୪ ରାଜ୍ୟସଭା ଆସନ ପାଇଁ ଚର୍ଚ୍ଚା ଜୋର; ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?

ଜୁନ ୧୦ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦେଶର ସମୁଦାୟ ୧୮ଟି ରାଜ୍ୟର ୫୭ଟି ଆସନରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ ।

Insight Bureau: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ।  ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଓଡିଶାରୁ ୪ ଟି ଆସନ, ହେଲେ ଆଶାୟୀ ଅନେକ ରହିଛନ୍ତି ରାଜ୍ୟସଭା ପଦ ପାଇଁ ।  ଏପଟେ ଶାସକ ଦଳ  କିଏ ଦିଲ୍ଲୀ ଗଲେ ଦଳ ପାଇଁ ଓ ରାଜ୍ୟ ପାଇଁ ଫାଇଦା ହେବ ସେ ନେଇ ରଣନୀତି ପ୍ରସ୍ତୁତ କରୁଛି । ୩ଟି ଆସନ ପାଇଁ ନିର୍ବାଚନ ଓ ଆଉ ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ଜୁନ ୧୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । କାହାକୁ ମିଳିବ ଦିଲ୍ଲୀ ଟିକେଟ ତାକୁ ନେଇ କସରତ ଆରମ୍ଭ ହୋଇଛି । ଆଶାୟୀ ଓ ଦାବିଦାରଙ୍କ ମଧ୍ୟରେ ଛକାପଞ୍ଝା ଏକ ପ୍ରକାର ଆରମ୍ଭ ହୋଇଗଲାଣି । ବାକି ରହିଲା କାହା ଭାଗ୍ୟରେ ଏହି ମୁକୁଟ ପିନ୍ଧିବାର ସୌଭାଗ୍ୟ ଜୁଟିବ ? ଜୁନ ୧୦ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦେଶର ସମୁଦାୟ ୧୮ଟି ରାଜ୍ୟର ୫୭ଟି ଆସନରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ ।

ଅନ୍ୟପଟେ ନବ ନିର୍ବାଚିତ କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡିଥିଲା ଆସନ । ୨୧ ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁବାସ ସିଂ । ୨ଏପ୍ରିଲ ୨୦୨୬ ଯାଏ ଥିଲା ସୁବାସ ସିଂଙ୍କ କାର୍ଯ୍ୟକାଳ । ଜୁନ ୧୩ରେ ଏହି ଗୋଟିଏ ଆସନରେ ହେବ ଉପନିର୍ବାଚନ । ସବୁବେଳେ ରାଜନୀତିରେ ମାଷ୍ଟରଷ୍ଟ୍ରୋକ ଦେଉଥିବା ମୁଖ୍ୟମନ୍ତ୍ରୀ କାହାକୁ ରାଜ୍ୟସଭା ପଠାଇବେ ସେ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି । ଖାଲି ହେବାକୁ ଥିବା ୩ଟି ଆସନ ପୂର୍ବରୁ ବିଜେଡି ଖାତାରେ ରହିଥିଲା । ତେଣୁ ଏଥର ସେହି ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି କିଛି ନାଁକୁ ନେଇ ଏବେଠୁ ବିଜେଡି ଶିବିରରେ ଜୋରଦାର ଚର୍ଚ୍ଚା ହେଲାଣି । ଯେଉଁମାନଙ୍କ ମଧ୍ୟରେ କିଛି ପୁରୁଣା ଚେହେରା ରହିଥିବା ବେଳେ ଆଉ କେତୋଟି ନୂଆ ଚେହେରା ରହିଛନ୍ତି । ସେହିପରି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ମହିଳା ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସଂଖ୍ୟା ଦୃଷ୍ଟିରୁ ୪ଟି ଆସନ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ । ତେବେ କେଉଁ ୪ ଜଣଙ୍କୁ ବିଜେଡି ଦିଲ୍ଲୀ ପଠାଇବ, ଏହାକୁ ନେଇ ଏବେ ପାୱାର କରିଡର ଉଠୁଛି ପଡୁଛି ।

ରାଜ୍ୟସଭା ରେସରେ ଆସନ ସଂଖ୍ୟା ୪ ରହିଥିବା ବେଳେ ଆଶାୟୀ କିନ୍ତୁ ଅନେକ ରହିଛନ୍ତି । ସୁସ୍ମିତା ବାଗଚୀ, ‘ମୋ ସ୍କୁଲ’ର ଅଧ୍ୟକ୍ଷ ରହିଛନ୍ତି । କ୍ଷମତା କେନ୍ଦ୍ରରେ ତାଙ୍କର ପ୍ରଭାବ ରହିଛି । କ୍ୟାନସର ହସପିଟାଲ ପାଇଁ ସ୍ୱାମୀ ସୁବ୍ରତ ବାଗ୍ଚୀଙ୍କ ସହ ମିଶି କୋଟି କୋଟି ଟଙ୍କା ସହାୟତା ଦେଇଛନ୍ତି । ତେଣୁ ତାଙ୍କୁ ରାଜ୍ୟସଭା ଟିକେଟ ଦେଇ ମହିଳା ଚେହେରା ହିସାବରେ ସାମନାକୁ ଆଣିପାରନ୍ତି ସୁପ୍ରିମୋ । ସେହିପରି ଶ୍ରୀମୟୀ ମିଶ୍ର, ଓଟିଡିସିର ଅଧ୍ୟକ୍ଷା ଅଛନ୍ତି । ପ୍ରଥମେ ମହିଳା ଚେହେରା ଏବଂ ସେ ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି । ଏପରିକି ବଲାଙ୍ଗୀରର ରାଜ ପରିବାରକୁ ଟକ୍କର ଦେଇ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ପାଇଁ ଭଲ କାମ କରିଛନ୍ତି । ତାଙ୍କ ସହିତ ଆଉ ଜଣେ ନେତା ହେଉଛନ୍ତି ପ୍ରଦୀପ ମାଝୀ, ଦକ୍ଷିଣ ଓଡ଼ିଶାର ଆଦିବାସୀ ନେତା, ଜଣେ ଭଲ ସଂଗଠକ ହିସାବରେ ସେ ଜଣାଶୁଣା । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ସମୟରେ ତାଙ୍କୁ ଦଳ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । ତେଣୁ ରାଜ୍ୟସଭା ରେସରେ ସେ ଜଣେ ପ୍ରମୁଖ ଦାବିଦାର ରହିଛନ୍ତି । ସେହିପରି ମାନସ ମଙ୍ଗରାଜ, ବିଜେଡି ମିଡିଆ ସେଲର ଦାୟିତ୍ୱରେ ଅଛନ୍ତି । ଅନେକ ସମୟରେ କ୍ରାଇକ୍ରେସ୍ ମ୍ୟାନେଜର ଭାବେ ଦଳ ପାଇଁ କାମ କରିଛନ୍ତି । ସାଂସଦଙ୍କ କାର୍ଯ୍ୟକାଳ ସରୁଥିବା ବେଳେ କିଛି ସାଂସଦଙ୍କ ଆଶା ରହିଛି, ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବେ ନବୀନ । ମାତ୍ର ୩ ବର୍ଷ କାର୍ଯ୍ୟକାଳ ଭିତରେ ସସ୍ମିତ ପାତ୍ର ବେଶ ଚର୍ଚ୍ଚା ସାଉଣ୍ଟିି ଥିଲେ । ଏପରିକି ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସି ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲେ । ଅନ୍ୟପଟେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏହି ରେସରେ ମଧ୍ୟ ଅଛନ୍ତି । ଏସବୁ ଭିତରେ ଶାସକ ଦଳର ସୁପ୍ରିମୋ ନବୀନ କିଛି ବଡ଼ ନିଷ୍ପତି ନେଇ ଚମକାଇ ଦେଇପାରନ୍ତି ବୋଲି ପ୍ରାର୍ଥୀ ଆଶାୟୀ ଅଛନ୍ତି ।

Election Commission of IndiaOdishaRajyasabha Election