ଚର୍ଚ୍ଚାରେ 5T ସଚିବଙ୍କ ଗସ୍ତ; ବିକାଶ ପଥରେ କୋରାପୁଟ

ରାଜ୍ୟରେ ଦ୍ରୁତ ପ୍ରଗତିର ବାର୍ତ୍ତାବହ ସାଜିଛି କୋରାପୁଟ ଜିଲ୍ଲାର ଉନ୍ନତି

ଇନ୍‌ସାଇଟ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା ଉପାନ୍ତ, ଅପହଞ୍ଚ, ବିଚ୍ଛିନ୍ନାଞ୍ଚଳର କଳାବାଦଲକୁ ଚିରି ଆଙ୍କୁଛି ବିକାଶର ଛବି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି ରଖିଛନ୍ତି ନିରନ୍ତର ପ୍ରୟାସ। କୃଷି, କ୍ରୀଡ଼ା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ନାରୀ ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ଉଇଁଛି ବିକାଶର ସୂର୍ଯ୍ୟ। ରାଜ୍ୟରେ ଦ୍ରୁତ ପ୍ରଗତିର ବାର୍ତ୍ତାବହ ସାଜିଛି କୋରାପୁଟ ଜିଲ୍ଲାର ଉନ୍ନତି। କୋରାପୁଟର ହଳଦୀ ଏବଂ କଫିର ମହକ ବିଦେଶକୁ ପହଞ୍ଚିପାରୁଥିବା ବେଳେ କୋରାପୁଟ ମାଣ୍ଡିଆ ସାଉଁଟିଛି ନାନା ପ୍ରଂଶସା।

‘ଭିତ୍ତିଭୂମି ହିଁ ବିକାଶର ଆଧାର’କୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର କୋରାପୁଟରେ ବହୁ ପ୍ରକଳ୍ପ ଏବଂ ଯୋଜନା ଆରମ୍ଭ କରିଥିବା ବେଳେ ଗତକାଲି କୋରାପୁଟ ଗସ୍ତ କରି ଜିଲ୍ଲାର ଉନ୍ନତି ନିମନ୍ତେ ୧୬୦୦ କୋଟିର ମୋଟ ୧୧୩ଟି ପ୍ରକଳ୍ପ ମଧରୁ ୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ୧୪୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମାରାଥନ୍ ସମୀକ୍ଷା ପାଲଟିଛି ଚର୍ଚ୍ଚା।

ରାଜ୍ୟର ସମସ୍ତ ଐତିହ୍ୟରାଜିର ସୁରକ୍ଷା ତଥା ତୀର୍ଥ କ୍ଷେତ୍ରର ନବୀକରଣକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଗତକାଲି 5T ସଚିବ ଭି.କେ ପାଣ୍ଡିଆନ୍‌ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ବର ପୀଠ, ସାବରୀ ନଦୀ ଘାଟ, ପରିଦର୍ଶନ କରିବା ସହ ଚର୍ତ୍ତୁପାର୍ଶ୍ବ ଉନ୍ନତିକରଣ, ପର୍ଯ୍ୟଟକଙ୍କ ସୁବିଧାର ବ୍ୟବସ୍ଥା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋଟପାଡ ସ୍ଥିତ ଦମୟନ୍ତୀ ସାଗର, ଜଗନ୍ନାଥ ସାଗର ହ୍ରଦର ପରିଦର୍ଶନ କରି ମାଷ୍ଟରପ୍ଲାନ ଆଧାରରେ ପର୍ଯ୍ୟାୟ କ୍ରମେ ଏହାର ବିକାଶ, କୋଟପାଡରେ ନିର୍ମାଣଧିନ ବହୁମୁଖୀ ଇଣ୍ଡୋର ହଲ୍ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ମାନ ସୁନିଶ୍ଚିତ କରିବା ଏବଂ କୋଟପାଡ କଲେଜର ଶ୍ରେଣୀଗୃହର ଉନ୍ନତିକରଣ ନମନ୍ତେ ନିର୍ଦ୍ଦେଶ ଦେବା ସହ ଜୟପୁର ପୌର ପରିଷଦ ଏବଂ ଜଳସମ୍ପଦ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।


5T ସଚିବ ଭି.କେ ପାଣ୍ଡିଆନ୍‌ କୋରାପୁଟର ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରି ମନ୍ଦିରର ଉନ୍ନତିକରଣର ସମୀକ୍ଷା ସହ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ନିର୍ମାଣ କାର୍ଯ୍ୟର ସମୀକ୍ଷା ଏବଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରିଶେଷରେ 5T ସଚିବ ଉପାନ୍ତ ବ୍ଲକ ନାରାୟଣପାଟଣା ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହା ସହ ଦେଓମାଳି ଓ କୋଟିଆ ଯାଇ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଆଲୋଚନା କରିଛନ୍ତି। କୋରାପୁଟ ଜିଲ୍ଲାର ବୋରିଗୁମା ବ୍ଲକରେ ମିଶନ ଶକ୍ତି ମା’ଙ୍କ ସହ ଆଲୋଚନା କରିଛନ୍ତି। 5T ସଚିବଙ୍କ ଏହି ମାରାଥନ ପରିଦର୍ଶନ ଏବଂ ସମୀକ୍ଷା ଚର୍ଚ୍ଚା ସାଉଁଟିଥିବା ବେଳେ ଏହା କୋରାପୁଟର ବୈପ୍ଲବିକ ବିକାଶ ଏବଂ ଅଗ୍ରଗତିର ପାଲଟିଛି ନମୁନା।

5T5T Secretary VK Pandian5T ସଚିବKoraputକୋରାପୁଟ