିଜେ ଘରେ ଚାନ୍ଦୁଆ କାମ କରିବେ। ପ୍ରସ୍ତୁତ ହେଉଥିବା ଏହି ଚାନ୍ଦୁଆ କୁ ସେମାନେ ଉତ୍କଳିକା ଜରିଆରେ ବିକ୍ରି କରିପାରିବେ ଏବଂ ମାର୍କେଟରେ ମଧ୍ୟ ଏହାକୁ ବିକ୍ରି କରାଯିବ। ସେତିକି ନୁହେଁ ସରକାର ଏବେ ଏହାକୁ ଅନଲାଇନରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରୁଛନ୍ତି।

CuttackOdishaOdisha WomenPipiliପିପିଲି ଚାନ୍ଦୁଆ