କଟକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶୀ ଯୋଜନା ନେବାକୁ ଯାଉଛି ବାସ୍ତବରୂପ।

TNI ବ୍ୟୁରୋ: ଆଜି ପ୍ରତ୍ୟୁଷରୁ 5T ସଚିବ ଭି.କେ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଥିବା ବେଳେ ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି 5-ଟି ସଚିବ ଭି.କେ. ପାଣ୍ଡିଆନ। ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଦେଇଛନ୍ତି ଗୁରୁତ୍ବାରୋପ।

୭୫ ବର୍ଷ ତଳେ ନିର୍ମିତ ହୋଇଥିବା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସୁଯୋଗ ବିକଶିତ କରିବା ନିମନ୍ତେ ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କାରେ ଏହି ମେଡିକାଲ କଲେଜର ୫-ଟି ଉପକ୍ରମରେ ରୂପାନ୍ତରଣ କରି AIIMS Plus ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି।

ନୂଆକରି ନିର୍ମାଣ ହେଉଥିବା କ୍ଲିନିକାଲ ବ୍ଲକ ୧ ଓ ୪ ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟ ବ୍ଲକ ଗୁଡିକର ନିର୍ମାଣ ଗୁଡିକ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ରୋଗୀଙ୍କ ସଂପର୍କୀୟ ମାନଙ୍କ ରହିବା ନିମନ୍ତେ ଧର୍ମଶାଳା ଓ ବଜେଟ ହୋଟେଲ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଣୀହାଟ ଛକ ନିକଟରେ commercial complex କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ବଡ ଡାକ୍ତରଖାନାର ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କ ରହଣୀ ନିମନ୍ତେ ୧୩ଟି Residential Block ନିର୍ମାଣ କରାଯିବ। ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି କାମ ଆରମ୍ଭ ହୋଇଛି ତେଣୁ ତୁରନ୍ତ ସମସ୍ତ ଆବାସିକ ବ୍ଲକର କାମ ଆରମ୍ଭ କରି ଡିସେମ୍ବର ୨୦୨୩ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ SCB Public School ର କାମ ମଧ୍ୟ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Support Independent Journalism? Keep us live.

ଏହାପରେ ୫-ଟି ସଚିବ ପାଣ୍ଡିଆନ ତାଳଦଣ୍ଡା କେନାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟ ବୁଲି ଦେଖିଛନ୍ତି। ତାଳଦଣ୍ଡା କେନାଲ କୂଳରେ ବୁଲା ବିକାଳୀମାନେ ଯେଭଳି ନ ବସିବେ, ସେମାନଙ୍କ ପାଇଁ କଟକ ମ୍ୟୁନିସିପାଲଟି କର୍ପୋରେସନ ପକ୍ଷରୁ ଅର୍ବାନ ହାଟ ନିର୍ମାଣ କରାଯାଉଛି। ଏହି କାମ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି।

ଭବିଷ୍ୟତର ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି Buffer Zone ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାଲପରିବହନ କରୁଥିବା ବଡ ବଡ ଯାନ ଗୁଡିକର ପାର୍କିଂ ପାଇଁ ରେଲୱେ ଠାରୁ ଅଧିକ ଜମି ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ଲୋକ ତଥା ବୁଲା ବିକାଳୀ ମାନେ ଯେପରି ତାଳଦଣ୍ଡା କେନାଲରେ ଅଳିଆ ଆବର୍ଜନା ନ ପକାଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରିବା ସହିତ କେନାଲ ରାସ୍ତାରେ ଥିବା ସମସ୍ତ ଇଲେକ୍ଟ୍ରି ସବ୍‌ଷ୍ଟେସନ, ପାଣି ପାଇପ ତଥା ନର୍ଦ୍ଦମାଜଳ ପାଇପ ସଂପୂର୍ଣ୍ଣ ଭାବରେ ତୁରନ୍ତ ସ୍ଥାନାନ୍ତକରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି।

୩.୫ କିଲୋମିଟର ପରିବ୍ୟାପ୍ତ ତାଳଦଣ୍ଡା କେନାଲ ରାସ୍ତାର ବିକାଶ କାମକୁ ଜାତୀୟ ରାଜପଥ ୧୬ ଅତିକ୍ରମ କରି କଟକ ସହର ଶେଷ ସୀମା ପର୍ଯ୍ୟନ୍ତ ବିକଶିତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଛନ୍ତି। ସେହିପରି ବିଭିନ୍ନ ଜାଗାରେ ଥିବା ସେତୁ ନିକଟସ୍ଥ ସଂଯୋଗକାରୀ ରାସ୍ତା ପ୍ରଶସ୍ତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ରେଲୱେ ଜମି ନିକଟରେ ଥିବା ଜଳାଶୟର ସଂରକ୍ଷଣ ଓ ବିକାଶ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଏତଦ୍‌ବ୍ୟତୀତ କେନାଲ ରୋଡର Landscaping, ତାର ରକ୍ଷଣାବେକ୍ଷଣ ଓ ପରିଚ୍ଛନ୍ନତା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର landscaping ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଅକ୍ଟୋବରରେ ଉଦ୍‌ଘାଟିତ କରିଥିଲେ ।

ତାଳଦଣ୍ଡା କେନାଲ ଅତୀତରେ ଆମର ଜଳସେଚନ, ଜଳ ପରିବହନ ତଥା ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ୧୮୬୨ ଖ୍ରୀଷ୍ଟାଦ୍ଦରେ ଏହା East India Company ଦ୍ବାରା ଖନନ ହୋଇଥିଲା। ତେଣୁ ତାଳଦଣ୍ଡା କେନାଲର ଐତିହାସିକ ଗୁରୁତ୍ବ ସଂପର୍କରେ ଭବିଷ୍ୟତ ପୀଢିକୁ ଅବଗତ କରିବା ପାଇଁ ଏକ ସଂଗ୍ରହାଳୟ ଓ ପ୍ରଦର୍ଶନୀ ସ୍ଥଳ ବିକଶିତ କରିବାପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ତାଳଦଣ୍ଡା କେନାଲର ଇତିହାସ ଓ ବର୍ତ୍ତମାନର ବିକାଶ କାମ ସଂପର୍କିତ ଫଟୋଚିତ୍ର ଏଥିରେ ସ୍ଥାନୀତ ହେବ।

୫-ଟି ସଚିବଙ୍କ ସହିତ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଦାୟିତ୍ବରେ ଥିବା ବିଶାଳ ଦେବ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ, କଟକ ଜିଲ୍ଲାପାଳ, ସିଡିଏର ଅଧ୍ୟକ୍ଷ ଏବଂ କଟକ ମ୍ୟୁନିସିପାଲଟି କମିଶନର, SCB Medical Collegeର ଅଧ୍ୟକ୍ଷ, ଅଧୀକ୍ଷକ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.